ଭୁବନେଶ୍ଵର: ସ୍ୱାସ୍ଥ୍ୟକର ଖାଦ୍ୟ, ସୁସ୍ଥ ଶରୀର। ଆମେ ଦୈନନ୍ଦିନ ଜୀବନରେ କ’ଣ ଖାଉଛେ, ତାହାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ରୋଗ ହେବାର ଆଶଙ୍କାକୁ ଦୂରେଇ ପାରିବା। ସୁସ୍ଥ ଖାଦ୍ୟ ମସ୍ତିଷ୍କଠାରୁ ଆରମ୍ଭ କରି ଶାରୀରିକ କାର୍ଯ୍ୟଦକ୍ଷତା ପର୍ଯ୍ୟନ୍ତ ଜୀବନର ସମସ୍ତ ଦିଗରେ ଉନ୍ନତି ଆଣିଥାଏ। ଏକ ସୁସ୍ଥ ମନ, ସୁସ୍ଥ ଶରୀର ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ।
ଅସ୍ଵାସ୍ଥ୍ୟକର ଏବଂ ଅପପୁଷ୍ଟିକର ଫାଷ୍ଟଫୁଡ ଓ ଜଙ୍କଫୁଡ ଖାଇବା ଲୋକଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେବାରେ ଲାଗିଛି । ଫଳରେ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧ ରୁ ୭ ତାରିଖ ଯାଏଁ ଜାତୀୟ ପୋଷଣ ସପ୍ତାହ ଭାବେ ପାଳନ କରାଯାଏ । ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ଶରୀରକୁ ଖାଦ୍ୟ ଦ୍ଵାରା ମିଳୁଥିବା ପୋଷକ ତତ୍ତ୍ଵକୁ ପୋଷଣ କୁହାଯାଏ । ତେଣୁ ନିଜ ଖାଇବା ଥାଳିରେ ଶସ୍ୟ ଜାତୀୟ ଖାଦ୍ୟ, ଶ୍ଵେତସାରଯୁକ୍ତ ପରିବା, ଦୁଗ୍ଧ ଜାତୀୟ ଖାଦ୍ୟ, ଡାଲି ଜାତୀୟ ଖାଦ୍ୟ, ଶାଗ ଓ ସବୁଜ ପନିପରିବା ଓ ବିଭିନ୍ନ ଫଳ ରହିବା ଆବଶ୍ୟକ ।
ଖାଦ୍ୟରେ ସବୁଜ ପନିପରିବା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ପରିବାରେ କ୍ୟାଲୋରୀ କମ୍ ଥିବା ସହ ଗୁରୁତ୍ୱପୂର୍ଣ୍ଣ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଏବଂ ଫାଇବରରେ ପରିପୂର୍ଣ୍ଣ ରହିଥାଏ । ଫଳରୁ ପ୍ରାକୃତିକ ମିଠା ମିଳିଥାଏ। ଫଳ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଯୋଗାଇଥାଏ । ଯାହା ସ୍ଵାଦରେ ଉନ୍ନତି ଆଣିଥାଏ । ସେହିପରି ପ୍ରୋଟିନ୍ର ଉତ୍ତର ଉତ୍ସ ହେଉଛି ମାଛ ଓ ମାଂସ । ଅଣ୍ଡାରେ ପ୍ରୋଟିନ୍, ଉପକାରୀ ଚର୍ବି, ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ମଧ୍ୟ ରହିଛି । ତେଣୁ ସପ୍ତାହକୁ ଅତିକମରେ ୨ଦିନ ଖାଦ୍ୟରେ ଆମିଷ ଖାଆନ୍ତୁ । ତେବେ ଯଦି ଆପଣ ଶାକାହାରୀ ତେବେ ଖାଦ୍ୟରେ ଦୁଗ୍ଧ ଜାତୀୟ ଖାଦ୍ୟ ସାମିଲ କରନ୍ତୁ । ଦହି ଓ କ୍ଷୀରରେ ପ୍ରୋଟିନ୍ ଓ କ୍ୟାଲସିୟମ୍ ଭରପୂର ମାତ୍ରାରେ ଥାଏ । ବାଦାମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଭଲ। ଏଥିରେ ଗୁରୁତ୍ୱପୂର୍ଣ୍ଣ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ମଧ୍ୟ ରହିଛି। ତେଣୂ ଯଥା ସମ୍ଭବ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ ।
ତେବେ ଅତ୍ୟଧିକ ମାତ୍ରାରେ ଚିନି ଖାଇବା ଦ୍ୱାରା ମେଦବହୁଳତା, ଟାଇପ-୨ ଡାଇବେଟିସ୍, ତ୍ଵଚାଜନିତ ସମସ୍ୟା ଦେଖାଦେଇଥାଏ । ସେହିପରି ଟ୍ରାନ୍ସ ଫ୍ୟାଟ୍, ମଇଦା, ତେଲ, ଅତ୍ୟଧିକ ଲୁଣ ଖାଇବା ମଧ୍ୟ ସ୍ଵାସ୍ଥ୍ୟପାଇଁ ହାନୀକାରକ ସାବ୍ୟସ୍ତ ହୋଇଥାଏ । ତେଣୁ ଯଥା ସମ୍ଭାବ ଏହି ଖାଦ୍ୟ ଠାରୁ ଦୂରରେ ରହନ୍ତୁ ।
Comments are closed.