ସୁବର୍ଣ୍ଣପୁର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ସୋନପୁର ଗଡଜାତରେ ନୂଆଁଖାଇ ପାଇଁ ରହିଛି କିଛି ରୀତିନୀତି ଓ ପରମ୍ପରା। ଏହି ପବିତ୍ର ଦିନରେ ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ପାଖରେ ଲାଗିହୁଏ ନାନାଦି ଭୋଗ। ମାଁ ସୁରେଶ୍ୱରୀଙ୍କ ସମେତ ସହରର ଅଷ୍ଟଚଣ୍ଡୀଙ୍କ ପାଖକୁ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ଯାଏ ପାହୁର। ରାଜୁଡା ଅମଳର ଏହି ପାହୁର କିନ୍ତୁ ଆଜି ବି ମଳିନ ପଡି ନାହିଁ । ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମାଁ ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢି ସମଲେଇ ଆଦି ଅଷ୍ଟଚଣ୍ଡୀଙ୍କ ସମେତ ହନୁମାନଙ୍କ ପାଇଁ ପାହୁର ନୂଆଁଖାଇର ସ୍ୱତନ୍ତ୍ର ଭୋଗ ଖଞ୍ଜା କରାଯାଏ ।
ପାହୁର ଖଞ୍ଜାରେ କୁରେଇପତ୍ରରେ ତିଆରି ଖଲି ସହିତ ସରୁ ବାସମତୀ ଅରୁଆ ଚାଉଳ, ଘିଅ, ଗୁଡ, ପନିପରିବା, ପୀଠାପଣା ସାମଗ୍ରୀ, ନୂଆଁଧାନ, ପଞ୍ଚାମୃତ ଆଦିର ବ୍ୟବସ୍ଥା କରାଯାଏ। ଢୋଲ, ମହୁରୀ, ନିଶାନ ଆଦି ବାଦ୍ୟର ଏକ ବଡପଟୁଆରରେ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରା କରି ସମଲେଶ୍ୱରୀ ପୀଠରୁ ଅଷ୍ଟଚଣ୍ଡୀ ଓ ହନୁମାନଙ୍କ ପାଖକୁ ପହଞ୍ଚେ। ନିର୍ଦ୍ଧାରିତ ଲଗ୍ନ ଅନୁଯାଇ ଦେବା ଦେବୀଙ୍କ ପାଖରେ ଏସବୁର ଭୋଗ ପ୍ରସ୍ତୁତ ହୁଏ। ସୋନପୁର ଗଡଜାତର ଅଞ୍ଚଳ ବାସୀ ତଥା ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଲୋକେ ନବାନ୍ନ ଗ୍ରହଣ କରନ୍ତି।
ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଦେବାଦେବୀଙ୍କ ପାଖରେ ନୂଆଁ ସମର୍ପଣ କରାଯାଏ। ଇଷ୍ଟଦେବୀ ମାଁଙ୍କ ପାଖରେ ପାହୁର ଲାଗିବା ପରେ ଗଡଜାତବାସୀଙ୍କୁ ଆତସବାଜୀ ଦ୍ୱାରା ଜଣାଇ ଦିଆଯାଏ ନବାନ୍ନ ଗ୍ରହଣ କରିବାକୁ। ପୂର୍ବରୁ ରାଜପ୍ରସାଦରୁ ଏହି ପାହୁର ଯାଉଥିଲା। ହେଲେ ରାଜୁଡା ଶାସନ ପରେ ଏହି ଦାୟୀତ୍ୱ ସୁବର୍ଣ୍ଣପୁର ପୌରପରିଷଦ ନେଇଛନ୍ତି। ସୁବର୍ଣ୍ଣପୁର ରାଜ ପରିବାରର ସଦସ୍ଯଙ୍କୁ ଡକାଯାଇ ପାହୁର ଭୋଗ ବଣ୍ଟାଯାଇ ଅଷ୍ଟଚଣ୍ଡୀଙ୍କୁ ସମର୍ପଣ କରାଯାଏ। ନୂଆଁଖାଇ ପରି ଏକ କୃଷିଭିତ୍ତିକ ପର୍ବରେ ମଣିଷର ସାମାଜିକ ଓ ସାଂସ୍କୃତିକ ଭାବଧାରାରେ ଦେବାଦେବୀ ବି ବାନ୍ଧି ହୋଇ ରହିଛନ୍ତି ପାହୁର ଭଳି ପରମ୍ପରାରେ। ଆଜି ବି ଏ ପରମ୍ପରାକୁ ବଜାୟ ରଖାଯାଇ ସୁବର୍ଣ୍ଣପୁର ଜିଲ୍ଲାରେ ନିଆରା ଢଙ୍ଗରେ ପାଳନ କରାଯାଉଛି ନୁଆଁଖାଇ।
Comments are closed.