Latest Odisha News

BREAKING NEWS

ଏସିଆ ରଗବୀ ଏମିରେଟ୍ସ ଅଣ୍ଡର ୨୦ ସେଭେନ୍ସ: କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଟ୍ରଫି

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜ ଶୁକ୍ରବାର ଦିନ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଏସିଆ ରଗବୀ ଏମିରେଟ୍ସ ଟ୨୦ ସେଭେନ୍ସ ୨୦୨୬ (ଏସିଆ ରଗବୀ ଏମିରେଟ୍ସ ଅଣ୍ଡର ୨୦ ସେଭେନ୍ସ)ର ବିଜେତା ଟ୍ରଫି ଉନ୍ମୋଚନ କରିଛନ୍ତି । ଆସନ୍ତା ନଭେମ୍ବର ୧୪ ଏବଂ ୧୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଚାମ୍ପିୟନଶିପ୍‌ରେ ଆୟୋଜକ ଭାରତ ସମେତ ସିଙ୍ଗାପୁର, ମାଲେସିଆ, ହଂକଂ ଚାଇନା, ଥାଇଲାଣ୍ଡ, ଉଜବେକିସ୍ତାନ, ଶ୍ରୀଲଙ୍କା, ଚାଇନିଜ୍ ତାଇପେ, ନେପାଳ ଏବଂ ଜୋର୍ଡାନର ମୋଟ ୧୭ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଏଥିରେ ପୁରୁଷ ବର୍ଗରେ ୧୦ଟି ଏବଂ ମହିଳା ବର୍ଗରେ ୭ଟି ଦଳ ଟାଇଟଲ୍ ପାଇଁ ଲଢ଼େଇ କରିବେ ।

ପୁରୁଷ ବର୍ଗରେ ଭାରତ ଗ୍ରୁପ୍-ଏ ରେ ହଂକଂ ଚାଇନା, ଉଜବେକିସ୍ତାନ, ଚାଇନିଜ୍ ତାଇପେ ଏବଂ ନେପାଳ ସହ ରହିଛି । ସେହିପରି ମହିଳା ବର୍ଗରେ ଭାରତ ଗ୍ରୁପ୍-ଡି ରେ ଶ୍ରୀଲଙ୍କା ଏବଂ ସିଙ୍ଗାପୁର ସହ ସ୍ଥାନ ପାଇଛି । ରଗବୀ ପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଦେଖିବା ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି । ନଭେମ୍ବର ୧୫ ତାରିଖରେ ଉଭୟ ବର୍ଗର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏହି ଅବସରରେ ଏସିଆ ରଗବୀ ଉଋଙ ବେଞ୍ଜାମିନ୍ ଭାନ୍ ରୁୟେନ୍ ଭାରତରେ ରଗବୀର ବିକାଶ ଏବଂ ଯୁବ ଖେଳାଳିଙ୍କ ପାଇଁ ଏହି ପ୍ଲାଟଫର୍ମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କ୍ରୀଡ଼ା ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜ ଓଡ଼ିଶାରେ ଏହି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନକୁ ନେଇ ଖୁସି ବ୍ୟକ୍ତ କରିବା ସହ ସମସ୍ତ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.