ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଛତିଶଗଡ଼ରେ କଂଗ୍ରେସ ସରକାର ଉପରେ ଦୁର୍ନୀତି ଅଭିଯୋଗ ଆଣି କହିଛନ୍ତି ଯେ, କଂଗ୍ରେସ ସରକାର ‘ମହାଦେବ’ଙ୍କୁ ମଧ୍ୟ ଛାଡ଼ି ନାହିଁ।
ଅନଲାଇନ୍ ବେଟିଂ ଆପ୍ ମହାଦେବର ପ୍ରମୋଟରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ 508 କୋଟି ଟଙ୍କା ପାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଭିଯୋଗକୁ ଆଧାର କରି ମୋଦୀ ନିର୍ବାଚନୀ ରାଲିରେ ଏହି ମନ୍ତବ୍ୟ ଦେଇଛନ୍ତି।
କଂଗ୍ରେସ ସରକାର ଲୋକଙ୍କୁ ଶୋଷଣ କରିବା ପାଇଁ ଉଦ୍ୟମ କରୁଛି। ଦୁର୍ନୀତି କରିବାକୁ ଯାଇ ମହାଦେବଙ୍କ ନାଁ ମଧ୍ୟ ଛାଡୁନି ବୋଲି ସେ ଦୁର୍ଗରେ ଏକ ନିର୍ବାଚନୀ ସଭାରେ କହିଛନ୍ତି।
ରିପୋର୍ଟକୁ ଆଧାର କରି ସେ ଦାବି କରିଛନ୍ତି ଯେ ଗତ ଦୁଇ ଦିନରେ କୋଟି କୋଟି ଟଙ୍କା ଜବତ ହୋଇଛି। ଏହି ଟଙ୍କା ଏକ ବେଟିଂ ଆପ୍ ଜରିଆରେ ଗରିବଙ୍କ ଠାରୁ ହାସଲ କରାଯାଇ ରାଜ୍ୟକୁ ନିର୍ବାଚନରେ ବ୍ୟବହାର ପାଇଁ ପଠାଯାଇଥିଲା ବୋଲି ସେ କହିଛନ୍ତି।
ମଦ, ସିମେଣ୍ଟ, ଚାଉଳ, ଡିଏମ୍ଏଫ୍ ଫଣ୍ଡ, କରୋନା କର ଆଦିରେ କଂଗ୍ରେସ ସରକାର ଦୁର୍ନୀତି କରିଥିବା ମୋଦୀ ଅଭିଯୋଗ କରିଛନ୍ତି। ବ୍ୟାପକ ଦୁର୍ନୀତି ଯୋଗୁଁ ଛତିଶଗଡ଼ବାସୀ କଂଗ୍ରେସ ସରକାର ଉପରେ ଆସ୍ଥା ହରାଇଥିବା ବେଳେ ବିଜେପି ଥରେ କ୍ଷମତାକୁ ଆସିଲେ ଦୁର୍ନୀତିରେ ଲିପ୍ତ ଥିବା ଲୋକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି, ଏହି ବ୍ୟକ୍ତିମାନେ ସିଧାସଳଖ ଲଢ଼ିପାରିବେ ନାହିଁ। ସେମାନେ ସିବିଆଇ, ଇଡି ଜରିଆରେ ନିର୍ବାଚନ ଲଢ଼ୁଛନ୍ତି। ଉଦାହରଣ ସ୍ୱରୂପ ରାଜ୍ୟରେ ଗତକାଲି ଦୁଇଟି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଗୋଟିଏ ବିଜେପି ଲେଟର ହେଡରେ ହିନ୍ଦୀରେ, ଅନ୍ୟଟି ଇଡି ଲେଟର ହେଡରେ ଇଂରାଜୀରେ। ବାଘେଲ ଦୁବାଇର ଏହି ଆପ୍ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିବାକୁ ଚାହେଁ ଯେ ଦୁବାଇ ଲୋକଙ୍କ ସହ ଆପଣଙ୍କ ସମ୍ପର୍କ କ’ଣ?
କାହିଁକି ବନ୍ଦ କରାଗଲାନି ‘ମହାଦେବ’ ଆପ୍? ଏହା କେନ୍ଦ୍ର ସରକାରଙ୍କର କାମ। ସେମାନଙ୍କ ସହ କୌଣସି ଡିଲ୍ ହୋଇଛି କି? ଇଡି ପକ୍ଷରୁ ଏକ ମେଲକୁ ଆଧାର କରି ଏହି ସୂଚନା ଦିଆଯାଇଛି। ମେଲରେ ଯେ କେହି କାହାର ନାଁ ଲେଖିପାରିବେ ଏବଂ ସମାଜରେ ଅନେକ ବାଘେଲ ଅଛନ୍ତି। ଏହି ଅଭିଯୋଗ ଆଣିବା ପୂର୍ବରୁ ଆପଣ ତଦନ୍ତ ମଧ୍ୟ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଇଡି ଏବଂ ଆଇଟି ଏଠାରେ ବୁଲୁଛନ୍ତି; ହୋଟେଲରେ ଟଙ୍କା କିପରି ପହଞ୍ଚିଲା? ଏହାର ଅର୍ଥ ହେଉଛି ଏହା ଆପଣଙ୍କ ମୂଲ୍ୟହୀନ… ବୋଲି ଭୂପେଶ ବାଘେଲ କହିଛନ୍ତି।
Comments are closed.