Latest Odisha News

BREAKING NEWS

ପୁଣି ଥରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ, ପବିତ୍ର ସ୍ଥାନଗୁଡ଼ିକୁ ଦେଖିଲେ ତୀର୍ଥଯାତ୍ରୀଙ୍କୁ ଦେବାକୁ ପଡ଼ିବ ଟଙ୍କା

ପୁରୀ: ଜଗା ଦର୍ଶନ ପାଇଁ ଟଙ୍କା ଗଣିବେ ଭକ୍ତ । ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ବସିଥିବା ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ ମାହାଲ ଦେବାକୁ ପଡ଼ିବ । ରୋଷଘର ଦର୍ଶନ, ରୋହିଣୀ କୁଣ୍ଡରୁ ଜଳ ସଂଗ୍ରହ, କୋଇଲି ବୈକୁଣ୍ଠ ଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ, ନରେନ୍ଦ୍ରରେ ସଂକଳ୍ପ କରିବା ଆଦି ଉପରେ ଦେୟ ଆଦାୟ ହେବ । ଶ୍ରୀମନ୍ଦିର ପ୍ରଶାସନ ଏହି ତୀର୍ଥ ଓ ପବିତ୍ର ସ୍ଥଳ ଗୁଡ଼ିକୁ ଟେଣ୍ଡର କରି ମାହାଲ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ପ୍ରତିଦିନର ନୀତିକୁ ଦେଖି ପ୍ରଶାସନ ଭିତରକାଠକୁ ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ୍ ବ୍ୟବସ୍ଥା କରିବ । ଫଳରେ ନିର୍ଦିଷ୍ଟ ସମୟ ପାଇଁ ଭକ୍ତ ଦେୟଯୁକ୍ତ ଜଗା ଦର୍ଶନ କରିବେ । ଏଥିପାଇଁ ଶ୍ରୀମନ୍ଦିର ପରିସରରେ ମା ମହାଲକ୍ଷ୍ମୀଙ୍କ ମନ୍ଦିରରେ ବସିବ ଦାନ ବାକ୍ସ। ୪ଟି ସ୍ଥାନରେ ବସିବ ଦାନ ବାକ୍ସ। ଭକ୍ତ ନିବାସରେ ଟିଭି ଲାଗିବ। ସେପଟେ ରୋହିଣୀ କୁଣ୍ଡ ଓ ଗୁଣ୍ଡିଚା ମନ୍ଦିର ନିଲାମ ପାଇଁ ଟେଣ୍ଡର ହେବ ବୋଲି ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏ ନେଇ ସୂଚନା ଦେଇଛନ୍ତି।

ପୂର୍ବରୁ କୋଭିଡ୍‌ ଓ ଅନ୍ୟାନ୍ୟ କାରଣରୁ ଶ୍ରୀମନ୍ଦିରର ମାହାଲ ସବୁ ଶୁଳ୍କମୁକ୍ତ କରାଯାଇଥିଲା । ଏବେ ପୁଣିଥରେ ଶୁଳ୍କ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଟେଣ୍ଡର୍‌ କରାଯିବ। ଟେଣ୍ଡର୍‌ରେ ସ୍ବତନ୍ତ୍ର ଏସଓପି ରହିବ । ଶୋଷଣମୁକ୍ତ ପରିବେଶ ପାଇଁ ଏହି ଏସଓପି ଲାଗୁ ହେବ। ଶ୍ରୀମନ୍ଦିରରେ କାମ କରୁଥିବା ସ୍ଥାୟୀ କର୍ମଚାରୀମାନେ ଆଗରୁ ଚିକିତ୍ସା ଭତ୍ତା ଓ ଔଷଧ ବାବଦକୁ ଖର୍ଚ୍ଚ ପାଉଥିଲେ । ଚିକିତ୍ସା ଭତ୍ତା ବାବଦକୁ ଦରମାର ୦.୬୫ ପ୍ରତିଶତ ଟଙ୍କା କର୍ମଚାରୀମାନେ ପାଉଥିଲେ ।

Leave A Reply

Your email address will not be published.