ନୂଆଦିଲ୍ଲୀ: ଆଉ ଖସିବାର ବାଟ ପାଇବେନି ଦୁର୍ନୀତିଗ୍ରସ୍ତ ଅଫିସର । ଦୁର୍ନୀତି କଲେ ଆଉ ଖସି ପାରିବେନି ବରିଷ୍ଠ IAS ଓ IPS ଅଫିସର । ମାଡି ବସିବ ସିବିଆଇ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ବି ଦରକାର ପଡିବନି । ସୁପ୍ରିମକୋର୍ଟଙ୍କ ୫-ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଦେଇଛନ୍ତି I
ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କର ୫-ଜଣିଆ ସମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଦୁର୍ନୀତି ଅଭିଯୁକ୍ତ ବରିଷ୍ଠ ବାବୁଙ୍କ ବିରୋଧରେ ସିବିଆଇ ତଦନ୍ତ କରିପାରିବେ । ଏଥିପାଇଁ ସରକାରଙ୍କ ଅନୁମତିର ଆବଶ୍ୟକତା ନାହିଁ ।
୨୦୦୩ରୁ Section 6A of DPSE(Delhi Special Police Establishment) Act, 1946 ଅନୁଯାୟୀ, ଜଏଣ୍ଟ ସେକ୍ରେଟେରୀ କିମ୍ବା ତଦୁର୍ଦ୍ଧ୍ୱ ପାହ୍ୟାର ବରଷ୍ଠ ବାବୁଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହିଁଲେ ସରକାରଙ୍କ ଅନୁମତିର ଆବଶ୍ୟକ ହେଉଥିଲା । ହେଲେ ଏବେ ଏହି ନିୟମକୁ ସୁପ୍ରିମ କୋର୍ଟ ହଟାଇ ଦେଇଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି, ଦୁର୍ନୀତି ହେଉଛି ଦେଶର ବଡ ଶତ୍ରୁ । ତେଣୁ ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ ବିରୋଧରେ ପଦକ୍ଷେପ ନେବା ପାଇଁ ସରକାରଙ୍କ ଅନୁମତି ଦରକାର ପଡୁଥିବାରୁ ତଦନ୍ତ ଅଧାବାଟରେ ଅଟକି ଯାଉଥିଲା । ଏବେ ସିବିଆଇ ଅଧିକ ସ୍ୱାଧୀନତାର ସହ ମାମଲାର ତଦନ୍ତ କରିପାରିବ ।
ଏହି ରାୟ ପରେ ମେ’ ୨୦୧୪ ପୂର୍ବରୁ ଆଗତ ଭ୍ରଷ୍ଟାଚାର ମାମଲାରେ ଅଧିକାରୀଙ୍କୁ ଗିରଫ କରିବା ନେଇ ସଂରକ୍ଷଣ ମିଳିବ ନାହିଁ । ସୁପ୍ରିମ କୋର୍ଟ ସ୍ପଷ୍ଟ କହିଛନ୍ତି, କୋର୍ଟ ସରକାରୀ ଅଧିକାରୀଙ୍କ ଗିରଫଦାରୀ ଏବଂ ତଦନ୍ତରେ ସଂରକ୍ଷଣ ସୁବିଧାକୁ ରଦ୍ଦ କରି ଦେଇଛନ୍ତି ।
ସୋମବାର କୋର୍ଟ ଏହି ନିଷ୍ପତ୍ତି ଶୁଣାଇ ଏକଥା ମଧ୍ୟ କହିଥିଲେ ଯେ, ଏହି ନିୟମ ସେବେଠାରୁ କାର୍ଯ୍ୟକାରୀ ହେବ ଯେବେଠାରୁ ଏହା ଲାଗୁ କରାଯାଇଛି । କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଯେଉଁ କେନ୍ଦ୍ରୀୟ କର୍ମଚାରୀଙ୍କ ବିରୋଧରେ ୨୦୦୩ରୁ ୨୦୧୪ ମଧ୍ୟରେ ମୋକଦ୍ଦମା ହୋଇ ଗିରଫ ହୋଇଛନ୍ତି ସେମାନେ ଏହି ଆଇନ ଦେଖାଇ ଖସି ପାରିବେ ନାହିଁ ।
୨୦୦୪ରେ ଦିଲ୍ଲୀ ଚିଫ ମେଡିକାଲ ଅଫିସର ଆରଆର କିଶୋରଙ୍କୁ ଲାଞ୍ଚ ନେବାବେଳେ ରେଡ ହାଣ୍ଡରେ ଧରିଥିଲା ସିବିଆଇ । ହେଲେ ଏହି ଆଇନକୁ ଆଧାର କରି ସେ ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ଗିରଫ ପୂର୍ବରୁ ସିବିଆଇ ଅଥରିଟିଙ୍କ ମଞ୍ଜୁରୀ ନେଇ ନ ଥିଲା । ହେଲେ ସିବିଆଇ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ, ସେ ରେଡ ହାଣ୍ଡରେ ଧରାପଡିଥିଲେ । ତେଣୁ ଅନୁମତିର ଆବଶ୍ୟକତା ନ ଥିଲା ।
ମାମଲାର ବିଚାର କରି ହାଇକୋର୍ଟ ଆରଆର କିଶୋରଙ୍କ ସପକ୍ଷରେ ରାୟ ଦେଇଥିଲେ । ଅବଶ୍ୟ ହାଇକୋର୍ଟ ଆରଆର କିଶୋରଙ୍କ ବିରୋଧରେ ମାମଲାକୁ ଶେଷ କରି ନ ଥିଲେ । ତେବେ ସିବିଆଇକୁ କେନ୍ଦ୍ର ସରକାରଙ୍କ ଅନୁମତି ନେଇ ପୁଣି ଥରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୭ରେ ସିବିଆଇ ହାଇକୋର୍ଟଙ୍କ ରାୟଙ୍କୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ।
ଯାହା ବି ହେଉ, ଏପରି ରାୟ ଆସିବା ପରେ ଦୁର୍ନୀତିଗ୍ରସ୍ତ ବଡ ବାବୁମାନଙ୍କ ଆଖିରୁ ନିଦ ହଜିଗଲାଣି । ଓଡ଼ିଶାରେ ଥିବା ୧୨ରୁ ଅଧିକ ବରିଷ୍ଠ ଅଫିସର ଏବେ ଟେନସନରେ ।
Comments are closed.