ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବିଜେପି ସନ୍ଦେହ ପ୍ରକାଶ କରିଛି। ରାଜଧାନୀରେ ରାଜ୍ୟ ସରକାର ତିଆରି କରିଥିବା ବୋମିଖାଲ ଓଭରବ୍ରିଜ ନିର୍ମାଣ ସମୟର ଅବଧି କଥାକୁ ମନେ ପକାଇ ବିରୋଧୀ ବିଜେପି କହିଛି ରାଜ୍ୟ ସରକାର ନିର୍ବାଚନ ବେଳେ ମେଟ୍ରୋ କଥା କହି ଲୋକଙ୍କୁ ଲଲିପପ ଧରାଉଛନ୍ତି।
ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, ଏହି ପ୍ରକଳ୍ପ ଘୋଷଣା ଶାସକ ବିଜେଡିର ଅନ୍ୟତମ ନିର୍ବାଚନୀ ଚାଲ୍। ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ସରକାରଙ୍କର ଦୁର୍ବଳ ଟ୍ରାକ୍ ରେକର୍ଡକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଓ ବଜେଟ୍ ମଧ୍ୟରେ ଶେଷ କରିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ଲୋକଙ୍କୁ ଦେଖାଉଥିବା ଏହି ପ୍ରକଳ୍ପ ଆଉ ଏକ ଲଲିପପ୍ ବୋଲି ମଧ୍ୟ ବିରଞ୍ଚି ତ୍ରିପାଠୀ ଦାବି କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା କରିବାର ଦଳର ଇତିହାସ ରହିଛି, ଯାହା ପରବର୍ତ୍ତୀ ସମୟରେ ଆଉ ଆଗକୁ ବଢେ ନାହିଁ।
ଏହି ପ୍ରକଳ୍ପର ଶିଳାନ୍ୟାସ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଥିବା ବେଳେ ବିଜେପି ନେତାଙ୍କ ଏଭଳି ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସେହିପରି ମୋଟ 5929 କୋଟି ଟଙ୍କା ବ୍ୟୟରେ ମେଟ୍ରୋ ରେଳ ପାଇଁ ଡିପିଆର ରିପୋର୍ଟକୁ ସରକାର ଅନୁମୋଦନ କରିଛନ୍ତି।
Comments are closed.