ନୂଆଦିଲ୍ଲୀ: ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ପାକର ଖାଇବର ପଖତୁନଖ୍ବା ଅଞ୍ଚଳରେ ଗତକାଲି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ପାକିସ୍ତାନ ସେନାର ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ମାଲି ଖେଲର ବନ୍ନୁ ଡିଭିଜନରେ ଗତକାଲି ଜଣେ ଆତ୍ମଘାତୀ ଆକ୍ରମଣକାରୀ ମୋଟର ସାଇକେଲରେ ଆସି ସୁରକ୍ଷା ବାହିନୀର କନଭୟକୁ ଧକ୍କା ଦେବାରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଫଳରେ ବିସ୍ଫୋରଣରେ ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପଛରେ କେଉଁ ଆତଙ୍କୀ ସଂଗଠନର ହାତ ଅଛି ତାହା ଏ ଯାଏଁ ଜଣାପଡିନି ।
ସୂଚନାଯୋଗ୍ୟ ଯେ, ମାସକ ଭିତରେ ଖାଇବର ପଖତୁନଖ୍ବା ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣର ଏହା ଦ୍ବିତୀୟ ଘଟଣା । ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ୍ ହକ୍ କାକର୍ ଏନେଇ ଗଭୀର ଶୋକ ପ୍ରକାଶ କରିବା ସହ Xରେ ମୃତ ଯବାନ ଓ ଆହତଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ଲେଖିଛନ୍ତି, ବନ୍ନୁ ଡିଭିଜନରେ ଆତଙ୍କବାଦୀ ଆକ୍ରମଣରେ ୯ ବୀର ସୈନିକଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ଏଥିରେ ଅନେକ ଆହତ ହୋଇଛନ୍ତି । ଏହିଭଳି ଆତଙ୍କୀ କାର୍ଯ୍ୟକଳାପ ନିନ୍ଦନୀୟ । ପାକିସ୍ତାନ ଏପରି ଆତଙ୍କବାଦକୁ ଦୃଢ ଭାବରେ ନିନ୍ଦା କରୁଛି ।
Comments are closed.