Latest Odisha News

ବିରାଟଙ୍କ ଧୁଆଁଧାର ବ୍ୟାଟିଂ, ୭ ୱିକେଟରେ ମୋହାଲି ଟି-୨୦ ଜିତିଲା ଭାରତ

ମୋହାଲି: ଧର୍ମଶାଳା ଟି-୨୦ ବର୍ଷାରେ ଧୋଇଯିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଆଫ୍ରିକୀୟ କ୍ରିକେଟ ଦଳକୁ ଟିମ୍ ଇଣ୍ଡିଆ ୭ ୱିକେଟରେ ପରାସ୍ତ କରିପାରିଛି । ଏହି ବିଜୟର କର୍ଣ୍ଣଧାର ସାଜିଥିଲେ ନିଜେ ଅଧିନାୟକ ବିରାଟ କୋହଲୀ । ସେ ମାତ୍ର ୫୨ଟି ବଲ୍ ଖେଳି ୩ଟି ବିଶାଳ ଛକା ଏବଂ ୪ଟି ଚୌକା ସହିତ ବିସ୍ଫୋରକ ୭୨ ରନ ସଂଗ୍ରହ କରି ଦଳକୁ ଏକ ସୁନ୍ଦର ବିଜୟ ଦେଇଥିଲେ ।

ଟସ ଜିତି କପ୍ତାନ କୋହଲୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲେ । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ କରିଥିଲା ୧୪୯ ରନ । ଡ଼ି କକ୍ ୫୨, ବଭୁମା ୪୯ ଏବଂ ମିଲର୍ କରିଥିଲେ ୧୮ ରନ । ଭାରତୀୟ ବୋଲର୍ ଚହର୍ ନେଇଥିଲେ ସର୍ବାଧିକ ୨ଟି ୱିକେଟ ।

ଟିମ୍ ଇଣ୍ଡିଆ ୧୫୦ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ଯାଇ ସହଳ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା । ରୋହିତ ୨ଟି ଛକା ମାରି ୧୨ ରନ କରିଥିଲେ, ମ୍ୟାଚରେ ଅଧିକ ବିସ୍ଫୋରଣ କରିବା ପୂର୍ବରୁ ଏଲବିଡ଼ବ୍ଲୁ ଆଉଟ୍ ହୋଇଥିଲେ । ଶିଖର ଧାୱନ ଆଜିର ମ୍ୟାଚରେ ଉପଯୋଗୀ ୪୦ ରନ କରିବା ସହିତ କପ୍ତାନ କୋହଲୀଙ୍କୁ ଉପଯୁକ୍ତ ସାଥ୍ ଦେଇଥିଲେ ।

କୋହଲୀ ମୋହାଲୀର ବ୍ୟାଟିଂ ପିଚର ଭରପୁର ଉପଯୋଗ କରି ବିସ୍ଫୋରକ ଇନିଂସ ଖେଳିଥିଲେ । ୫୨ଟି ବଲରୁ ସଂଗ୍ରହ କରିଥିଲେ ବିରାଟ ମୂଲ୍ୟବାନ ୭୨ ରନ । ୱିକେଟ ରକ୍ଷକ ରିଷଭ ପନ୍ଥ ସମସ୍ତଙ୍କୁ ନିରାଶ କରି ମାତ୍ର ୪ ରନରେ ଆଉଟ୍ ହୋଇଥିଲେ । କୋହଲୀଙ୍କ ସହିତ ଆୟାର୍ ୧୬ ରନ କରି ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ ।

ଭାରତୀୟ ଅଧିନାୟକ ବିରାଟ କୋହଲୀ ପ୍ଲେୟାର୍ ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ ।

Leave A Reply

Your email address will not be published.