ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମନ-ପାଠକ ନାହିଁ କେହି
ପଢ଼େ ଅକ୍ଷର-ଭରା ବହି
କାହା ମନରେ ଥାଏ କ’ଣ
କରିପାରେନି ଅନୁମାନ
ବ୍ୟକ୍ତିର ବାଣୀ, ଆଚରଣ
ସୂଚାଏ କିପରି ତା ମନ
କେହି ତ ନୋହୁଁ ଅଂତର୍ଯାମୀ
ମନ ମଧ୍ୟେ ପାରିବା ଭ୍ରମି
ଶୃଂଖଳା-ବିହୀନ ସାହିତ୍ୟ
କେବେ ହୁଏନି ଲୋକାଦୃତ
ଲେଖିଲେ ଆଗ ପଛ ଭାବି
ସାହିତ୍ଯ ହୁଅଇ ପ୍ରଭାବୀ
ସାଧନା ଅର୍ଥତଃ ଶୃଂଖଳା
ତହିଁରେ ଲୋଡ଼ାନାହିଁ ହେଳା
ଜଗି ଲେଖିଲେ ନିଜ ସୀମା
ମାଗିବାକୁ ପଡ଼େନି କ୍ଷମା
ଲେଖକ ପାଠକ ମଧ୍ୟରେ
ବହୁ ପାର୍ଥକ୍ଯ ଥାଇପାରେ
ଏ ଯେଣୁ ନିସର୍ତ ସଂପର୍କ
ଅଲୋଡ଼ା ସବୁ ଯୁକ୍ତି ତର୍କ
ଲେଖକ ବାଛେନି ପାଠକ
ପାଠକ ବାଛଇ ଲେଖକ
କରେ ଗ୍ରହଣ, ପ୍ରତ୍ୟାଖ୍ୟାନ
ଏହା ତାହାର ଇଚ୍ଛାଧୀନ
ମିଳିଲେ ଉପହାର ବହି
କେହି ପଢ଼େନି ବାଧ୍ୟ ହୋଇ
ହୁଏତ ବହି ଥାଏ ରହି
ପାଠକ ବାଟ ଚାହିଁ ଚାହିଁ
‘ମୁଁ’ ଆଉ ‘ତୁମେ’ ବ୍ୟବହାର
ସୂଚାଏ ରଚନାର ସ୍ତର
ବ୍ୟକ୍ତିଗତ କି ସାମୂହିକ
ଭାବନାଧାରୀ ସେ ଲେଖକ
ପ୍ରିୟା ପାଇଁ ଲିଖିତ ପତ୍ର
ସବୁକୁ କରିଲେ ଏକତ୍ର
ଆପେ ତା ହୁଏନି ସାହିତ୍ୟ
ସ୍ବୀକୃତ ଅଟେ ଏହି ସତ୍ୟ
ନିଜ ‘ଦିନଲିପି’ର ପୃଷ୍ଠା
ସଜାଇଦେଇ ଜଣେ ସ୍ରଷ୍ଟା
ଲେଖା କଲେ ବି ପ୍ରକାଶିତ
ତାହା ବି ହୁଏନି ସାହିତ୍ୟ
ସରଳ, ସଫା ଲେଖା ବ୍ୟାପେ
ହୁଏନି ଏହା ଆପେ ଆପେ
ଲେଖକେ କଲେ ନିତି ଚେଷ୍ଟା
ସାହିତ୍ଯ ପାଏ ସୁପ୍ରତିଷ୍ଠା
ଜଣେ ହେଲେ ଗ୍ରହଣଶୀଳ
ସମୂହ ହୁଅଇ ସବଳ
ପରିବର୍ତନ ଘନଘନ
ହେବା ହିଁ ଜୀବନ ଲକ୍ଷଣ
Comments are closed.