Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଭାଦ୍ରବ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାର୍ଷିକ ପର୍ବପର୍ବାଣୀର ବିବରଣୀ ପ୍ରଦାନ କ୍ରମରେ ଆମେ ଶ୍ରାବଣ ମାସ ବିଷୟରେ ଜାଣିଲେ। ଏବେ ଜାଣିବା ସବୁଠାରୁ ଅଧିକ ପର୍ବପର୍ବାଣୀ ପାଳିତ ହେଉଥିବା ଭାଦ୍ରବ ମାସ ବିଷୟରେ।

ରାହୁରେଖା ଲାଗି :- ଭାଦ୍ରବ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଏହି ନୀତି ପାଳିତ ହୁଏ। ଏହି ଦିନ ଶ୍ରୀଜୀଉମାନଙ୍କ ସ୍ୱତନ୍ତ୍ର ରାହୁରେଖା ଲାଗି କାରାଯାଏ।

ଜନ୍ମାଷ୍ଟମୀ :- ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ମହାନ ଉତ୍ସବ ପାଳିତ ହୁଏ। ଅଷ୍ଟମୀ ପୂର୍ବରୁ ଶ୍ରୀଜଗନ୍ନାଥ ମା ଦେବକୀ ରୂପେ ଆବିର୍ଭାବ ହୁଅନ୍ତି ଓ ଅଷ୍ଟମୀ ଦିନ ମଧ୍ୟରାତ୍ରରେ ଶ୍ରୀକୃଷ୍ଣ ରୂପେ ଜନ୍ମ ନିଅନ୍ତି।

ନନ୍ଦଉତ୍ସବ :- ଭାଦ୍ରବ ମାସ କୃଷ୍ଣ ପକ୍ଷ ନବମୀ ତିଥିରେ ଏହି ବିଶେଷ ଉତ୍ସବ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ଜନ୍ମାଷ୍ଟମୀରେ କୃଷ୍ଣ ଜନ୍ମ ପରେ ବାସୁଦେବ ତାଙ୍କୁ ନେଇ ଗୋପପୁରରେ ନନ୍ଦ ଯଶୋଧାଙ୍କ କୋଳରେ ସମର୍ପି ଦେଇ ଆସନ୍ତି ଓ ସେଠାରୁ ଜନ୍ମିତ କନ୍ୟାଙ୍କୁ ବନ୍ଦୀଶାଳକୁ ଆଣନ୍ତି। ତେଣୁ ନବମୀ ତିଥିରେ ନନ୍ଦ ଗୃହରେ ପାଳିତ ହୁଏ ନନ୍ଦଉତ୍ସବ।

ଶ୍ରୀକୃଷ୍ଣ ଲୀଳା :-ଏହି ସ୍ୱତନ୍ତ୍ରଲୀଳା ଅଭିନୟ ଶ୍ରୀମନ୍ଦିରରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ନବମୀ ତିଥିରୁ ଆରମ୍ଭ ହୋଇ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପର୍ଯ୍ୟନ୍ତ ଚାଲିଥାଏ। ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା ଏହି ଅଭିନୟର ମୂଖ୍ୟ ଉପାଦାନ।

ବଣଭୋଜି ବେଶ :- ଏହା ଶ୍ରୀକୃଷ୍ଣ ଲୀଳାର ଅଂଶ ବିଶେଷ। ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ଶ୍ରୀଜୀଉମାନେ ବଣଭୋଜି ବେଶ ହୋଇଥାନ୍ତି। ଏହି ଦିନ ଅଭିନୟରେ କୋଳି ବିକା, ବକାସୁର ଓ ଅର୍ଘାସୁର ବଧ ଅନୁଷ୍ଠିତ ହୋଇଥାଏ।

କାଳୀୟ ଦଳନ ବେଶ :- ଏହା ମଧ୍ୟ ଶ୍ରୀକୃଷ୍ଣ ଲୀଳାର ଅଂଶ। ବିଶେଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀବିଗ୍ରହମାନେ କାଳୀୟ ଦଳନ ବେଶରେ ସଜ୍ଜିତ ହୁଅନ୍ତି। ଏହି ଦିନ ମଧ୍ୟ ଧେନୁକାସୁର ବଧ ଅଭିନୀତ ହୋଇଥାଏ।

ପ୍ରଲମ୍ବାସୁର ବଧ :- ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ମଧ୍ୟରେ ଏହା ଏକ ବିଶେଷ ବେଶ। ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହୋଇଥାଏ।

କୃଷ୍ଣ ବଳରାମ ବେଶ :- ଏହି ବେଶ ଅତ୍ୟନ୍ତ ମନମୋହକ ହୋଇଥାଏ, ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହି ବେଶ ହୋଇଥାଏ। ପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ବେଶ ଓ ବଡ଼ଠାକୁର ବଳଭଦ୍ର ବଳରାମ ବେଶ ଧାରଣ କରି ଭକ୍ତ ମନ ମୋହିଥାନ୍ତି।

ଆଗାମୀ ଅଧ୍ୟାୟରେ ପୁଣି ଜାଣିବା ଭାଦ୍ରବ ମାସର ଆଉ କିଛି ମୂଖ୍ୟ ପର୍ବ ପର୍ବାଣୀ ଵିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ଦେବତା ତୀର୍ଥ କ୍ଷେତ୍ର ମାନେ
ଦର୍ଶନ, ସ୍ପର୍ଶନ, ଅର୍ଚ୍ଚନେ।
ଶୁଦ୍ଧ କରନ୍ତି ବହୁ କାଳେ
ଯେ ଯାହା କର୍ମ ଫଳାଫଳେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.