ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ । ତେବେ ମଣିଷ, ଜୀବଜନ୍ତୁ କି ଉଦ୍ଭିଦର ମୃତ୍ୟୁ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । ମଣିଷର ମୃତ୍ୟୁ ପରେ ପରିବାର ଲୋକେ ତାଙ୍କୁ ଶ୍ମଶାନରେ ପୋଡିଥା’ନ୍ତି କିମ୍ବା କବରରେ ପୋତି ଦେଇଥା’ନ୍ତି । କେବେ ନିର୍ଜୀବ ବସ୍ତୁର ମୃତ୍ୟୁ ହେବା ଓ ତାକୁ କବର ଦେବା ଶୁଣିଛନ୍ତି ? ଇଂଲଣ୍ଡରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଜାହାଜମାନଙ୍କର ମୃତ୍ୟୁ ପରେ କବର ଦିଆଯାଏ । ଏହି କାରଣରୁ ଏହି ସ୍ଥାନକୁ ‘ଜାହାଜର କବରସ୍ଥାନ’ ମଧ୍ୟ କୁହାଯାଏ ।
ଇଂଲଣ୍ଡର ଗ୍ଲୁକେଷ୍ଟେରେଶେରର ସବର୍ନ ନଦୀ ନିକଟରେ ପର୍ଟନ ହଲ୍କସ ଅଛି । ଏହି ସ୍ଥାନଟି ଜାହାଜର କବରସ୍ଥାନ ଭାବରେ ବେଶ୍ ପରିଚିତ । ଅଧିକାଂଶ ଜାହାଜ ଭାଙ୍ଗି ରୁଜି ଏଠାରେ ପଡି ରହିଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସ୍ଥାନରେ ଥିବା ସମସ୍ତ ଜାହାଜ ଏବେ ପଥରରେ ପରିଣତ ହୋଇଯାଇଛନ୍ତି ।
ପ୍ରାୟ ୨୦୦ ବର୍ଷ ପୂର୍ବେ, ସବର୍ନ ନଦୀର ଏକ ବିପଦପୂର୍ଣ୍ଣ ଭାଗକୁ ପାର କରିବା ପାଇଁ ଗ୍ଲୁକେଷ୍ଟେରେଶେର ଓ ଶାର୍ପନିସ ନାମକ ଦୁଇଟି ଅଞ୍ଚଳ ମଧ୍ୟରେ ଏକ କେନାଲ ଖୋଳା ଯାଇଥିଲା । ୧୮୨୭ ମସିହାରେ ଖୋଳା ହୋଇଥିବା ଏହି କେନାଲର ମୋଟେଇ ପ୍ରାୟ ୨୬ ମିଟର ଥିଲା । ଏହା ପ୍ରାୟ ୫.୫ ମିଟର ଗଭୀର ଥିଲା । ଏଥିରେ ପ୍ରାୟ ୬୦୦ ଟନ ଓଜନର ଜାହାଜ ରହିପାରୁଥିଲା । ୧୯୦୯ମସିହାରେ, ନଦୀର ସେହି କୂଳ ସମ୍ପୂର୍ଣ୍ଣ ଧୋଇ ହୋଇଗଲା । ଏହି ସମସ୍ୟାର ସମାଧାନ ପାଇଁ କେନାଲ ନିର୍ମାଣକାରୀ କମ୍ପାନୀର ମୁଖ୍ୟ ଇଞ୍ଜିନିୟର ଏକ ଯୋଜନା ପ୍ରସ୍ତୁତ କରିଥିଲେ । ପୁରୁଣା ଜାହାଜଗୁଡ଼ିକୁ ନଦୀ କୂଳରେ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ । ଯାହା ଦ୍ୱାରା କେନାଲ ଏବଂ ନଦୀ ମଧ୍ୟରେ ଥିବା ଛୋଟ ଜମିକୁ ବନ୍ୟା ପରିସ୍ଥିତିରୁ ରକ୍ଷା କରାଯାଇପାରିବ । ଜାହାଜକୁ ରଖିବା ଦ୍ୱାରା ବନ୍ୟା ଜଳ ସ୍ଥଳଭାଗକୁ ଆସିବ ନାହିଁ ଏବଂ ଜମି ସୁରକ୍ଷିତ ରହିବ ।
ପରେ ସାର୍ପନେସ ଡକ୍ରୁ ଡଜନେ ପୁରୁଣା ଜାହାଜକୁ ଅଣାଗଲା । ସେମାନଙ୍କୁ ନଦୀ କୂଳରେ ଏପରି ରଖାଯାଇଥିଲା ଯେପରି ସ୍ଥଳଭାଗକୁ ପାଣି ଆସି ପାରିବ ନାହିଁ । ଜାହାଜଗୁଡିକରେ ଛିଦ୍ର ତିଆରି କରାଯାଇଥିଲା ଯାହା ଦ୍ୱାରା ବନ୍ୟା ଜଳରେ ଆସୁଥିବା ମାଟି ଜାହାଜରେ ଜମା ହୋଇଯିବ । ଏହାଦ୍ୱାରା ଜାହାଜଗୁଡ଼ିକ ଭାରୀ ହୋଇଯିବ । ସେଗୁଡ଼ିକ ଜଳପ୍ରବାହକୁ ରୋକିବା ସହ ଭାସିଯିବେ ନାହିଁ । ଧୀରେ ଧୀରେ ଜାହାଜଗୁଡିକରେ ମାଟି ଜମି କଠିନ ହୋଇଗଲା । ଏବେ ବି ସେହି ଜାହାଜଗୁଡ଼ିକ ଦୀର୍ଘ ବର୍ଷ ଧରି ସେହି ସ୍ଥାନରେ ପଡ଼ି ରହିଛି । ମାଟି ଜମି ସେଗୁଡିକ ଏପରି ହୋଇଯାଇଛନ୍ତି କି ଯିଏବି ଦେଖିବ ସେଗୁଡିକୁ ପାହାଡ କିମ୍ବା କଠିନ ଚଟାଣ ବୋଲି କହିବ । ସବର୍ନ ନଦୀ କୂଳରେ ବର୍ତ୍ତମାନ ପ୍ରାୟ ୮୦ଟି ଜାହାଜ ମୃତପ୍ରାୟ ଅବସ୍ଥାରେ ରହିଛିି । ଯେଉଁଥି ପାଇଁ ସେହି ସ୍ଥାନକୁ ଜାହାଜର କବର ସ୍ଥାନ ବୋଲି କୁହାଯାଉଛି ।
Comments are closed.