ଶ୍ରୀନଗର:ଅନନ୍ତନାଗରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଅପରେଶନ ଏବେ ବି ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀ କୋକରନାଗ ନିକଟରେ ଥିବା ଆତଙ୍କୀ ଶିବିର ପାଖରେ ପହଞ୍ଚି ଏହାକୁ ଚାରି ଦିଗରୁ ଘେରି ରଖିଛନ୍ତି । ଏହି ଶିବିରରେ ଲୁଚି ରହି ଆତଙ୍କୀମାନେ ଲଗାତାର ଗୁଳିବର୍ଷା କରୁଥିଲେ । ୬ ଦିନ ଧରି ଲାଗି ରହିଥିବା ଏହି ଅପରେଶନରେ ଆତଙ୍କୀ ଗୁମ୍ଫା ନିକଟରେ ପହଞ୍ଚିଛନ୍ତି ସେନା । ସେଠାରେ ଆତଙ୍କୀଙ୍କ ଜଳି ଯାଇଥିବା ଶବକୁ ଠାବ କରାଯାଇଛି । ଶବକୁ ଚିହ୍ନଟ କରା ଯାଇନାହିଁ । ତେବେ ଏହା ଉଜୈର ଖାନର ବୋଲି ଅନୁମାନ କରାଯାଉଛି । ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯିବ ବୋଲି କୁହାଯାଉଛି ।
କୋକରନାଗର ଗଡୋଲ ଏରିଆରେ ମଙ୍ଗଳବାରଠାରୁ ଆତଙ୍କବାଦୀ ବିରୋଧୀ ଅପରେଶନ ଚାଲୁ ରିହଛି । ତେବେ ବର୍ଷା ଯୋଗୁ ଶନିବାର ରାତିରେ ଗୁଳିବର୍ଷା ବନ୍ଦ ରହିଥିଲା । ହେଲେ ଭାରତୀୟ ସେନା ଲଗାତାର ଡ୍ରୋନ ଜରିଆରେ ଆତଙ୍କୀଙ୍କ ଉପରେ ନଜର ରଖିଥିଲେ ।
କୁହାଯାଉଥିଲା ଲସ୍କରର ୨ରୁ ୩ ଜଣ ଆତଙ୍କୀ ଏଠାରେ ଲୁଚି ରହିଛନ୍ତି । ଏମାନଙ୍କ ମଧ୍ୟରେ ଗତବର୍ଷ ଲସ୍କରରେ ସାମିଲ ହୋଇଥିବା ଉଜୈର ଖାନ ଥିବା କୁହାଯାଉଛି । ହାଜିର ଖାନ ଏହି ଇଲାକାର ଭୌଗଳିକ ସ୍ଥିତି ବିଷୟରେ ଭଲ ଭାବେ ଜାଣିଛି । ତେବେ ବର୍ଷା ଯୋଗୁ ଏହି ଘଞ୍ଚ ଜଙ୍ଗଲରେ ଭିଜିବିଲିଟି କମ ରହୁଥିବାରୁ ଅପରେଶନ ବିପଦପୂର୍ଣ୍ଣ ଥିବାରୁ ଶନିବାର ଏହାକୁ ବନ୍ଦ ରଖା ଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ ଆତଙ୍କୀଙ୍କ ପକ୍ଷରୁ ଫାୟାରିଂ ବନ୍ଦ ରହିଛି । ହେଲେ ଯେ ପର୍ଯ୍ୟନ୍ତ ଏହି ସ୍ଥାନକୁ ସଂପୂର୍ଣ୍ଣ ତଲାସୀ ନିଆ ନ ଯାଇଛି ସେ ପର୍ଯ୍ୟନ୍ତ ସେନା ସେଠାରୁ ଫେରିବ ନାହିଁ । ଏପରିକି ଆତଙ୍କୀ ଏଠାରେ ଆଇଡି ଲୁଚାଇ ରଖିଥିବା ଆଶଙ୍କା ମଧ୍ୟ କରାଯାଉଛି । ତେଣୁ ସେନାକୁ ଖୁବ ସାବଧାନତା ସହ ଆଗେଇବାକୁ ପଡୁଛି । ଏଥିପାଇଁ ତାଲିମପ୍ରାପ୍ତ କୁକୁର ଏବଂ ବିସ୍ଫୋରକ ସାମଗ୍ରୀଙ୍କୁ ଚିହ୍ନଟ କରିପାରୁ ଥିବା ଟେକ୍ନୋଲଜିର ବ୍ୟବହାର କରୁଛନ୍ତି ସେନାବାହିନୀ । ଯଦି କେଉଁଠି ବି ବିସ୍ଫୋରକ ମିଳିବ ତେବେ ତାହାକୁ ତୁରନ୍ତ ଡିଫ୍ୟୁଜ କରାବାର ବ୍ୟବସ୍ଥା ବି କରାଯାଇଛି ।
ଶିବିରରେ ଆତଙ୍କୀଙ୍କ ମୃତ ଦେହ ମିଳିପାରେ ବୋଲି ସେନା ପକ୍ଷରୁ କୁହାଯାଉଛି । ଯଦି ବି ନଥିବ ତେବେ ଏଠାରୁ ଖସିବା ସହଜ ହେବନି ବୋଲି ସେନା ପକ୍ଷରୁ କୁହାଯାଇଛି । କାରଣ ସେନା ପୁରା ଇଲାକାକୁ କର୍ଡନ କରି ନେଇଛି । ଯେଉଁ ଆତଙ୍କୀଙ୍କ ପାଇଁ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶୀଷ ଏବଂ ଜମ୍ମୁକଶ୍ମୀର ପୋଲିସ ଡିଏସପି ହିମାୟୁଂ ଭଟ୍ଟଙ୍କ ପରି ଦକ୍ଷ ଅଫିସର ସହିଦ ହୋଇଛନ୍ତି ସେମାନଙ୍କୁ ଭାରତୀୟ ଯବାନ କୌଣସି ମୂଲ୍ୟ ବିନିମୟରେ ଛାଡିବେ ନାହିଁ ।
Comments are closed.