Latest Odisha News

ମୁକ୍ତି ମିଳିବାର କେଇ ମିନିଟ ପରେ ପୁଣି ଗିରଫ ହେଲେ ଇମ୍ରାନ ଖାନ୍

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମସ୍ୟା ବଢିଚାଲିଛି । ତୋଷଖାନା ମାମଲା ଉପରେ ତାଙ୍କୁ ଆଜି ଆଶ୍ୱସ୍ତି ମିଳିବାର ମାତ୍ର କେଇ ମିନିଟ ପରେ ଇମ୍ରାନଙ୍କୁ ପୁଣି ଆଉ ଏକ ମାମଲାରେ ଗିରଫ କରାଯାଇଛି । ଇମ୍ରାନଙ୍କୁ ସିକ୍ରେଟ ଲେଟର ଚୋରି (ସାଇଫର ଗେଟ ସ୍କାଣ୍ଡାଲ) ମାମଲାରେ ପୁଣି ଗିରଫ କରାଯାଇ ଜୁଡିସିଆଲ କଷ୍ଟଡିକୁ ପଠାଇ ଦିଆଯାଇଛି । ଇସଲାମବାଦ ହାଇକୋର୍ଟ ତୋଷଖାନା ମାମଲାରେ ହୋଇଥିବା ଦଣ୍ଡବିଧାନ ଉପରେ ରୋକ ଲଗାଇଛନ୍ତି ।

କୋର୍ଟ ତାଙ୍କ ରାୟରେ ଇମ୍ରାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ଆଦେଶ ଦେଇଥିଲେ । ଏହି  ମାମଲାରେ ତଳ କୋର୍ଟ ଅଗଷ୍ଟ ୫ ତାରିଖ ଦିନ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲା ।

ମୁଖ୍ୟ ନ୍ୟାୟାଧୀଶ ଅମୀର ଫାରୁକ ଏବଂ ତାରିକ ମହମ୍ମୁଦ ଜହାଙ୍ଗୀରଙ୍କ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଥିଲେ । ହେଲେ ଏହା ପରେ ତାଙ୍କୁ ସିଫର ମାମଲାରେ ଗିରଫ କରାଯାଇଥିବା ପାକିସ୍ଥାନ ଟିଭି ଚ୍ୟାନେଲ ସମା ଟିଭି ପକ୍ଷରୁ କୁହାଯାଇଛି । ତାଙ୍କୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଜୁଡିସିଆଲ କଷ୍ଟଡିକୁ ପଠାଇ ଦେଇଛନ୍ତି । ଅନ୍ୟପକ୍ଷେ ଯାଞ୍ଚ ଏଜେନ୍ସିକୁ ୧୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଅଫିସିଆଲ ସିକ୍ରେଟ ଆକ୍ଟ କୋର୍ଟର ଜଜ ଅବୁଲ ହସନତ ଜୁଲକୁରନେନ ଏହି ଆଦେଶ ଦେଇଛନ୍ତି ।

ତେଣୁ କୋର୍ଟ ଆଶ୍ୱସ୍ତି ମିଳିଥିଲେ ହେଁ ଇମ୍ରାନ ଏବେ ଜେଲରୁ ମୁକୁଳି ପାରିବେ ନାହିଁ ।

Comments are closed.