Latest Odisha News

BREAKING NEWS

ଆଇଆଇଏମ୍‌ର ବିଜନେସ୍ କନ୍‌କ୍ଲେଭ୍ ‘ମାର୍ମଗ୍ୟ ୮.୦: ବ୍ୟବସାୟିକ ସଫଳତା ପାଇଁ ସଂଯୋଜନା ଉପରେ ଗୁରୁତ୍ୱ

ସମ୍ବଲପୁର : ଭାରତର ଅଗ୍ରଣୀ ମ୍ୟାନେଜମେଣ୍ଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଦୁଇ ଦିନିଆ ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ “ମାର୍ମଗ୍ୟ ୮.୦’ ଅନୁଷ୍ଠିତ ହୋଇଯାଇଛି । ଯାହାର ବିଷୟବସ୍ତୁ ରହିଛି “କାଟାଲାଇଜିଂ ବିଜିନେସ୍ ରିଜିଲିଏନ୍ସ ବା ଏଲିଭରେଜିଂ କନଭରଜେନି୍ସ’ । ଏହି କାର୍ଯ୍ୟକ୍ରମରେ ବ୍ୟବସାୟ ପାଇଁ ସଂଯୋଜନା କିଭଳି ଏକ ଶକ୍ତିଶାଳୀ ପରିବର୍ତ୍ତନକାରୀ ହୋଇପାରିବ, ତାହା ଉପରେ କନ୍‌କ୍ଲେଭ୍‌ରେ ଗୁରୁତ୍ୱାରୋପ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୩୦ ବିଜନେସ୍ ଲିଡର, ଚିନ୍ତାନାୟକ, ଶିଳ୍ପବିଶେଷଜ୍ଞ ଓ ନୀତି ନିର୍ମାତା ସାମିଲ ହୋଇ ସମସାମୟିକ ବ୍ୟବସାୟିକ ରଣନୀତି ଓ ଶ୍ରେଷ୍ଠ ପ୍ରଥାଗୁଡ଼ିକ ଉପରେ ଆଲୋଚନା କରିଥିଲେ । ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର ସଭାପତି ଓ କ୍ଲଷ୍ଟର ମୁଖ୍ୟ କୈଳାସ ପାଣ୍ଡେ ଡିଜିଟାଇଜେସନ୍‌, ଦୀର୍ଘ ସ୍ଥାୟିତ୍ୱ ଓ କର୍ମସଂସ୍କୃତି ଉପରେ ଥିବା ଆହ୍ୱାନ ଉପରେ ଆଲୋକପାତ କରିଥିଲେ । ଡିଜିଟାଇଜେସନ ସମ୍ପର୍କରେ ସେ କହିଛନ୍ତି ଯେ, ଆମ ପାଖରେ ନୂଆ ଓ ପୁରୁଣା ପ୍ରଯୁକ୍ତିର ସମିଶ୍ରଣ ରହିଛି । ପୁରୁଣା ପ୍ରଯୁକ୍ତିରେ ଡାଟା ସହ ଯୋଡ଼ି ହେବା, ଡାଟାକୁ ପାଇବା କିମ୍ବା ବାସ୍ତବ ସମୟ ଡାଟା ସଂଗ୍ରହ କରିବା ବେଶ୍ କଷ୍ଟକର । ତେଣୁ ଏବେ ଆମେ ଡିଜିଟାଇଜେସନ, ଏଆଇ ଓ ମେସିନ ଲର୍ଣ୍ଣିଂକୁ ବ୍ୟବହାର କରି ଯୋଗାଯାଗ ସୁବିଧା ପ୍ରଦାନ କରୁଛୁ । ବାସ୍ତବ ସମୟରେ ସବୁ ମେସିନ ସେଣ୍ଟରରୁ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଘଟଣା ଘଟିବା ପୂର୍ବରୁ ତାହାର ପୂର୍ବାନୁମାନ କରାଯାଇପାରୁଛି ।

ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ୍ ନିଜ ସ୍ୱାଗତ ଭାଷଣରେ ଜେନ୍ ୩.୦ ଉପରେ ଆଲୋକପାତ କରିଥିଲେ । ଏଥିସହ ଗତ ୮ ବର୍ଷରେ ଅନ୍ତର୍ଭୁକ୍ତୀକରଣ, କ୍ଷୁଦ୍ର ବ୍ୟବସାୟକୁ ସହଯୋଗ, ଡିଜିଟାଇଜେସନ ଓ ନବସୃଜନ ଉପରେ କହିଥିଲେ । ଅନ୍ତର୍ଭୁକ୍ତୀକରଣ ପ୍ରସାର ପାଇଁ ନୋବେଲ ବିଜେତା କ୍ଲାଉଡିଆ ଗୋଲ୍‌ଡିନ୍‌ଙ୍କ କାର୍ଯ୍ୟ ଉପରେ ସେ ଆଲୋକପାତ କରିଥିଲେ । ଶିକ୍ଷାନୁଷ୍ଠାନରେ ଅନ୍ତର୍ଭୁକ୍ତୀକରଣର ପ୍ରସାର ପାଇଁ ସେ କରୁଥିବା ଉଦ୍ୟମ ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଏମବିଏ କାର୍ଯ୍ୟକ୍ରମରେ ମହିଳାଙ୍କ ଯୋଗଦାନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ।

ବାର୍‌କୋ ଇଲେକ୍ଟ୍ରୋନିକ୍ସ ସିଷ୍ଟମସ୍‌ର ପୂର୍ବତନ ଏମ୍‌ଡି ରାଜୀବ ଭଲ୍ଲା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସଂଯୋଜନା ଜରିଆରେ ବ୍ୟବସାୟ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ମାର୍ଟଫୋନ୍‌ର ଉଦାହରଣ ଦେଇ ସେ କହିଛନ୍ତି ଯେ, ତାହା ହେଉଛି କମ୍ପ୍ୟୁଟିଂ, ଯୋଗାଯୋଗ ଓ ମନୋରଂଜନର ସମିଶ୍ରଣ । ସଂଯୋଜନା ଦୁନିଆରେ ବହୁତ ପରିବର୍ତ୍ତନ ଆଣିପାରିଛି । ତେଣୁ ତାହା ହେଉଛି ବ୍ୟବସାୟ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।

ଜି୫ର ବିଜନେସ୍ ଆଣ୍ଡ୍ ମାର୍କେଟିଂ ଆନାଲିଟିକ୍ସ ନିର୍ଦ୍ଦେଶିକା ଶ୍ରୀରଚିତ ପ୍ରଧାନ କହିଥିଲେ ଯେ, ବଜାର ପରିବର୍ତ୍ତନକୁ ଗ୍ରହଣ କରିବା ଏବଂ ଏକ ପରିବର୍ତ୍ତିତ ପରିବେଶରେ ପ୍ରତିଦ୍ୱନ୍ଦ୍ୱିତାର ଲାଭ ହାସଲ କରିବା ଲାଗି ସଂଯୋଜନାକୁ ବ୍ୟବହାର କରିବାକୁ ପଡ଼ିବ । ଜଣେ ପ୍ରକୃତ ନେତୃତ୍ୱ ଆଗକୁ କ’ଣ ହେବ ତାହା ଜାଣି ପାରିବେ ଏବଂ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି କହିଥିଲେ । ଶେଷରେ ପ୍ରଫେସର ସୁଦ୍ଧେନ୍ଦ୍ର ହନୁମନ୍ତ ରାଓ ଧନ୍ୟବାଦ ଦେଇଥିଲେ ।

Comments are closed.