Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ପହୁଡ଼ ନୀତି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରାତ୍ର ବେଶ ବା ବଡ଼ସିଂହାର ବେଶ ବିଧି ବିଷୟରେ ଆମେ କିଛି ଆଲୋଚନା କଲେ। ଏହାପରେ ଶ୍ରୀଜୀଉମାନଙ୍କ ଗୋଟିଏ ଦିନର ଶେଷ ନୀତି ପହୁଡ଼ ନୀତି ଆଲୋଚନା କରିବା। ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ ଏହି ବେଶ ସମାପନ ପରେ ପରେ ପୂଜକ /ଅର୍ଚ୍ଚକମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଜାଇଫଳ ଘୋରା ସୁଗନ୍ଧି ଜଳ ରୌପ୍ୟ ପାତ୍ରରେ ଶ୍ରୀଜୀଉମାନଙ୍କୁ ଅର୍ପଣ କରିବେ। ଯଦି କୌଣସି ମନ୍ଦିରରେ ରୌପ୍ୟ ପାତ୍ରର ଅଭାବ ଥାଏ ତେବେ ସେଠାରେ ଶୁଦ୍ଧ ମାଟି ପାତ୍ର (ଓଳି )ର ପ୍ରୟୋଗ କରାଯାଇ ପାରେ। ସେହିପରି ଏକ ବିଡ଼ିଆ ପାନ ଲବଙ୍ଗ, ଜାଇଫଳ ଇତ୍ୟାଦି ସୁଗନ୍ଧ ପଦାର୍ଥ ଯୁକ୍ତ ହୋଇ ପୁଣି ଏକ ରୌପ୍ୟ ପାତ୍ର, ଅଭାବରେ ମାଟି ପାତ୍ରରେ ଅର୍ପଣ କରିବେ। ଉଭୟ ପାନୀୟ ଓ ପାନ ଅତ୍ୟନ୍ତ ଶୁଦ୍ଧପୁତ ଓ ଭକ୍ତିର ସହ ଠାକୁରମାନଙ୍କୁ ଅର୍ପଣ କରିବା ପରେ ପୂଜକ ସିଂହାସନ ସାମ୍ନାରେ ଦଣ୍ଡାୟମାନ ହୋଇ ଏହାକୁ ସମର୍ପଣ କରିବେ ଓ ସମସ୍ତ ଦୋଷାଦୋଷ କ୍ଷମା କରିବା ପାଇଁ ପାର୍ଥନା କରିବେ।

ଯଥା : – ମନ୍ତ୍ର ହୀନଂ କ୍ରିୟାହୀନଂ ଭକ୍ତିହୀନଂ ସୁରେଶ୍ୱର, ଯତପୂଜିତଂ ମୟାଦେବ ପରିପୂର୍ଣ୍ଣଂ ତଦସ୍ତୁମେ।

ଆବାହନ ନଜନାମି ନ ଜନାମି ବିସର୍ଜନମ୍, ପୂଜାକର୍ମ ନଜାନାମି କ୍ଷମସ୍ୱ ପରମେଶ୍ୱର।

ଏହି କ୍ଷମା ପାର୍ଥନା କରି ସମାପନୀ ମୁଦ୍ରା ପଦର୍ଶନ ପୂର୍ବକ ପୂଜା ବିଧି ସମାପନ କରିବେ। ଆଗାମୀ ଅଧ୍ୟ୍ୟାୟରେ ଜାଣିବା ଶ୍ରୀଜୀଉମାନଙ୍କ ପହୁଡ଼ ବିଷୟରେ, ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ତାତ ମାତଙ୍କ ବୃଦ୍ଧ କାଳେ
ନିଜ ଭାରିଜା ଶିଶୁ ମେଳେ।
ଗୋରୁ ବ୍ରାହ୍ମଣ ଗୁରୁଜନ
ଏହାଙ୍କୁ ନଦେଇ ଭୋଜନ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.