Latest Odisha News

BREAKING NEWS

ଜି-୨୦ ପାଇଁ ଦିଲ୍ଲୀର ଏନଡିଏମସି ଅଞ୍ଚଳର ଅଳ୍ପ ସ୍ଥାନ କଟକଣାରେ ରହିବ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜି ୨୦ ସମ୍ମିଳନୀରେ କେବଳ ନୂଆଦିଲ୍ଲୀ ମ୍ୟୁନିସିପାଲଟି କାଉନସିଲ (ଏନଡିଏମସି) ଅଞ୍ଚଳର ଏକ ଛୋଟ ଅଂଶ ଉପରେ କଟକଣା ରହିବ। ଦିଲ୍ଲୀର ବାକି ଅଞ୍ଚଳ ଖୋଲା ରହିବ। ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବା ସହ ବ୍ୟବସାୟିକ କାର୍ଯ୍ୟକଳାପ, ଅନଲାଇନ୍ ଡେଲିଭରି ସେବା, ପାଞ୍ଚ କିମ୍ବା ପାଞ୍ଚରୁ ଅଧିକ ଲୋକଙ୍କ ସମାବେଶ ଉପରେ କଟକଣା ଜାରି ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ତେବେ ଅତ୍ୟାବଶ୍ୟକୀୟ ସେବା ଯଥା କ୍ଷୀର ଦୋକାନ, ମେଡିକାଲ ଦୋକାନ, ହସ୍ପିଟାଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବା ଚାଲୁ ରହିବ। ଏଥିସହ ଅତ୍ୟାବଶ୍ୟକ ସେବା ପାଇଁ ଦିଆଯାଇଥିବା ବୈଧ ଅନୁମତିକୁ ସମ୍ମାନ ଦିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସେପ୍ଟେମ୍ବର ୯ରୁ ୧୦ ତାରିଖ ଯାଏଁ ପ୍ରଗତି ମଇଦାନରେ ନବନିର୍ମିତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ର ‘ଭାରତ ମଣ୍ଡପମ୍’ରେ ଜି-୨୦ ନେତା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି କଟକଣା ସମଗ୍ର ସହରରେ ଲାଗୁ ହେବ ବୋଲି ପୁଲିସ ପୂର୍ବରୁ କହିଥିବା ବେଳେ ଏବେ ଏହା ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିଛି।

କେତେକ ଗଣମାଧ୍ୟମରେ ଏହି କଟକଣାକୁ ଭୁଲ୍ ଅର୍ଥରେ ଉପସ୍ଥାପନ କରି ଭୁଲ୍ ସୂଚନା ଦେବା ପରେ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ଏହି ସ୍ପଷ୍ଟୀକରଣ ଦିଆଯାଇଛି।

Leave A Reply

Your email address will not be published.