ଭୁବନେଶ୍ୱର: ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାରୁ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ବଂଚିତ ହେଉଛନ୍ତି । ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ୧୧୮୨ଟି ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଟି ଆୟୁଷ ଚିକିତ୍ସାଳୟ କାର୍ଯ୍ୟ କରୁଛି । ୧୧୪ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦୭ଟି ବ୍ଲକରେ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ମୋଦି ସରକାର ଆୟୁଷ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ଏହାକୁ ଅବହେଳା କରୁଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ ଆଣିଛି ।
୩୧ ଅଗଷ୍ଟରୁ ଆଜିଯାଏ ଆନ୍ଦୋଳନରତ “ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ” ସମେତ ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଆଜି ଭେଟିଛି ରାଜ୍ୟ ବିଜେପିର ଏକ ଟିମ । ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ପ୍ରତିନିଧିତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଘଟଣା ସ୍ଥଳକୁ ଯାଇ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ରାଜ୍ୟ ସରକାର ହୋମିଓପାଥୀ ଓ ଆୟୁର୍ବେଦିକ ଚିକିତ୍ସା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରି ବିଜେପି କହିଛି, ନିରାମୟ, ନିଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବରେ ଗୋଟିଏ ବି ଯୋଜନା “ଆୟୁଷ ଚିକିତ୍ସା”ରେ ସାମିଲ କରାଯାଇ ନାହିଁ । ରାଜ୍ୟ ସରକାର ହୋମିଓପ୍ୟାଥି ଓ ଆୟୁର୍ବେଦ ଶିକ୍ଷା ଏବଂ ଚିକିତ୍ସାକୁ ଲୋକାଭିମୁଖ୍ୟ କରିବାରେ ବୈମାତୃକ ମନୋଭାବ ଓ ଚରମ ଉଦାସୀନତା ପ୍ରକାଶ କରିଛନ୍ତି ।
ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ୧୧୮୨ଟି ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଟି ଆୟୁଷ ଚିକିତ୍ସାଳୟ କାର୍ଯ୍ୟ କରୁଛି । ୧୧୪ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦୭ଟି ବ୍ଲକରେ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ଓଡ଼ିଶାର ୪୦,୦୦୦ ଜନସାଧାରଣଙ୍କ ନିମନ୍ତେ ଜଣେ ଡାକ୍ତର ନିୟୋଜିତ । ମୋଦି ସରକାରଙ୍କ “ଆୟୁଷ୍ମାନ ଭାରତ” ଅନ୍ତର୍ଗତ “ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର” ନିୟମ ଅନୁଯାୟୀ ପ୍ରତି ୫୦୦୦ ଜନସାଧାରଣଙ୍କ ପାଇଁ ଜଣେ ଡାକ୍ତର ରଖିବା କଥା । କିନ୍ତୁ ଦୁଃଖର ବିଷୟ ଯେ, ନବୀନ ସରକାର ସେଥିରେ ବିଫଳ । ଓଡ଼ିଶାରେ ୯ଟି ଚିକିତ୍ସାଳୟରୁ ୭ଟି ଶିକ୍ଷାନୁଷ୍ଠାନ ସହ ସଂଲଗ୍ନ । ଏହି ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ, ଏକ୍ସରେ ରହିବା କଥା କିନ୍ତୁ ଗୋଟିଏ ଚିକିତ୍ସାଳୟରେ ବି ନାହିଁ ଯାହା ରାଜ୍ୟ ସରକାରଙ୍କ ଉଦାସୀନତାର ଏକ ନଗ୍ନ ଚିତ୍ରକୁ ଦର୍ଶାଉଛି ।
ମୋଦି ସରକାର ଆୟୁଷ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ସେଥିରୁ ବିଚୁତି ରହୁଛନ୍ତି । ଯଥାଶୀଘ୍ର ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଯନ୍ତ୍ରପାତି, ପୁସ୍ତକ ଯୋଗାଇ ଦେବାକୁ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଦାବି କରିଛନ୍ତି । ରାଜ୍ୟ ସରକାର ନିରାମୟ, ନିଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ବାସ୍ତବରେ ଗୋଟିଏ ବି ଯୋଜନା “ଆୟୁଷ ଚିକିତ୍ସା”ରେ ସାମିଲ କରାଯାଇ ନାହିଁ । ଏହା କ’ଣ ରାଜ୍ୟ ସରକାରଙ୍କ “ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶାର” ଚିତ୍ର ।
ରାଜ୍ୟ ସରକାରଙ୍କ ବିନା ସହଯୋଗରେ ବାର୍ଷିକ ୩୦ଲକ୍ଷ ରୋଗୀ ଆୟୁଷ ଚିକିତ୍ସା ମାଧ୍ୟମରେ ନିରୋଗ ରହୁଛନ୍ତି । ଆୟୁଷ ଚିକିତ୍ସାକୁ ରାଜ୍ୟ ସରକାର
ପ୍ରାଧାନ୍ୟ ଦିଅନ୍ତୁ, ଆୟୁଷ ଡାକ୍ତରମାନେ ଆଧୁନିକ ଡାକ୍ତରଙ୍କ ସମାନ ଭତା ଦିଅନ୍ତୁ ରାଜ୍ୟ ସରକାର । ସରକାର ରାଜ୍ୟର ପ୍ରତ୍ୟେକ
ପଂଚାୟତରେ ଗୋଟିଏ “ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର” ଖୋଲିବା ସହ ପ୍ରତିବର୍ଷ ଅନ୍ୟୁନ ୨୦୦ ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲନ୍ତୁ ବୋଲି ରାଜ୍ୟ
ମୁଖପାତ୍ର ଦିଲ୍ଲୀପ ମହାନ୍ତି ଦାବି କରିଛନ୍ତି ।
Comments are closed.