କଟକ: ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇ ସୁନା ଲୁଟ କରିବା ଘଟଣାରେ ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଗତ ୬ ତାରିଖ ଦିନ କନ୍ଦରପୁର ମତଗଜପୁର ଅଞ୍ଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କ ଉପରକୁ ଗୁଳି ଚଳାଇ ଏକ ଡକାୟତ ଗ୍ୟାଙ୍ଗର ସଦସ୍ୟମାନେ ଲୁଟ କରିଥିଲେ। ଏହି ଘଟଣାରେ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣା ଓରଫ ମଙ୍ଗୁକୁ ପୋଲିସ ଦୁଇ ଦିନ ତଳେ ଏନକାଉଣ୍ଟର କରିଥିଲା।
ଏବେ ପୋଲିସ ଏହି ଗ୍ୟାଙ୍ଗର ଆଉ ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଅନୁସାରେ ଗତ ୬ ତାରିଖରେ କନ୍ଦରପୁର ଥାନା ଅଧୀନରେ ଥିବା ଲେଭଲ କ୍ରସିଂର ବିପରୀତ ଦିଗରେ ଗୋଟିଏ ଡକାୟତି ମାମଲା ଘଟିଥିଲା। ୩ଟି ବାଇକରେ କିଛି ଯୁବକ ଜଣେ ଖୁଚାରା ସୁନା ବ୍ୟବସାୟୀଙ୍କୁ ଅଟକାଇବା ସହ ତାଙ୍କୁ ମାଡ଼ ମାରିଥିଲେ। ଏପରି କି ୩ ରାଉଣ୍ଡ ଗୁଳି ଫୁଟାଇଥିଲେ। ସୌଭାଗ୍ୟବଶତଃ ବ୍ୟବସାୟୀଙ୍କ ଦେହରେ ଗୁଳି ମାଡ଼ ହୋଇନଥିଲା। ଗୁଳି କରି ସେମାନେ ବିକାଶଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଓ ନଗଦ ୨୫ ହଜାର ଟଙ୍କା ଲୁଟି ନେଇଥିଲେ।
ଏନେଇ ସଦର ଥାନାରେ ମଧ୍ୟ ଗୋଟିଏ ମାମଲା ରୁଜୁ କରାଯାଇଛି। ଦୁଇ ଦିନ ତଳେ ମଙ୍ଗୁକୁ ଏନକାଉଣ୍ଟର କରିଥିଲା। ମଙ୍ଗୁ ଆହତ ହୋଇ ଏବେ ଚିକିତ୍ସିତ ହେଉଛି। ସେହିପରି ଘଟଣା ଦିନ ଠାରୁ ଗୋଟିଏ ସ୍ୱତନ୍ତ୍ର ଟିମ ଏହାର ତଦନ୍ତ ଆରମ୍ଭ କରିଥିଲା। ତେବେ ଆଜି ପୋଲିସ ସଫଳତାର ସହ ୬ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ଦୁଇଟି ସୁନା ଚୁଡ଼ି,କିଛି ରୂପା ଅଳଙ୍କାର, ୩ ଟି ଅଫୁଟା ଗୁଳି ଜବତ କରିଛି। ସେହିପରି ବାଇକ ମଧ୍ୟ ଜବତ କରାଯିବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
Comments are closed.