Latest Odisha News

ଆମ ଓଷା ସାହିତ୍ୟରେ ଜିମୂତ-ବାହନ ପୂଜା ବା ଦୁତିୟା ଓଷା

ରାଜଲକ୍ଷ୍ମୀ ତ୍ରିପାଠୀ

ଜନମୁଖରେ ଯାହାକୁ ଦୁତିଆ ଓଷା କହନ୍ତି, ତାହାକୁ ବିଂଶ ଶତାବ୍ଦୀର ପ୍ରଥମ ଦଶକ ରେ ପାଞ୍ଜିକାରମାନେ ଜିମୂତ -ବାହନ ପୂଜା ନାମରେ ଲେଖୁଥିଲେ । ଏବେ ଦ୍ୟୁତିବାହନ ନାମରେ ପାଞ୍ଜି ମାନଙ୍କରେ ଲେଖା ହେଉଅଛି । ଓଷା କଥାରେ ଦେବତାଙ୍କ ନାମ ଦୁତିବାମନ ।ଆଶ୍ୱିନ କୃଷ୍ଣପକ୍ଷ ସପ୍ତମୀ ତିଥିରେ ଦୁତିଆ ଓଷା ବା ଦୁତିବାମନ ଓଷା ଓଡିଶାର ପୁର ପଲ୍ଲୀରେ ପାଳନ କରାଯାଏ । ଏ ଦିନଟି ସାଧାରଣତଃ ପୁଷ୍ୟା ନକ୍ଷତ୍ରରେ ପଡେ । ଧଉଳି ଶିଳାଲିପିରେ ଉଲ୍ଲେଖ ଅଛି ଯେ ଏହି ଦିନ ଉତ୍ସବ ପାଳି ପୁଷ୍ଟିକର ଖାଦ୍ୟ ସମସ୍ତେ ଖାଇବା ପାଇଁ କୁହାଯାଇଛି ।ଯେଉଁଦିନ ଦୁତିବାମନଙ୍କୁ ପୂଜା କରାଯାଏ ସେଦିନ ଦୁର୍ଗାପୂଜା ଷୋଳଦିନ କରିବା ପାଇଁ ସହସ୍ର କୁମ୍ଭ ସ୍ଥାପନ କରାଯାଏ ।

ଓଡ଼ିଆ ରାମାୟଣରେ ଜିମୂତ -ବାହନ ପୂଜା ବା ଦୁତିୟା ଓଷା ସମ୍ପର୍କରେ ଏକ ସୁନ୍ଦର ରୋଚକ ଗଳ୍ପ ଅଛି । ଜିମୂତ ବାହନ ନାମକ ଜଣେ ରାଜା କୌଣସି ଦେଶରେ ଥିଲେ । ସେ ସମୟରେ ମଳୟ ଦେଶରେ ବିଶ୍ୱାବସୁ ରାଜାଙ୍କର ଚିତ୍ରାବସୁ ନାମକ ଏକ ପୁତ୍ର ଓ ମଳୟବତୀ ନାମରେ ଗୋଟିଏ କନ୍ୟା ଥିଲେ । ଯୁବତୀ ମଳୟବତୀଙ୍କ ପାଇଁ ଉପଯୁକ୍ତ ପାତ୍ର ଖୋଜିବା ପାଇଁ ରାଜା ବିଶ୍ୱାବସୁ ରାଜକୁମାର ଚିତ୍ରାବସୁଙ୍କୁ କହିଲେ । ଚିତ୍ରାବସୁ ବହୁତ ଖୋଜି ଖୋଜି ଶେଷରେ ଜିମୂତ -ବାହନଙ୍କୁ ମନୋନୀତ କଲେ । ତାଙ୍କୁ ସାଙ୍ଗରେ ଧରି ଦେଶକୁ ଫେରିବା ବାଟରେ ରାଜଧାନୀଠାରୁ ଅଳ୍ପ ଦୂରରେ ଜିମୂତବାହନ ଏକ ସ୍ଥାନରେ ସୁଉଚ୍ଚ ପାହାଡ଼ ପରି ଗଦା ହୋଇଥିବା ଧଳା ରଙ୍ଗର ପଦାର୍ଥ ଦେଖିଲେ । ସେ ସବୁ କି ପଦାର୍ଥ ବୋଲି ଚିତ୍ରାବସୁଙ୍କୁ ପଚାରିବାରୁ ସେ କହିଲେ ଯେ, ପ୍ରତିଦିନ ଗରୁଡ଼ ସେଠାକୁ ଆସି ବହୁତ ସାପମାରି ଖାଇଯାନ୍ତି । ତେଣୁ ବାସୁକୀ ନାଗ ଗରୁଡ଼ଙ୍କୁ କହିଲେ “ପ୍ରତିଦିନ ତୁମେ ଗୋଟିଏ ସାପ ଖାଇବ ଏବଂ ମୁଁ ତାହା ପାଳିକରି ସାପ ମାନଙ୍କ ମଧ୍ୟରୁ ଗୋଟିଏ ତୁମ ନିକଟକୁ ପଠାଇବି।  ” ସେଦିନଠାରୁ ରାତିରେ ନିତି ଗରୁଡ଼ ଏଠାକୁ ଆସି ସାପଟିଏ ଖାଆନ୍ତି । ଏହି ଯେଉଁ ଧଳା ରଙ୍ଗର ଗଦା ହୋଇଥିବା ବସ୍ତୁ ଦେଖୁଛ, ତାହା ସାପମାନଙ୍କ ହାଡ଼ କୁଢ଼ l ଏହା ଶୁଣି ଜିମୂତବାହନ ଚିତ୍ରାବସୁଙ୍କୁ କହିଲେ, “ତୁମେ ରାଜଧାନୀକୁ ଯାଅ, ମୁଁ ଆଜି ଏଠାରେ ରାତ୍ରୀଯାପନକରି ସକାଳେ ତୁମ ପାଖକୁ ଯିବି”।

ଚିତ୍ରାବସୁ ସେଠାରୁ ଚାଲିଯିବାପରେ ରାତିରେ ଜିମୂତ ବାହନ ଥିବା ସ୍ଥାନରେ ଗରୁଡ଼ ଆସି ପହଞ୍ଚିଲେ । ଜିମୂତବାହନଙ୍କୁ ଖାଇବାକୁ ଉଦ୍ୟତ ହେଲେ । ସେଦିନ କିନ୍ତୁ ଶଙ୍ଖଚୁଳ ନାମକ ସାପର ପାଳି ଥିଲା, ସେ ଅଳ୍ପ ବିଳମ୍ବରେ ସେଠାରେ ପହଞ୍ଚିଲା । ଜିମୂତବାହନଙ୍କ ଅବସ୍ଥା ଦେଖି ସେ ଗରୁଡଙ୍କୁ ଅନୁରୋଧ କରି କହିଲା,”ତୁମର ସାପ ଖାଇବା ପାଇଁ ସର୍ତ୍ତ ଅଛି, ଆଜି ମୋର ପାଳି, ମୋତେ ତୁମେ ଖାଇବ, ନିରୀହ ରାଜା ଜିମୂତବାହନଙ୍କୁ କାହିଁକି ଖାଇବ?” ଗରୁଡ଼ ପରିଶେଷରେ ଜିମୂତବାହନଙ୍କୁ ଖାଇବାରୁ କ୍ଷାନ୍ତ ହେଲେ । ଜିମୂତବାହନ ଗରୁଡଙ୍କୁ ଅହିଂସା ଧର୍ମର ଦୀକ୍ଷା ଦେବାରୁ ଗରୁଡ଼ ହିଂସା ପ୍ରବୃତ୍ତି ଛାଡିଲେ । ଜିମୂତ ବାହନ ଚିତ୍ରାବସୁଙ୍କ ନିକଟକୁ ଗଲେ ଓ ବିଶ୍ୱବସୁଙ୍କ କନ୍ୟା ମଳୟବତୀଙ୍କୁ ବିବାହ କରି ଦେଶକୁ ଫେରିଲେ । ରାଣୀ ମଳୟବତୀ ତାଙ୍କ ଦେଶରେ ଏହି ପୂଜା, ବ୍ରତ ପ୍ରବର୍ତ୍ତିତ କରାଇଲେ ।

ଝଙ୍କଡର ସାରଳା ମନ୍ଦିର ଗାତ୍ରରେ ଥିବା କାର୍ତ୍ତିକେୟଙ୍କ ମୂର୍ତ୍ତିର ବାହନ ମୟୁର ଥଣ୍ଟରେ ଗୋଟିଏ ସାପ ଅଛି । ଏଥିରୁ ଜଣାଯାଏ ଯେ ସର୍ପାଧର୍ମାବଲମ୍ବୀ ଓ ମୟୁରଧର୍ମାବଲମ୍ବୀ କୁମାରଙ୍କ ମଧ୍ୟରେ ସେ ସମୟରେ ବିବାଦ ଲାଗିରହିଥିଲା । ମୟୁର ସାପ ଖାଏ ଓ ଗରୁଡ଼ ସାପକୁ ଶାସନ କରେ । ଏହି ଦୁଇ ଧର୍ମର ସମନ୍ୱୟ ବିଶ୍ୱାବସୁ ପ୍ରଚଳିତ କରାଇଥିବା ପୂଜା ଦ୍ୱାରା ଘଟିଥିବାର ଅନୁମାନ କରାଯାଏ । ଭରତ ଚିତ୍ରକୂଟଠାରେ ବିଶ୍ୱାବସୁଙ୍କୁ ଦେଖିଥିଲେ । ଚିତ୍ରାବସୁ ଓ ଚିତ୍ରକୂଟ ପ୍ରଭୃତିର ଅର୍ଥ ଏକ ପ୍ରକୃତିର ବିଚିତ୍ରତା । ସେଥିପାଇଁ ମତଙ୍ଗ ଆଶ୍ରମ ରେ ଶବରୀ ରାମଙ୍କ ରୂପରେ ଚିତ୍ରକୂଟ ଦେଖିଥିଲା ।

ଜିମୂତବାହନ ଓ ମେଘବାହନର ଅର୍ଥ ଇନ୍ଦ୍ର । ସମ୍ରାଟ ଖାରବେଳଙ୍କ ଉପାଧି “ମହାମେଘବାହନ ” ଯାହାର ଅର୍ଥ ମହେନ୍ଦ୍ର ।।ସର୍ବଧର୍ମର ସମନ୍ୱୟକୁ ବୋଧହୁଏ ସେତେବେଳେ “ମହେନ୍ଦ୍ର ” ଆଖ୍ୟା ଦିଆଯିବା ଐତିହାସିକମାନଙ୍କ ମତ ।  ଓଡ଼ିଶାରେ ମହେନ୍ଦ୍ର ପର୍ବତ ଅବସ୍ଥିତ । ଗଞ୍ଜାମ ଜିଲ୍ଲାକୁ ଏକ ସମୟରେ ମହେନ୍ଦ୍ର -କ୍ଷିତି କୁହାଯାଉଥିଲା । ଦ୍ୟୁତି ଅର୍ଥ କିରଣ ଓ ଏହି କିରଣର ଏକତ୍ୱ ସୂର୍ଯ୍ୟଙ୍କ ଠାରେ ଅବସ୍ଥିତ । ଏହି ଅର୍ଥରେ ସୂର୍ଯ୍ୟଙ୍କୁ ଦ୍ୟୁତିବାହନ କୁହାଯାଇପାରେ । ସୂର୍ଯ୍ୟ ଜ୍ଞାନର ପ୍ରତୀକ ରୂପେ ଏହି ଓଷା ଆଖ୍ୟାନରେ ବ୍ୟବହୃତ ହୋଇଛନ୍ତି । ଦୁତିବାହନ ପୂଜାର ବାଲୁକା ପରମାଣୁବାଦକୁ ବୁଝାଏ । ଚିଲ ଓ ଶିଆଳ ନାମ ଦୁଇଟି ଚିର ଓ ଶ୍ୱେନ ଶବ୍ଦରୁ ଉତ୍ପନ ହୋଇ ମନୁଷ୍ୟର ନିତ୍ୟ ଓ ଚଳ ଚଞ୍ଚଳ ସ୍ଵଭାଵର ବ୍ୟଞ୍ଜକ ହୋଇଥିବାର ଅନୁମାନ କରାଯାଏ । ଶ୍ୱେନ ବା ଛଞ୍ଚାଣ ପକ୍ଷୀ ବଡ଼ ଦ୍ରୁତଗାମୀ । ଜିମୂତବାହନ ଗଳ୍ପର ଶଙ୍ଖଚୂଳ -ସର୍ପ ଓଡ଼ିଆ ଗ୍ରାମ୍ୟ ଗୀତିର ଶଙ୍ଖଚିଲ ବୋଲି କୁହାଯାଏ । ନିର୍ଜଳ ଓ ଅତି ନିଷ୍ଠାର ସହ ଗ୍ରାମାଞ୍ଚଳରେ ନାରୀମାନେ ଏହି ବ୍ରତ କରି ବିଭିନ୍ନ ପ୍ରକାର ରୋଗମୁକ୍ତିର ବିଶ୍ୱାସ ରଖିଥାନ୍ତି ।

Comments are closed.