Latest Odisha News

BREAKING NEWS

ଭାରତ ବନାମ ଇଣ୍ଡିଆ ବିବାଦର ଘଟିଲା ଅନ୍ତ, ବଦଳିବ ନାହିଁ ଦେଶର ନାମ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହାର ଏଜେଣ୍ଡାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏହି ସମୟରେ ଦେଶର ନାମକୁ ନେଇ ଏକ ରାଜନୈତିକ ବିବାଦ ଉପୁଜିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜି-୨୦ ରାତ୍ରିଭୋଜନରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିବା କାର୍ଡରୁ ଇଣ୍ଡିଆ ଏବେ ଭାରତ ବୋଲି ନାମିତ ହେବା ନେଇ ବିତର୍କ ଆରମ୍ଭ ହୋଇଛି।

ଏସବୁ ମଧ୍ୟରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଦେଶର ନାମ ପରିବର୍ତ୍ତନକୁ ନେଇ ହୋଇଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅନୁରାଗ ଠାକୁର କହିଛନ୍ତି ଦେଶର ନାମ ପରିବର୍ତ୍ତନ ହେବା ଖବର ଗୁଜବ। ଯିଏ ଭାରତ ଶବ୍ଦକୁ ବିରୋଧ କରୁଛନ୍ତି ସେମାନଙ୍କର ମାନସିକତାକୁ ସ୍ପଷ୍ଟ ଭାବରେ ଦର୍ଶାଏ ଯେ ସେମାନେ ଦେଶକୁ କେତେ ଭଲ ପାଆନ୍ତି। ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ର ଉପରେ ସେ କହିଛନ୍ତି ଯେ, ସେ ଭାରତର ରାଷ୍ଟ୍ରପତି, ତେଣୁ ଏହି ପତ୍ରରେ ଭାରତର ରାଷ୍ଟ୍ରପତି ଲେଖାଯାଇଛି। ଏଥିରେ କଣ ଅସବୁଧା ରହିଛି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ।

ଅନୁରାଗ ଠାକୁର କହିଛନ୍ତି, “ମୁଁ ଭାରତ ସରକାରରେ ଜଣେ ମନ୍ତ୍ରୀ। ଏଥିରେ କିଛି ନୂଆ ନାହିଁ। ଜି-୨୦,୨୦୨୩ ର ବ୍ରାଣ୍ଡିଂ ଲୋଗୋରେ ଉଭୟ ଭାରତ ଏବଂ ଇଣ୍ଡିଆ ଲେଖାହୋଇଛି। ତେବେ ଭାରତ ନାମରେ ଆପତ୍ତି କାହିଁକି? ଏହା ସେମାନଙ୍କର ମାନସିକତାକୁ ଦର୍ଶାଏ, ଯେଉଁମାନେ ଭାରତ ବିରୁଦ୍ଧରେ ଅଛନ୍ତି। ଯେତେବେଳେ ସେମାନେ ବିଦେଶ ଯାଆନ୍ତି, ସେତେବେଳେ ସେମାନେ ଭାରତକୁ ସମାଲୋଚନା କରନ୍ତି। ଯେତେବେଳେ ସେମାନେ ଭାରତରେ ଥାଆନ୍ତି, ସେତେବେଳେ ସେମାନେ ଭାରତ ନାମକୁ ଆପତ୍ତି କରନ୍ତି। ଏହି ଚିନ୍ତାଧାରାକୁ ବଦଳାଇବା ଦରକାର।”

Comments are closed.