Latest Odisha News

ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ କିମ୍ବଦନ୍ତୀ ଲେଖକ ଓ କବି ଭାବେ ବର୍ଣ୍ଣନା କରିଛନ୍ତି, ଯିଏକି ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ଜଣେ ପ୍ରତିଭା ଥିଲେ। ଓଡ଼ିଆ ସାହିତ୍ୟକୁ ସେ ସଫଳତାର ସହ ଏକ ବ୍ୟାପକ ପରିସୀମାରେ ପହଞ୍ଚାଇଥିଲେ। ତାଙ୍କର ବୁଦ୍ଧି ଓ ଜ୍ଞାନ ଅନେକ ଯୁବକଙ୍କ ପାଇଁ ଇଂରାଜୀ ସାହିତ୍ୟରେ ଲେଖିବା ପାଇଁ ଏକ ମାର୍ଗ ଦର୍ଶନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ କବିଙ୍କର କଟକରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ବିଶିଷ୍ଟ କବି ଜୟନ୍ତ ମହାପାତ୍ର ଗତ କଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ନିମୋନିଆରେ ଆକ୍ରାନ୍ତ ହେବା ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।

୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ ଦୁର୍ଗାଷ୍ଟମୀ ତିଥିରେ ସେ କଟକଠାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ନେମୁଏଲ ମହାପାତ୍ର ଓ ମାତାଙ୍କ ନାମ ସୁଧାଂଶୁବାଳା ଦାଶ । ସେ କଟକର ଷ୍ଟିବର୍ଟ ସ୍କୁଲରେ ପଢ଼ା ଆରମ୍ଭ କରି ପରେ ପଦାର୍ଥ ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଛନ୍ତି। ୧୯୪୯ ମସିହାରେ ସେ ରାଜ୍ୟର ବିଭିନ୍ନ ସରକାରୀ କଲେଜ ଯଥା, ଫକୀରମୋହନ କଲେଜ, ବାଲେଶ୍ୱର , ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ବି. ଜେ.ବି କଲେଜ, ଭୁବନେଶ୍ୱର ଏବଂ ରେଭେନ୍ସା କଲେଜ, କଟକରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ୧୯୮୬ରେ ଅବସର ଗ୍ରହଣ କରିଥିଲେ ।

Comments are closed.