ସାଧାରଣତଃ ଗଭୀର ସମୁଦ୍ର ଭିତରେ ବିଭିନ୍ନ ପ୍ରକାରର ସାମୁଦ୍ରିକ ଜୀବ ରହିଥାନ୍ତି । କେବେ କେବେ ଉପରକୁ ଉଠି ଆସୁଥିବା ବିରଳ ଜୀବ ମଧ୍ୟ ଦେଖିବାକୁ ମିଳେ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେଥିମଧ୍ୟରୁ ‘ଷ୍ଟାର ଫିସ୍’ ଅନ୍ୟତମ । ଏବେ ଏହି ଷ୍ଟାର ଫିସ୍ ବିଷୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଜଣାଯାଇଛି ଯେ, ଷ୍ଟାର ଫିସର ଗଣ୍ଡି ନାହିଁ କେବଳ ରହିଛି ମୁଣ୍ଡ ।
ବୈଜ୍ଞାନିକମାନେ ଜୀବଜନ୍ତୁମାନଙ୍କର ମୁଣ୍ଡକୁ ସହଜରେ ଚିହ୍ନି ପାରୁଥିବା ବେଳେ ‘ଷ୍ଟାର ଫିସ୍’ମାନଙ୍କ ସମ୍ପର୍କରେ ସେମାନେ ନିଶ୍ଚିତ ନ ଥିଲେ । ‘ଷ୍ଟାର ଫିସ୍’ଙ୍କର ପାଞ୍ଚଟି ସମାନ ବାହୁ ଥାଏ , ଯାହା ତଳେ ‘ନଳୀ ପାଦ’ମାନ ରହିଥାଏ । ଯାହା ସେମାନଙ୍କୁ ସମୁଦ୍ର ପାଣିରେ ଗତି କରିବାରେ ସହାୟକ ହୋଇଥାଏ । ସେମାନଙ୍କର ଏପରି ଶାରୀରିକ ଗଠନ କାରଣରୁ ସେମାନଙ୍କର ଦେହର ଆଗ-ପଛ କି ଗଣ୍ଡି ଅଛି କି ନାହିଁ, ତାହା ପ୍ରାଣୀବିଜ୍ଞାନୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଆସିଛି ।
ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ‘ଷ୍ଟାର ଫିସ୍’ର ସମଗ୍ର ଦେହ ହେଉଛି କେବଳ ଏକ ବିଶାଳ ମୁଣ୍ଡ, ତାହାର ଗଣ୍ଡି କି ଲାଞ୍ଜ ନାହିଁ । ବିବର୍ତ୍ତନ ପ୍ରକ୍ରିୟାରେ ସମ୍ଭବତଃ ଅନ୍ୟ ଅଙ୍ଗଗୁଡ଼ିକୁ ସେ ହରାଇ ବସିଛି । ଗବେଷକଙ୍କ କହିବାନୁସାରେ, ଏହି ସାମୁଦ୍ରିକ ଜୀବର ପୂର୍ବ ବଂଶଧରଙ୍କ ଅଦ୍ଭୁତ ଜୀବାଶ୍ମରେ ଏକ ପ୍ରକାରର ଗଣ୍ଡି ଦେଖିବାକୁ ମିଳିଛି । ତେବେ ଆଜିର ‘ଷ୍ଟାର ଫିସ୍’ ଗଣ୍ଡିବିହୀନ ମୁଣ୍ଡଟିଏ ଭାବେ ତିଷ୍ଠି ରହି ସମୁଦ୍ରଶଯ୍ୟାରେ ଘୁଷୁରି ଘୁଷୁରି ଗତି କରୁଛି ।
ଉଲ୍ଲେଖଯୋଗ୍ୟ, ‘ଷ୍ଟାର ଫିସ୍’ର ଜୀବନ ଏକ ଅଣ୍ଡା ଭାବରେ ଆରମ୍ଭ ହୋଇଥାଏ, ଯାହା ଉଷୁମ ହୋଇ ଫୁଟିଲା ପରେ ଲାର୍ଭା ରୂପରେ ସମୁଦ୍ର ପାଣିରେ ପହଁରିଥାଏ । କିଛି ସପ୍ତାହ ବା ମାସ ଧରି ପହଁରିବା ପରେ ସେଗୁଡ଼ିକ ସମୁଦ୍ରଶଯ୍ୟାରେ ଏକ ରୂପାନ୍ତର ପ୍ରକ୍ରିୟା ଦେଇ ଗଲା ପରେ ତାରା ବା ପଞ୍ଚବାହୁ ରୂପ ନେଇଥାନ୍ତି ।
Comments are closed.