Latest Odisha News

BREAKING NEWS

ଏହି ମାସ ୨୫ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ୨୫ ତାରିଖରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି । ସୋମନଙ୍କ ବିବାହ କାର୍ଡ଼ ମଧ୍ୟ ଛପା ହୋଇସାରିଥିବା ବେଳେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେମାନଙ୍କ ବିବାହ ରାଜସ୍ଥାନର ଉଦୟପୁରର ଲିଲା ପ୍ୟାଲେସ୍‌ରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ । ବିବାହରେ କେବଳ ପରିବାର ଲୋକେ ଏବଂ କିଛି ଖାସ୍ ବନ୍ଧୁ ଯୋଗ ଦେବେ ।

ସେପ୍ଟେମ୍ବର ୨୩ ତାରିଖରେ ପରିଣୀତି-ରାଘବଙ୍କ ହଳଦୀ ସେରିମୋନି ଓ ୨୪ରେ ମେହେନ୍ଦି ଏବଂ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହେବ । ୨୫ରେ ଉଭୟଙ୍କ ବିବାହ ଆୟୋଜିତ ହେବ । ବିବାହରେ ଯୋଗଦେବା ପାଇଁ ସମସ୍ତ ସମ୍ପର୍କୀୟମାନେ ୨୨ତାରିଖରେ ଉଦୟପୁରରେ ପହଞ୍ଚିବେ । ସେମାନଙ୍କ ରହିବା ଲାଗି ଉଦୟପୁରସ୍ଥିତ ଉଦୟବିଲାସ ହୋଟେଲ ସମେତ ଆଖପାଖରେ ଥିବା ତିନିଟି ହୋଟେଲ ବୁକ କରାଯାଇଛି । ଏଥିରେ ୫୦ରୁ ଅଧିକ ରାଜନେତା, ଷ୍ଟାର, ଭିଆଇପି ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନେ ବି ସାମିଲ ରହିବେ ବୋଲି କୁହାଯାଉଛି । ଏହି ବିବାହରେ ପ୍ରିୟଙ୍କା ଏବଂ ନିକ ମଧ୍ୟ ଯୋଗ ଦେବେ । ବିବାହ ପରେ ଗୁରୁଗ୍ରାମରେ ରିସେପ୍ସନ ପାର୍ଟି ଅନୁଷ୍ଠିତ ହେବ । ଦୁଇମାସ ପୂର୍ବରୁ ରାଘବ ଓ ପରିଣୀତି ଉଦୟପୁର ଆସି ହୋଟେଲର ଲୋକେସନ ଦେଖି ବିବାହ ପାଇଁ ଚୟନ କରି ଯାଇଥିଲେ ।

କିଛି ଦିନ ଧରି ଉଭୟ ପରସ୍ପରକୁ ଡେଟିଂ କରିବା ପରେ ଗତ ମେ ୧୩ ତାରିଖରେ ନିର୍ବନ୍ଧରୀତି ଅନୁଷ୍ଠିତ ହୋଇଥିଲା । ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଆୟୋଜିତ ହୋଇଥିଲା । ଏଥିରେ ପ୍ରାୟ ୧୫୦ ଜଣ ଅତିଥି ସାମିଲ ହୋଇଥିଲେ । ରାଘବ ଏବଂ ପରିଣୀତି ପରସ୍ପରକୁ କଲେଜ ବେଳୁ ଜାଣିଥିଲେ ।

Comments are closed.