Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ ସାମଗ୍ରୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ କିଛି ସାମଗ୍ରୀ ମନ୍ଦିର ଭିତରକୁ ନେବା ବାରଣ ହୋଇଛି। ସାଧାରଣତଃ କେବଳ ଶ୍ରୀମନ୍ଦିର ନୁହେଁ ସବୁ ପ୍ରକାର ଧାର୍ମିକ ସ୍ଥଳ ଓ ଆଶ୍ରମ, ମନ୍ଦିର, ମଠ ମଧ୍ୟରେ ଏହି ସବୁ ସାମଗ୍ରୀ ନିଷେଧ ଅଟେ ବା ନିଷେଧ ହେବା ଉଚିତ। ଯଥା: –

ନିଷେଧ ସାମଗ୍ରୀ :- ଜୋତା ମୋଜା ଓ ବିଭିନ୍ନ ଚମଡା ସାମଗ୍ରୀ ଯଥା କମର ପଟି (ବେଲ୍ଟ ), ଚମଡା ଥଳି ବା ବ୍ୟାଗ, ଇତ୍ୟାଦି। ଏହାଛଡା ଛତା, ବର୍ଷାତି, କ୍ୟାମେରା, ରେଡ଼ିଓ ଇତ୍ୟାଦି ।

ମାଦକ ଦ୍ରବ୍ୟ :- ସମସ୍ତ ପ୍ରକାର ମାଦକ ଦ୍ରବ୍ୟ, ବିଡି, ସିଗାରେଟ, ମଦ, ଗଞ୍ଜେଇ ଇତ୍ୟାଦି ମଧ୍ୟ ସମ୍ପୂର୍ଣ୍ଣ ରୂପେ ନିଷେଧ ହୋଇଛି। କେତେକ ପୂଜାରେ ଗଞ୍ଜେଇ ବ୍ୟବହାର ହେଉଥିଲେ ମଧ୍ୟ ମନ୍ଦିର ମଧ୍ୟରେ ଏହାର ସେବନ ସମ୍ପୂର୍ଣ ନିଷେଧ ଅଟେ। ସେହିପରି ବିସ୍ଫୋରକ ଦ୍ରବ୍ୟ ଯଥା ଗୁଳି ବାରୂଦ ଇତ୍ୟାଦି ସମ୍ପୂର୍ଣ୍ଣ ରୂପେ ନିଷେଧ ଅଟେ।

ଏପରିକି କୌଣସି ବ୍ୟକ୍ତି କୌଣସି ମlରଣା ଅସ୍ତ୍ର ଧରି କୌଣସି ମନ୍ଦିରକୁ ପ୍ରବେଶ କରିବା ଅନୁଚିତ ଓ ଦୋଷାବହ ଅଟେ। କେବଳ ମାରଣା ଅସ୍ତ୍ର ଧରି ପ୍ରବେଶ ନିଷେଧ ନୁହେଁ ନିମ୍ନ ଲିଖିତ ବ୍ୟକ୍ତିମାନେ ମଧ୍ୟ ପ୍ରବେଶ ଅନୁମତି ପାଇନଥାନ୍ତି। ଯଥା:- ପାଗଳ, ଉନ୍ମତ୍ତ ବ୍ୟକ୍ତି, ଭିକାରୀ, ନିଶାଗ୍ରସ୍ତ ବ୍ୟକ୍ତି, କୁଷ୍ଠ ରୋଗୀ ଇତ୍ୟାଦି।

ବର୍ତ୍ତମାନ ଜାଣିବା ଯେଉଁମାନେ ପ୍ରବେଶ ଅଧିକାର ପାଇଛନ୍ତି ସେମାନେ କଣ କରିବେନି ବା ତାଙ୍କର ଆଚରଣ କିପରି ହେବା ଉଚିତ।

ସାଧାରଣରେ ଦେବ ମନ୍ଦିର ମଧ୍ୟରେ ଆସନ ପକାଇ ବସିବେନି।ବାହାରେ ବୁଲିବାକୁ ଯିବା ସମୟରେ ଯେପରି ବେଡ଼ସିଟ, ଚାଦର, ମସିଣା, ଦରି ଇତ୍ୟାଦି ପକାଇ ବସିଥାଉ, କୌଣସି ଠାକୁର ମନ୍ଦିର ମଧ୍ୟରେ ତାହା ବର୍ଜନୀୟ ଅଟେ। ଭାରତରେ ଅନେକ ମନ୍ଦିର ଏମିତି ଅଛି, ଯେଉଁଠାକୁ କେବଳ ଏକ ନିର୍ଦ୍ଧିଷ୍ଟ ପୋଷକ ପିନ୍ଧି ଯିବାକୁ ହୋଇଥାଏ। ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ ପାଇଁ ସେପରି କିଛି ବ୍ୟବସ୍ଥା ନଥିଲେ ବି ବର୍ତ୍ତମାନ ପୋଷାକର ଶୋଭନୀୟତା ଉପରେ ଜୋର ଦିଆ ଯିବା ପାଇଁ ଚିନ୍ତା କରା ଯାଇଛି। ଅନ୍ୟ ଅର୍ଥରେ କହିଲେ ଅଶୋଭନୀୟ ପୋଷକ ପରିଧାନ କରି ଶ୍ରୀମନ୍ଦିର ପ୍ରବେଶକୁ ନିଷେଧ ହୋଇଛି। ଏହା ମଣିଷର ସ୍ୱ ସ୍ୱ ଆଚରଣ ଉପରେ ନିର୍ଭର କରେ।

ତେଣୁ ଆଗାମୀ ଅଧ୍ୟାୟ ରେ ଜାଣିବା ମନ୍ଦିର ପ୍ରବେଶ କରୁଥିବା ଦର୍ଶନାର୍ଥୀ ଓ ଭକ୍ତମାନେ କିପରି ଆଚରଣ କରିବା ଉଚିତ ଓ କଣ ନକରିବା ଉଚିତ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ସେ ଧନେ ପୋଷେ ନିଜ ଦେହୀ
ମୃତ୍ୟୁ ଭାବନା ନ କରଇ।
ସକଳ ଜୀବେ ନର ହରି
ବସଇ ଆତ୍ମା ରୂପ ଧରି।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.