ଶକ୍ତିପୀଠର କାହାଣୀ: ନଦୀ ଗର୍ଭରେ ଦିଗହରା ହୋଇ ବୁଲୁଥିବା ନାବଟି ହଠାତ୍ ଅଟକି ଥିଲା ମା’ଙ୍କ ପାଖରେ
ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା “ଶକ୍ତିପୀଠର କାହାଣୀ”
ଭୁବନେଶ୍ଵର: ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ । ଆମ ଦେଶରେ ଶକ୍ତି ପୂଜାର ପରମ୍ପରା ଯୁଗଯୁଗ ଧରି ଚଳିଆସୁଛି । କଳସ ଯାତ୍ରାରୁ ଆରମ୍ଭ ହୋଇଥାଏ ମାଆଙ୍କ ଷୋଡଶ ଉପଚାର ବିଧି । ଦୁର୍ଗାପୂଜା ଅବସରରେ ଖଣ୍ଡାୟତର ଖଣ୍ଡା, ନାପିତର କ୍ଷୁର, କରଣର ଲେଖନୀ, କମାର ବଢେଇଙ୍କ ଉପକରଣ ତଥା ଅନ୍ୟ ଜାତିମାନଙ୍କର କୌଳିକ ବୃତ୍ତି ଅନୁସାରେ ନିଜ ନିଜର ଉପକରଣଗୁଡିକୁ କଳସ ନିକଟରେ ସ୍ଥାପନ କରି ବୃତ୍ତିଗତ ବ୍ୟବସାୟ ଅଭିବୃଦ୍ଧି ପାଇଁ ଦେବୀଙ୍କ ନିକଟରେ କାମନା କରିଥାନ୍ତି ।
ପୌରାଣିକ କଥା ଅନୁସାରେ, ଦକ୍ଷ ପ୍ରଜାପତିଙ୍କର କନ୍ୟା ସତୀ ଶିବହୀନ ଯଜ୍ଞକୁ ଅସହ୍ୟ ମଣି ଯଜ୍ଞକୁଣ୍ଡକୁ ଝାସ ଦେବାପରେ ତାଙ୍କ ଶରୀରକୁ ଶିବ କାନ୍ଧରେ ବହନ କରି କ୍ରୋଧ ଜର୍ଜରିତ ହୋଇ ଭ୍ରମଣ କରିବାରେ ଲାଗିଲେ । ଶିବଶଙ୍କରଙ୍କର ଏପରି କ୍ରୋଧାନ୍ୱିତ ଓ ବିବତ୍ସ ଅବସ୍ଥା ଦେଖି ସ୍ୱୟଂବିଷ୍ଣୁ ତାଙ୍କ ଚକ୍ର ଦ୍ଵାରା ସତୀଙ୍କର ଶରୀରକୁ ଖଣ୍ଡବିଖଣ୍ଡିତ କରିଦେଲେ । ଯେଉଁ ଯେଉଁ ସ୍ଥାନମାନଙ୍କରେ ସତୀଙ୍କର ଦିବ୍ୟ ଅଙ୍ଗ ପ୍ରତ୍ୟଙ୍ଗ ପଡ଼ିଲା, ସେହିସବୁ ସ୍ଥାନଗୁଡ଼ିକରେ ଭିନ୍ନଭିନ୍ନ ଶକ୍ତିପୀଠମାନ ଗଢିଉଠିଲା । ୫୧ ଗୋଟି ଶକ୍ତିପୀଠ ମଧ୍ୟରୁ ଓଡିଶାରେ ରହିଛି ମାଆ ଜଗତଜନନୀଙ୍କ ଅଷ୍ଟଗୋଟି ଶକ୍ତିପୀଠ ।
କାକଟପୁର ମଙ୍ଗଳା:
ଓଡ଼ିଶାର ପୁରୀ ଜିଲ୍ଲା କାକଟପୁରଦେଇ ବହି ଯାଉଥିବା ପ୍ରାଚୀ ନଦୀ କୂଳରେ ଅବସ୍ଥିତ ମା ମଙ୍ଗଳାଙ୍କ ମନ୍ଦିର । ଏହା ଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ ଅଟେ । ବର୍ଷ ତମାମ ଏଠାକୁ ଭକ୍ତମାନେ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । କାକଟପୁର ମା’ମଙ୍ଗଳାଙ୍କ ମନ୍ଦିରକୁ ବିଗତ ୫୦୦ବର୍ଷ ପୂର୍ବେ ସ୍ଥାନୀୟ ଜମିଦାର “ରାୟଚୁଡାମଣି”ଙ୍କ ପରିବାର, ବିଶିଷ୍ଠ ଜ୍ଞାନୀ ସେବକମାନଙ୍କୁ ନେଇ ନିର୍ମାଣ କରିଥିଲେ।
କିମ୍ବଦନ୍ତୀ ଅନୁସାରେ, ମା’ ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀର ଗର୍ଭରେ ଲୁଚିରହିଥିଲା । ଦିନେ ନଦୀରେ ଜଣେ ନାଉରିଆ ନାବ ବାହୁଥିବା ବେଳେ ହଠାତ୍ ବନ୍ୟା ଆସିଲା । ନାଉରିଆ ଜଣଙ୍କ ଥଳକୂଳ ନପାଇ ଭାସି ଯାଉଥିବା ବେଳେ ମଝି ନଈରେ ତାର ନାବ ସ୍ଥିରହୋଇ ରହିଲା ଓ ସେ ରକ୍ଷା ପାଇଗଲା । କିନ୍ତୁ ସେ ଜାଣିପାରିଲା ନାହିଁ ଯେ ସେ କିପରି ରକ୍ଷା ପାଇଲା । ଏହିପରି ଚିନ୍ତାରେ ଥିବାବେଳେ ଥରେ ପ୍ରାତଃକାଳରେ ମା’ଙ୍କର ସ୍ୱପ୍ନାଦେଶ ପାଇ ତାଙ୍କ ବିଗ୍ରହକୁ ନଦୀ ଗର୍ଭରୁ ଉଦ୍ଧାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ପୂଜାର ବ୍ୟବସ୍ଥା କଲା ।
ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ନୀତି ସେବା ସହିତ ମଙ୍ଗଳାଙ୍କର ସଂପର୍କ ଅଛି । ମହାପ୍ରଭୁଙ୍କର ନବକଳେବର ମହୋତ୍ସବର ଦାରୁସନ୍ଧାନ ମା’ ମଙ୍ଗଳାଙ୍କ ନିର୍ଦ୍ଦେଶରେ ହୋଇଥାଏ । ମା’ ମଙ୍ଗଳା ପ୍ରତିଦିନ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଆନ୍ତି । ସେଠାରୁ ଫେରି ନିଜ ମନ୍ଦିରରେ ବାହାର ବେଢା ଚକଡାରେ କିଛି ସମୟ ବସି ଥକା ମେଣ୍ଟାନ୍ତି। ଏବେ ବି ମନ୍ଦିର ବେଢ଼ାରେ ଏକ ନିର୍ଦ୍ଦିଷ୍ଟ ଚକଡା ଅଛି । ମଙ୍ଗଳାଙ୍କ ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ । ଏହାର ଉଚ୍ଚତା ଛଅଫୁଟ । ଏହି ପୀଠରେ ଚୈତ୍ର ମାସରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଲକ୍ଷ ଲକ୍ଷ ଲୋକଙ୍କର ସମାବେଶ ସେତେବେଳେ ହୁଏ ।
ତା’ ଛଡା ଏଠାରେ ଶାରଦୀୟ ପୂଜା ଅବସରରେ ଷୋଡ଼ଶ ଦିନ ବ୍ୟାପୀ ପୂଜା ହୁଏ । ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିଠାରୁ ମା ’ ମଙ୍ଗଳାଙ୍କ ମନ୍ଦିରରେ ପାରମ୍ପରିକ ପ୍ରଥା ଅନୁସାରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେଇ ବିଜୟାଦଶମୀ ଦିନ ଶେଷ ହୋଇଥାଏ। ପ୍ରଥମ ଦିନ କଳସ ପୂଜା ଆରମ୍ଭ ହେଇ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ । ବିଧି ଅନୁସାରେ ୧୦୭ କଳସ ଜଳରେ ମା’ଙ୍କୁ ସ୍ନାନ କରାଯାଏ । ଏହା ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ । ସନ୍ଧ୍ୟାକୁ ସକାଳ ଧୂପ ହୁଏ । ପରେ ସନ୍ଧ୍ୟା ଆଳତି, ସ୍ନାନ ମାର୍ଜଣା ହୁଏ ଏବଂ ମା’ଙ୍କୁ ସାଧାରଣ ବେଶରେ ସଜାଇ ଦର୍ଶନ ପାଇଁ ମନ୍ଦିରର ସାହାଣ ମେଲା କରାଯାଏ । ମୂଳାଷ୍ଟମୀ ଠାରୁ ତୃତୀୟା ପର୍ଯ୍ୟନ୍ତ ଏହି ପରି ନୀତି ଅନୁଷ୍ଠିତ ହେଇଥାଏ। ଚତୁର୍ଥୀ ତିଥି ସନ୍ଧ୍ୟାରେ ମା’ଙ୍କୁ କଲିବେଶରେ ସଜ୍ଜିତ କରାଯାଏ । ଆଶ୍ୱିନ ଶୁକ୍ଳ ପଞ୍ଚମୀ ତିଥିରେ ତାରକମାଣ ବେଶ, ମହାଷଷ୍ଠୀରେ ମହାକାତ୍ୟାୟନୀ ବେଶ,ମହାଅଷ୍ଟମୀରେ ମହିଷାମର୍ଦ୍ଦିନୀ ବେଶ, ମହାନବମୀରେ ମହାଲକ୍ଷ୍ମୀ ବେଶ ଓ ଦଶହରାରେ ବିଜୟା ଦଶମୀ ବେଶରେ ଭକ୍ତମାନଙ୍କୁ ଅପୂର୍ବ ଦର୍ଶନ ଦେଇଥାନ୍ତି ।
Comments are closed.