ଚେନ୍ନାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି । ବୁଧବାର ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୪୯ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ଏଥିସହ କିୱି ଟିମ ପଂଏଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୮୮ ରନ ସଂଗ୍ରହ କରିଥିଲା । ଏକଦା ୧୧୦ ରନରେ ୪ଟି ୱିକେଟ ହରାଇ ନ୍ୟୁଜିଲାଣ୍ଡ ବିପଦରେ ପଡିଥିଲା । ମାତ୍ର ଏହା ପରେ ଟମ ଲାଥାମ ଓ ଗ୍ଲେନ ଫିଲିପ୍ସ ୫ମ ୱିକେଟରେ ୧୪୪ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଲାଥାମ ୬୮ ଓ ଫିଲିପ୍ସ ୭୧ ରନ କରିଥିଲେ । ଜବାବରେ ୨୮୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ଟିମ ୩୪.୪ ଓଭରରେ ୧୩୯ ରନ କରି ଅଲଆଉଟ ହୋଇ ଯାଇଥିଲା । ରହମାତ ଶାହ ସର୍ବାଧିକ ୩୬ ରନ କରିଥିଲେ । ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।
ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ମିଚେଲ ସାଂଟେନର ଓ ଲକି ଫର୍ଗୁଶନ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଟ୍ରେଂଟ ବୋଲ୍ଟ ୨ଟି ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଫିଲିପ୍ସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଆଫଗାନିସ୍ତାନ ୪ଟି ମ୍ୟାଚରେ ୨ ପଂଏଟ ହାସଲ କରି ୯ମ ସ୍ଥାନରେ ରହିଛି ।
Comments are closed.