ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋଗୋ ଥିବା ନେଇ ବିବାଦ ଦେଖାଦେଇଛି। ଟି-ସାର୍ଟକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଏକ ପ୍ରକାର ଘେରାବନ୍ଦୀ କରି ସରକାରୀ ଅଧିକାରୀଙ୍କୁ ଏକା ମାଘକେ ଶୀତ ଯାଏନେ ବୋଲି ଚେତାବନୀ ଦେଉଥିବା ବେଳେ ଏସପି ଓ ଜିଲ୍ଲାପାଳଙ୍କ ପାଇଁ ଆଗକୁ ବାହାରିଛି ବିଜେଡି। ଆଉ ସରକାରୀ ଅଧିକାରୀ କୌଣସି ଭୁଲ କରିନାହାନ୍ତି ବୋଲି ଶାସକ ଦଳ ଦାବି କରିଛି।
ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ସୋମବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କଡ଼ା ଜବାବ ଦେବାକୁ ଯାଇ କହିଛନ୍ତି, ନବୀନ ଜଣେ ମୁଖ୍ୟମନ୍ତ୍ରୀ। ସେ ସାମ୍ବିଧାନିକ ପଦବୀରେ ଅଛନ୍ତି। ଆୟୋଜିତ କାର୍ଯ୍ୟକ୍ରମ ସରକାରୀ ଥିଲା। ଏସପି ଓ ଜିଲ୍ଲାପାଳଙ୍କ ଟି-ସାର୍ଟରେ ଶଙ୍ଖ ଚିହ୍ନ ନାହିଁ। ବିଜେଡିର ଚିହ୍ନ ଶଙ୍ଖ। ତେଣୁ ପିନ୍ଧିବାରେ କୌଣସି ଆପତ୍ତି ନାହିଁ କହି ସରକାରୀ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା କାମକୁ ସଠିକ ବୋଲି କହିଛନ୍ତି ପ୍ରଦୀପ ମାଝୀ।
ଏକ ଭିଡିଓ ଜାରି କରି ପ୍ରଦୀପ ମାଝୀ କହିଛନ୍ତି ଯେ, ବିଜେପି ସାଂସଦ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଦୁର୍ଭାଗ୍ୟଜନକ କାରଣ ଯେଉଁ ସମୟରେ ଜିଲ୍ଲାପାଳ ନବୀନଙ୍କ ଲୋଗୋ ଥିବା ଟି-ସାର୍ଟ ପିନ୍ଧିଥିଲେ ତାହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା, କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ।
ଆଦିବାସୀ ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ଏସଡିସି ପକ୍ଷରୁ ବାରିପଦାରେ ମିନି ମାରାଥନର ଆୟୋଜନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଲୋଗୋ ଥିବା ଟି-ସାର୍ଟ ପିନ୍ଧିଥିବା ପୂର୍ବତନ ସାଂସଦ କହିଛନ୍ତି।
ଭୁବନେଶ୍ୱର ସାଂସଦଙ୍କ ସମାଲୋଚନା ରାଜ୍ୟର ଆଦିବାସୀଙ୍କ ପ୍ରତି ଅପମାନ, ଯିଏ ତାଙ୍କୁ କେବେ କ୍ଷମା କରିବେ ନାହିଁ ବୋଲି ପ୍ରଦୀପ ମାଝୀ ଦାବି କରିଛନ୍ତି।
ନବୀନଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ କଡ଼ା ଭାଷାରେ ନାପସନ୍ଦ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି।ଜିଲ୍ଲାପାଳଙ୍କ ଦ୍ୱାରା କରାଯାଇଥିବା କାମ ସରକାରୀ ନିୟମର ଅବକ୍ଷୟ। ଏହି ଅଧିକାରୀମାନେ ଜାଣି ରଖିବା ଉଚିତ ଯେ ଋତୁ ସବୁବେଳେ ସମାନ ନୁହେଁ।
Comments are closed.