ବୌଦ୍ଧ: ରାଜ୍ୟର ଅନ୍ୟତମ ଐତିହାସିକ ପୀଠ ବୌଦ୍ଧ ଜିଲାର ପୁରୁଣାକଟକ ଠାରେ ପ୍ରତ୍ୟକ୍ଷ ଦେବୀ ମା’ ଭୈରବୀଙ୍କ ଷୋହଳ ଗୁପ୍ତ ପୂଜା ଆରମ୍ଭ ହୋଇଅଛି । ଏହି ସମୟରେ ମା’ ଙ୍କୁ ଗୁପ୍ତଭାବେ ମଧ୍ୟ ରାତ୍ରୀରେ ପୂଜା ହୋଇଥାଏ ଏବଂ ୧୬ ଦିନ ପରେ ନବମୀ ତିଥିରେ ଯାଇ ଭକ୍ତମାନେ ଦର୍ଶନ କରିଥାଆନ୍ତି ।
ଆରାଧ୍ୟା ଦେବୀ ମା’ ଭୈରବୀ, ଆଦ୍ୟାଶକ୍ତି ମା’ ସେ । ସ୍ନେହ ଓ କରୁଣା ପ୍ରଦାୟିନୀ ମା’ ସର୍ବଦା ଅପଲକ ନୟନରେ ଚାହିଁ ରହିଛନ୍ତି ଭକ୍ତର ମନସ୍କକାମନା ପୁରଣ କରିବା ପାଇଁ । ପ୍ରତ୍ୟକ୍ଷଦେବୀ ମା’ ଭୈରବୀଙ୍କ ନାମ ସ୍ମରଣ ମାତ୍ରେ ସବୁ ଦୁଖ ଭୁଲିଯାଏ ଭକ୍ତ ।
ସେଥିପାଇଁ ତ ଦୁରୁଦୁରାନ୍ତରୁ ଭକ୍ତମାନେ ଧାଇଁ ଆସନ୍ତି ମାଙ୍କ ଦର୍ଶନପାଇଁ । ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ର ପୁରୁଣାକଟକ ଠାରେ ମା’ ବିରାଜିତା । ବୌଦ୍ଧ ସଦର ମହକୁମା ଠାରୁ ୩୦ କିମି ଗଲେ ପଡେ ମା’ଙ୍କ ମନ୍ଦିର । ବର୍ତମାନ ମା’ ଭୈରବୀଙ୍କ ପୀଠରେ ଚାଲିଛି ଷୋହଳ ପୁଜା ।
ଆଶ୍ୱିନ ମୁଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କ ଏହି ଗୁପ୍ତପୁଜା କରାଯାଇଥାଏ । ପ୍ରଥା ଅନୁଯାୟୀ ଆଶ୍ୱିନ ମୁଳାଷ୍ଟମୀ ଦିନ ଗଡସାହି ରୁ ମା’ଙ୍କ ବିଜୟ ପ୍ରତିମା ଓ ପାଟ ଖଣ୍ଡା କୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରିଥାଏ ।
ଏହି ଶୋଭାଯାତ୍ରା ପୁରୁଣାକଟକ ସହରର ବିଭିନ୍ନ ପଡା ପରିକ୍ରମା କରି ମନ୍ଦିରକୁ ପହଁଚି ଥାଏ । ଘଂଟ ଘଂଟା, ବାଦ୍ୟ ନିଶାଣ ଓ ମହୁରୀର ଧ୍ୱନୀରେ ଶୋଭାଯାତ୍ରା ପ୍ରକମ୍ପିତ ହୋଇଥାଏ । ଏକ ଶୁସଜ୍ଜିତ ବିମାନରେ ମା’ଙ୍କ ବିଜୟ ପ୍ରତିମା ଓ ପାଟଖଣ୍ଡା ସହର ପରିକ୍ରମା କଲାବେଳେ ଭକ୍ତମାନେ ଘର ଆଗରେ ପୂର୍ଣ୍ଣ କଳସ ରଖି ବନ୍ଦପନା କରିଥାନ୍ତି । ପାର୍ବଣର ରୁତୁ ଆସିଲେ ମାଙ୍କ ପୁଜା ସହ ପୁରୁଣାକଟକ ସହର ପ୍ରସିଦ୍ଧ ଦୁର୍ଗା ପୁଜା ପାଇଁ ଚଳଚଂଚଳ ହୋଇ ଉଠେ । କେଉଁ ଆବାହମାନ କାଳରୁ ମା’ ଭୈରବୀ ଏହି ପୀଠରେ ପୁଜା ପାଇ ଆସୁଛନ୍ତି ।
ଭକ୍ତର ବୈକୁଣ୍ଠ କୁହା ଯାଉଥିବା ଏହି ଶକ୍ତିପୀଠର ପୂଜା ପଦ୍ଧତି ଏବଂ ପରମ୍ପରା ରାଜ୍ୟର ଅନ୍ୟ ଶକ୍ତିପୀଠର ପରମ୍ପରା ଠାରୁ ଅନେକ ଭିନ୍ନତା ଦେଖିବାକୁ ମିଳିଥାଏ । ପରମ୍ପରା ଅନୁ୍ଯାୟୀ ଏଠାରେ ଷୋହଳ ଦିନ ପର୍ଯ୍ୟନ୍ତ ଚାଲୁଥିବା ଗୁପ୍ତ ପୂଜା ସମୟରେ ଭକ୍ତ ମାନଙ୍କ ପାଇଁ ମା’ଙ୍କ ଦର୍ଶନକୁ ସମ୍ପୁର୍ଣ୍ଣ ନିଷିଦ୍ଧ କରାଯାଇଥାଏ ।
ଏହି ଷୋଳ ଦିନ ମନ୍ଦିର ବାହାରେ ଥିବା ସାହାଡା ବୃକ୍ଷକୁ ମା’ଙ୍କ ପ୍ରତିକ ଭାବେ ପୁଜା କରାଯାଇଥାଏ ଏବଂ ସେହିଠାରେ ଭକ୍ତ କେବଳ ଦୀପ ଜାଳିଥାଏ । ରିତିନିତି ଅନୁଯାୟୀ ଏଠାରେ ମା’ ସଂପୂର୍ଣ୍ଣ ଭାବେ ଗୁପ୍ତରେ ପୁଜା ପାଇଥାଆନ୍ତି । ଷୋହଳ ଦିନ ପର୍ଯ୍ୟନ୍ତ ମନ୍ଦିର ଚର୍ତୁପାଶ୍ୱର୍କୁ ସଂପୂର୍ଣ୍ଣଭାବେ ବନ୍ଦ କରାଯାଇଥାଏ ।
ଆଲୋକ ନିର୍ବାପିତ କରାଯାଏ ଫଳରେ ସର୍ବତ୍ର ଅନ୍ଧକାରମୟ ହୋଇରହିଥାଏ । ଏପରିକି ଏହି ସମୟରେ ସେବକ ଓ ଭକ୍ତମାନଙ୍କ ପାଇଁ ଉଚ୍ଚସ୍ୱରରେ କଥୋପକଥନକୁ ମଧ୍ୟ ବାରଣ କରାଯାଏ । ଏହି ଷୋହଳ ଦିନ ମା’ଙ୍କ ପୁଜା ସଂପୂର୍ଣ୍ଣ ଗୁପ୍ତଭାବେ ମଧ୍ୟରାତ୍ରରେ ମା’ଙ୍କ ସ୍ୱତନ୍ତ୍ର ପୁଜା ଅନୁଷ୍ଠିତ ହୋଇଥାଏ , ଏହି ସମୟ ମଧ୍ୟରେ କେବଳ ନିଦ୍ଧିଷ୍ଟ ସେବକମାନେ ହିଁ ଉପସ୍ଥିତ ରହିଥାଆନ୍ତି । ଷୋହଳ ଦିନର ଗୁପ୍ତ ପୂଜା ପରେ ନବମୀତିଥିରେ ମା’ଙ୍କ ପୀଠରେ ନବାନ୍ନ ଲାଗି କରାହୁଏ ।
ଏହା ପରେ ଅଂଚଳବାସୀ ନୁଆ ଖାଇଥାଆନ୍ତି । ରାଜୁଡା ସମୟରୁ ପୀଠ ସହିତ ଖଞ୍ଜା ହୋଇ ରହିଥିବା ଷୋହଳ ଖଣ୍ଡ ମୌଜାର ଭକ୍ତମାନେ ମା’ଙ୍କ ପୁଜା କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପ୍ରତି ଯତ୍ନବାନ ହୋଇଥାନ୍ତି ।
Comments are closed.