ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀ ୨୦୨୩କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ୨୩ ହଜାର କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ପ୍ରକଳ୍ପକୁ ମୋଦି ସ୍ୱୀକୃତି ପ୍ରଦାନ କରିଛନ୍ତି। ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦୀର୍ଘକାଳୀନ ପ୍ରକଳ୍ପ ‘ଅମୃତ କାଳ ଭିଜନ-୨୦୪୭’ର ଅନାବରଣ କରିବା ସହ ‘ମେକ ଇନ୍ ଇଣ୍ଡିଆ, ମେଡ ଫର ୱାର୍ଲ୍ଡ’ ମନ୍ତ୍ର ଦେଇଥିଲେ । ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଏହି ଶିଖର ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି ।
ପ୍ରଧାନମନ୍ତ୍ରୀ ଗୁଜରାଟର ଦୀନଦୟାଲ ବନ୍ଦର ପ୍ରାଧିକରଣରେ ୪,୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ଟୁନା ଟେକ୍ରା ସର୍ବକାଳୀନ ଡିପ୍ ଡ୍ରାଫ୍ଟ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି । ଏହି ଅତ୍ୟାଧୁନିକ ଗ୍ରୀନଫିଲ୍ଡ ଟର୍ମିନାଲକୁ ପିପିପି ମୋଡରେ ବିକଶିତ କରାଯିବ। ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀରେ ଏହା ୩ୟ ସଂସ୍କରଣ ହୋଇଥିବା ବେଳେ ମୁମ୍ବାଇ ମେଟ୍ରୋପଲିଟାନ ରିଜିଅନ ଡେଭଲପମେଣ୍ଟ ଅଥରିଟି (ଏମଏମଆରଡିଏ) ପଡ଼ିଆରେ ଏହା ଆୟୋଜିତ ହୋଇଥିଲା। ଏହି ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ଡେପୁଟି ସିଏମ୍ ମଧ୍ୟ ସାମିଲ ହୋଇଥିଲେ।
ଏହା ପୂର୍ବରୁ ୨୦୨୧ ସଂସ୍କରଣ ସମୟରେ ସାରା ଦୁନିଆ କରୋନାକୁ ନେଇ ଅନିଶ୍ଚିତତା ଘେରରେ ରହିଥିଲା। ମାତ୍ର ଏବେ କରୋନା ପରେ ସାରା ବିଶ୍ୱ ଏକ ନୂଆ ଅର୍ଡରର ଆକାର ନେଉଛି। ଏହାସହ ବିଶ୍ୱର ଟପ-୩ ଅର୍ଥନୀତି ହେବା ଭାରତ ପାଇଁ ଆଉ ବେଶି ଦୂର ନୁହେଁ ବୋଲି ମୋଦି କହିଥିଲେ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦୁନିଆରେ ଭାରତର ଅର୍ଥବ୍ୟବସ୍ଥା କ୍ରମାଗତ ଭାବେ ମଜବୁତ ହେବାରେ ଲାଗିଛି। ଯେତେବେଳେ ଭାରତର ସାମୁଦ୍ରିକ କ୍ଷମତା ସୁଦୃଢ଼ ହେଉଛି, ସେହି ସମୟରେ ବିଶ୍ୱକୁ ବହୁତ ଲାଭ ମିଳିଛି। ଇତିହାସ ଏହାର ମୁକସାକ୍ଷୀ ହୋଇ ରହିଛି । ଏହି ସେକ୍ଟରକୁ ସଶକ୍ତ କରିବା ପାଇଁ ଗତ ୯ ବର୍ଷ ଧରି ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରହିଛି ।
ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭବିଷ୍ୟତର ବନ୍ଦର: ଡିକାର୍ବନାଇଜେସନ୍ (ଅଙ୍ଗାରକ ଶୂନ୍ୟ କରିବା), ଉପକୂଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ପରିବହନ, ଜାହାଜ ନିର୍ମାଣ, ମରାମତି ଏବଂ ପୁନଃଚକ୍ରଣ, ଅର୍ଥ, ବୀମା ଏବଂ ମଧ୍ୟସ୍ଥତା, ସାମୁଦ୍ରିକ କ୍ଲଷ୍ଟର, ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା, ସାମୁଦ୍ରିକ ନିରାପତ୍ତା ଓ ସୁରକ୍ଷା ଏବଂ ସାମୁଦ୍ରିକ ପର୍ଯ୍ୟଟନ, ସମେତ ସାମୁଦ୍ରିକ କ୍ଷେତ୍ରର ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଏହି ଶିଖର ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିବ ।
Comments are closed.