Latest Odisha News

BREAKING NEWS

ସୋଆ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ନେଇ ନିଯୁକ୍ତିଦାତା ମାନେ ବେଶ୍ ପ୍ରଭାବିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(ଆଇଟିଇଆର)ର ୨୦୨୦ ଗ୍ରାଜୁଏଟିଂ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ମାଇକ୍ରୋସଫ୍ଟ, ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍, ଆମାଜନ୍, ଡିଲଏଟ୍, ରବର୍ଟ ବୋସ, ଇନଫରମାଟିକା, କେପଜେମିନି, ମ୍ୟାକ ସଫ୍ଟୱେୟାର ଏବଂ ମୁ-ସିଗମା ଭଳି ଅନୁଷ୍ଠାନର ନିଯୁକ୍ତିଦାତା ମାନେ ଡି-ଜିରୋ ସ୍ଲଟରେ ନିଯୁକ୍ତି ଦେବା ପ୍ରକ୍ରିୟା ଶେଷ କରିଛନ୍ତି ।

ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ କମ୍ପାନୀଗୁଡ଼ିକ ଦ୍ୱାରା ଖୁବ୍ ଭଲ ଚାକିରିର ସୁଯୋଗ ପାଇଛନ୍ତି । ଡେ-ଜିରୋ ସ୍ଲଟ୍ ପରେ ଡେ-ୱାନର ପ୍ରମୁଖ ନିଯୁକ୍ତିଦାତା ଯଥା କଗ୍ନିଜାଣ୍ଟ, ୱିପ୍ରୋ ଏବଂ ଇନଫୋସିସ୍ ଭଳି କମ୍ପାନୀ ଆଇଟିଇଆରରୁ ମେଧାବୀ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି ଅନୁଷ୍ଠାନର ଟ୍ରେନିଂ ଏବଂ ପ୍ଲେସମେଣ୍ଟ ମୁଖ୍ୟ ଡ. ସୁଜିତ କୁମାର ଦାସ କହିଛନ୍ତି ।

ଚଳିତ ବର୍ଷ ଆଇଟିଇଆରରେ କ୍ୟାମ୍ପସ୍ ପ୍ଲେସମେଣ୍ଟରେ ଏକ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୋଇଥିବା ବେଳେ ନିଯୁକ୍ତିଦାତା ମାନେ ଜ୍ଞାନ ଆହରଣରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କୁ ଅଧିକ ସଂଖ୍ୟାରେ ଚୟନ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ଏବଂ କୋର ସେକ୍ଟର କ୍ଷେତ୍ରରେ ଜ୍ଞାନ ଆହରଣରେ ଆଗ୍ରହ ରଖିଥିବା ଛାତ୍ରଛାତ୍ରୀଙ୍କୁ ଅଧିକ ନିଯୁକ୍ତି ଦିଆଯାଉଥିବା ସେ କହିଛନ୍ତି ।

ବର୍ତ୍ତମାନର ଡିଜିଟାଲ୍ ଟେକ୍ନୋଲଜି ପରିବେଶରେ ନିଜର ପ୍ରଭାବ ବିସ୍ତାର କରିବାକୁ ହେଲେ ନିଜର ପାଠ୍ୟକ୍ରମ ଏବଂ ବ୍ରାଞ୍ଚ ବ୍ୟତିତ ନିଜର ଦକ୍ଷତା ମଧ୍ୟ ପ୍ରତିପାଦନ କରିବାକୁ ପଡ଼ିବ ବୋଲି ଡ. ଦାସ କହିଛନ୍ତି ।

ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ରାପ୍ୟୁଟା, ରୋବୋଟେକ୍ସ, ଓଡେଶା ଆଇଏନସି, ସିଗମଏଡ୍ ଆନାଲେଟିକ୍ସ, କୋନି, ଭାଲ୍ୟୁ ଲ୍ୟାବ୍ସ ଏବଂ କ୍ଲାଉଡଗିନ୍ ଭଳି କମ୍ପାନୀରୁ ଚଳିତ ବର୍ଷ ଭଲ ନିଯୁକ୍ତିର ସୁଯୋଗ ପାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତିଦାତା ମାନେ ଆଇଟିଇଆର୍ ଛାତ୍ରଛାତ୍ରୀଙ୍କର ପାରଦର୍ଶିତା, ଆନ୍ତରିକତା ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଅଧିକ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

କମ୍ପାନୀଗୁଡ଼ିକ ପକ୍ଷରୁ ମଧ୍ୟ ଛାତ୍ରଛାତ୍ରୀମାନଙ୍କର ଫଳାଫଳ ଏବଂ ଦକ୍ଷତାକୁ ନେଇ ଖୁବ୍ ପ୍ରଶଂସା କରାଯାଇଛି । ଚଳିତ ବର୍ଷ ନିଯୁକ୍ତି ପ୍ରକ୍ରିୟାର ଅବଧି ଶେଷ ସୁଦ୍ଧା ଆଇଟିଇଆରର ୨୦୨୦ ଗ୍ରାଜୁଏଟିଂ ବ୍ୟାଚ କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ଲେସମେଣ୍ଟ ହେବା ନେଇ ଆଶା କରାଯାଉଛି ବୋଲି ଡ. ଦାସ କହିଛନ୍ତି ।

Leave A Reply

Your email address will not be published.