ନୂଆଦିଲ୍ଲୀ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଆଜି ସ୍ୱଦେଶ ଫେରିଛନ୍ତି । ୪ ବର୍ଷ ଧରି ବିଦେଶରେ ରହିବା ପରେ ଏବେ ଫେରିଛନ୍ତି ଦେଶକୁ । ଦୁବାଇରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଫେରିଲେ ସରିଫ୍ । ନିର୍ବାଚନ ପୂର୍ବରୁ ନବାଜ ସରିଫଙ୍କ ଘରବାହୁଡା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ନିର୍ବାଚନରେ ପୁଣି ଏଣ୍ଟ୍ରିମାରିବାର ସମ୍ଭାବନକୁ ନେଇ ହିସାବ ଚାଲିଛି । ତେବେ ନବାଜ ସରିଫଙ୍କ ଘରବାହୁଡାକୁ ଦୃଷ୍ଟିରେ ରଖି ଲାହୋରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ନବାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗର ବରିଷ୍ଠ ନେତା ଖ୍ୱାଜା ମହମ୍ମଦ ଆସିଫ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଘର ପ୍ରତ୍ୟାବର୍ତ୍ତନ ନେଇ ଏକ ବୟାନ ଜାରି ରଖିଛନ୍ତି । ସେ କହିଛନ୍ତି, ଏହା ଆଶା ଏବଂ ଉତ୍ସବର ସମୟ । ତାଙ୍କର ପ୍ରତ୍ୟାବର୍ତ୍ତନ ଦେଶର ଅର୍ଥ ବ୍ୟବସ୍ଥା ଏବଂ ଲୋକଙ୍କ ପାଇଁ ଏକ ଶୁଭ ସଙ୍କେତ ।
ଦଳ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି, ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଦୁବାଇରେ ଅନେକ ଦିନ ବିତାଇଲେ । ଏବେ ସେ ରାଜଧାନୀ ଇସଲାମବାଦ ଆସିବେ । ପୁଣି ଲାହୋର ଯିବେ । ସେଠାରେ ତାଙ୍କ ସମର୍ଥକ ତାଙ୍କୁ ସ୍ୱାଗତ କରିବା ପାଇଁ ଏକ ରାଲିର ଆୟୋଜନ କରିଛନ୍ତି ।
ନବାଜ ସରିଫଙ୍କ ସ୍ୱାଗତ ରାଲିକୁ ନେଇ ପୋଲିସ ପକ୍ଷରୁ କଡା ସତର୍କତା ଜାରି କରାଯାଇଛି ।
Comments are closed.