Latest Odisha News

BREAKING NEWS

ଶିମିଳିପାଳରେ ବଦଳୁଛି ମହାବଳ ବାଘଙ୍କ ରଙ୍ଗ, ବିଶେଷଜ୍ଞ ବି ଜାଣି ହେଉଛନ୍ତି ତାଜୁବ

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ପାଇଁ ମାଡ଼ି ଆସିଛି ବିପଦ। କାରଣ ଅଭୟାରଣ୍ୟ ଭିତରେ ଥିବା ମହାବଳ ବାଘଙ୍କ ରଙ୍ଗ ବଦଳିବାରେ ଲାଗିଛି । ଅନ୍ୟ ପ୍ରଜାତି ବାଘଙ୍କ ସହ ସଙ୍ଗମ ହେବା ଫଳରେ ମହାବଳ ବାଘଙ୍କ ଜିନ୍‌ରେ ପରିବର୍ତ୍ତନ ଘଟୁଛି । ଦିନକୁ ଦିନ ମହାବାଳ ବାଘ ସବୁ ଅଧିକ କଳା ଦେଖାଯାଉଛନ୍ତି । ଏହା ମହାବଳ ବାଘ ବଂଶ ପାଇଁ ଘାତକ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।

ମହାବଳ ବାଘଙ୍କ ସଂଖ୍ୟା ଦେଶରେ କମ୍ ରହିଛି । ହାତ ଗଣତି କେତେଟି ଅଭୟାରଣ୍ୟରେ ମହାବଳ ବାଘଙ୍କୁ ଦେଖିବାକୁ ମିଳୁଛି । ଏଥିମଧ୍ୟରୁ ମୟୂରଭଞ୍ଜର ଶିମିଳପାଳ ଅଭୟାରଣ୍ୟରେ ୨୦ରୁ ଅଧିକ ମହାବଳ ବାଘ ଅଛନ୍ତି ।  ସାଧାରଣତଃ ମହାବଳର ରଙ୍ଗ ହଳଦିଆ ହୋଇଥିବା ବେଳେ ଦେହ ଉପରେ  କଳା ରଙ୍ଗର ପଟା ପଟା ଦାଗ ରହିଥାଏ । କିନ୍ତୁ ଏଠାରେ ଥିବା ବାଘଙ୍କ ରଙ୍ଗ ହଳଦିଆ ହେବା ପରିବର୍ତ୍ତେ କଳା ହେବାର ପଡିଗଲାଣି । ଅଭୟାରଣ୍ୟରେ ଲାଗିଥିବା କ୍ୟାମେରାରେ ଏଭଳି କିଛି ବାଘଙ୍କ ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ।

ସଂକ୍ରମଣ ଜନିତ ରୋଗ, ଜିନ୍ ପରିବର୍ତ୍ତନ ବା ଅନ୍ୟ କୌଣସି କାରଣରୁ ବାଘଙ୍କ ରଙ୍ଗ ପରିବର୍ତ୍ତନ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏହାର କାରଣ ଖୋଜିବାକୁ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ। ନ୍ୟାସନାଲ କାଉନସିଲ ଅଫ୍ ବାୟୋଲୋଜିକାଲ ରିସର୍ଚ ଅନୁଷ୍ଠାନ ପକ୍ଷରୁ ଶିମିଳିପାଳ ବାଘଙ୍କ ରଙ୍ଗ ପରିବର୍ତ୍ତନ ନେଇ ଗବେଷଣା ଜାରି ରହିଛି । ଏହି ରଙ୍ଗ ପରିବର୍ତ୍ତନ ମହାବଳ ବାଘ ବଂଶ ପାଇଁ କ୍ଷତିକାରକ କି ନୁହେଁ, ତାର ବୈଜ୍ଞାନିକ ପ୍ରମାଣ ମିଳିପାରି ନାହିଁ ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ,  ପୂର୍ବରୁ ଶିମିଳିପାଳରେ ୧୮ଟି ମହାବଳ ଥିବା ବେଳେ ଏବେ ୨୦ଟି ମହାବଳ ଥିବା ଜାତୀୟ ବାଘ ଗଣନା ରିପୋର୍ଟରୁ ପ୍ରକାଶ ପାଇଛି। ତେବେ, ଏହା ପ୍ରକୃତରେ ଏହା ମହାବଳ ନା କଳାବାଘ ସେନେଇ ଦ୍ବନ୍ଦରେ ପଡିଛି ବନ ବିଭାଗ । କାରଣ ଶିମିଳିପାଳରେ ବିରଳ କଳାବାଘ ଥିବା ନେଇ  ପ୍ରଥମେ ୧୯୮୭ ମସିହାରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ, ବିଶେଷଜ୍ଞଙ୍କ ଅଧିକ ଗବେଷଣା ପରେ ହିଁ  ଶିମିଳିପାଳ ମହାବଳ ବାଘଙ୍କ ରଙ୍ଗ ପରିବର୍ତ୍ତନର ପ୍ରକୃତ କାରଣ ଜଣା ପଡିବ ବୋଲି ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି ।

 

Leave A Reply

Your email address will not be published.