ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ରୋଡ୍ ସ୍ଥିତ ରାସଗୋବିନ୍ଦପୁର ଠାରେ ଥିବା ଏୟାରଷ୍ଟ୍ରିପକୁ ଉଡାଣ ଯୋଜନାରେ ବିମାନ ଚଳାଚଳ ପାଇଁ ଉନ୍ନତୀ କରିବାକୁ ଚିହ୍ନଟ କରାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବେ ଏହି ଏୟାରଷ୍ଟ୍ରିପର ବିକାଶ ପାଇଁ ୪୫ କୋଟି ଟଙ୍କା ମଞ୍ଜୁର କରିଛି।
ଏହି ଏୟାରଷ୍ଟ୍ରିପଟି ଭୁବନେଶ୍ୱର ଠାରୁ ଏହା ପ୍ରାୟ ୨୫୦ କିଲୋମିଟର ଦୂରରେ ରହିଛି। ଏହା ଦ୍ୱାରା ଏହି ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି ହେବା ସହ ମୟୂରଭଞ୍ଜବାସୀଙ୍କୁ ବିମାନ ଯାତ୍ରାର ସୁବିଧା ମିଳିବ ବୋଲି ଆଶା କରାଯାଉଛି। ଏହି ଏୟାରଷ୍ଟ୍ରିପକୁ ରିଜିଓନାଲ କନେକ୍ଟିଭିଟି ସ୍କିମ୍ (ଆରସିଏସ୍) ଅଧୀନରେ ‘ଉଡ଼ାଣ’ ଯୋଜନାରେ ବିକଶିତ କରାଯିବ। ଦେଶରେ ଅବ୍ୟବହୃତ ବିମାନ ବନ୍ଦରଗୁଡ଼ିକୁ ସଂଯୋଗ କରିବା ପାଇଁ ଆରସିଏସ ଏକ ସରକାରୀ ପଦକ୍ଷେପ।
ଏଟିଆର ୭୨-୬୦୦ ବିମାନକୁ ପରିଚାଳନା କରିବା ପାଇଁ ଏହି ଏୟାରଷ୍ଟ୍ରିପକୁ ବିକଶିତ କରାଯିବ। ଏହି ବିକାଶମୂଳକ କାମରେ ଏକ ନୂଆ ଟର୍ମିନାଲ ବିଲଡିଂ, ରନଓ୍ୱେ ନିର୍ମାଣ କରାଯିବ।
୨୦୨୩ ଶେଷ ସୁଦ୍ଧା ଏହି ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ଷମ ହେବା ପରେ ଏହାକୁ ଏୟାର ଟ୍ୟାକ୍ସି ସେବା ଦ୍ୱାରା ଭୁବନେଶ୍ୱର ସହ ସଂଯୋଗ କରାଯିବ। ମୟୂରଭଞ୍ଜ ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପର ବିକାଶ ଏକ ପ୍ରମୁଖ ପଦକ୍ଷେପ। ଏହା ଏ ଅଞ୍ଚଳର ଲୋକଙ୍କୁ ବିମାନ ଯାତ୍ରାର ବିକଳ୍ପ ଯୋଗାଇବା ସହ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ। ବିମାନ ବନ୍ଦରର ବିକାଶ ମଧ୍ୟ ସରକାରଙ୍କର ବିମାନ ଯାତ୍ରାକୁ ଶସ୍ତା ଓ ସମସ୍ତଙ୍କ ପାଇଁ ସୁଲଭ କରିବା ଲକ୍ଷ୍ୟ ସହ ସମାନ।
Comments are closed.