Latest Odisha News

BREAKING NEWS

ନଭେମ୍ବରରେ ରାଜ୍ୟ ସରକାର ଇଣ୍ଟରନେସନାଲ କନଭେନସନ୍ ଅନ୍ ମିଲେଟର ଆୟୋଜନ କରିବେ

ଭୁବନେଶ୍ୱର: ରାଜ୍ୟ ସରକାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗାମୀ ଦଶନ୍ଧି ପାଇଁ ବାଜରା ଚାଷର ରୋଡମ୍ୟାପ୍ ପ୍ରସ୍ତୁତ କରିବା ଦିଗରେ ନେତୃତ୍ୱ ନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି।

ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ‘ଇଣ୍ଟରନେସନାଲ କନଭେନସନ୍ ଅନ୍ ମିଲେଟ୍’ର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପାଇଁ ଅନୁଷ୍ଠିତ ‘ଆପେକ୍ସ କମିଟି’ ବୈଠକରେ ଅଧ୍ୟକ୍ଷତା କରି ନବୀନ ପଟ୍ଟନାୟକ ଏହି ମନ୍ତବ୍ୟ ଦେଇଛନ୍ତି।

ଓଡ଼ିଶାକୁ ଅନ୍ୟ ରାଜ୍ୟ ଓ ଦେଶମାନଙ୍କର ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟ ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

ଏହି ସମ୍ମିଳନୀରେ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ବାଜରା ଖାଦ୍ୟ ସଂସ୍କୃତି ଉପରେ ଆଲୋକପାତ କରାଯିବା ସହ ରାଜ୍ୟର କୃଷକ ଓ ମିଶନ ଶକ୍ତି ଗୋଷ୍ଠୀର ସଫଳତାର କାହାଣୀକୁ ପ୍ରଦର୍ଶିତ କରାଯିବ।

ଓଡ଼ିଶା ମିଲେଟ୍ ମିଶନର ସଫଳତାରେ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଏହି ମିଶନର ଉଦ୍ୟମକୁ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାମାନେ ମିଲେଟ୍ ଚାଷର ପ୍ରଚାର ପ୍ରସାର ପାଇଁ ଶ୍ରେଷ୍ଠ ମଡେଲ୍ ଭାବେ ସ୍ୱୀକୃତି ପ୍ରଦାନ କରିଥିବା ଦେଖି ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଛନ୍ତି।

‘ମିଲେଟ୍- ଆଧୁନିକ ଆହ୍ୱାନ ପାଇଁ ପ୍ରାଚୀନ ଶସ୍ୟ’ ଶୀର୍ଷକରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବାଜରା ଓ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ସମ୍ମିଳନୀରେ ପ୍ରାୟ ୪୦୦୦ ରୁ ୫୦୦୦ କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ କୃଷକ-ଉତ୍ପାଦକ ସଂଗଠନ ଯୋଗଦେବେ।

ବାଜରା ଉପରେ ଏଭଳି ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ। ୨୦୨୩ ମସିହାକୁ ଅନ୍ତର୍ଜାତୀୟ ବାଜରା ବର୍ଷ ଭାବେ ପାଳନ କରାଯାଉଛି।

Comments are closed.