ଭୁବନେଶ୍ୱର: ଓଡ଼ିଶା ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସଆଇ)ର ଦାୟିତ୍ୱହୀନତାକୁ ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରିଛନ୍ତି । ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ଫାଟ ସୃଷ୍ଟି ହୋଇଥିଲେ ମଧ୍ୟ ଏଏସଆଇର ଅବହେଳା ଯୋଗୁଁ ଏହାର ମରାମତି କାର୍ଯ୍ୟ ହୋଇପାରିନାହିଁ କିମ୍ବା ଏହି ଐତିହ୍ୟ ସମ୍ପନ୍ନ ମନ୍ଦିରର ଠିକ୍ ଭାବେ ରକ୍ଷଣାବେକ୍ଷଣ ହୋଇପାରୁ ନଥିବା ଯୋଗୁଁ ରାଜ୍ୟ ସରକାର ଏଏସଆଇ ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି ।
ଏନେଇ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ଏଏସଆଇ ଡ଼ିଜିଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ଦେବୋତ୍ତର କମିଶନର୍ ଚିତ୍ତରଞ୍ଜନ ମହାପାତ୍ର ଏସମ୍ପର୍କରେ ଏକ ପତ୍ର ମାଧ୍ୟମରେ ଜଣାଇ ଲେଖିଛନ୍ତି ଯେ, ୧୧ଶ ଶତାବ୍ଦୀର ଏହି ପୁରାତନ ମନ୍ଦିରର ଦଧିନଉତିରେ ଫାଟ ସୃଷ୍ଟି ହୋଇଛି । ଏହାର ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହେବା ଉଚିତ । ମନ୍ଦିରର ଚାରିପାଖରେ ରହିଥିବା ଅନେକ ପାଶ୍ୱର୍ଦେବତାଙ୍କ ମୂର୍ତ୍ତିରେ ପାଟ ସୃଷ୍ଟି ହୋଇଥିଲେ ମଧ୍ୟ ଏଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି । ଏହିସବୁ ମୂର୍ତ୍ତିଗୁଡ଼ିକର ମରାମତି କାର୍ଯ୍ୟ ହେଉ କିମ୍ବା ମୂର୍ତ୍ତି ବଦଳ କରିବା ନେଇ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ ।
ଏହି ପତ୍ରରେ ଉଲ୍ଲେଖ ରହିଛି ଯେ, ମୁଖ୍ୟ ମନ୍ଦିରରେ ଥିବା ପଥର ଯୋଡ଼ାରେ ମରାମତି ଅଭାବରୁ ପାଣି ଗଳୁଛି । ବେଢା ମଧ୍ୟରେ ରହିଥିବା ଜଗମୋହନ, ପାର୍ବତୀ ମନ୍ଦିର, ରୋଷଘର, ଭୋଗମଣ୍ଡପ, ବିଶ୍ୱକର୍ମା ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, ଏକାମ୍ରେଶ୍ୱର ମନ୍ଦିର, ଉଗ୍ରେଶ୍ୱର ମନ୍ଦିରରେ ମଧ୍ୟ ସାମାନ୍ୟ ବର୍ଷାରେ ପାଣି ଗଳୁଛି । ମନ୍ଦିରରେ ପଥର ଗଳି ପଡ଼ିବା ପରି ପରିସ୍ଥିତି ସୃଷ୍ଟି ହୋଇଛି ।
ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ପୂର୍ବରୁ ଏଏସଆଇ ପକ୍ଷରୁ ୧୦ରୁ ୧୨ ଜଣ ବ୍ୟକ୍ତି ସାଧାରଣ ରକ୍ଷଣାବେକ୍ଷଣ ଲାଗି କାର୍ଯ୍ୟ କରୁଥିଲେ । ମାତ୍ର ବର୍ତ୍ତମାନ ୨ରୁ ୩ ଜଣ ବ୍ୟକ୍ତି ଏହି ଦାୟିତ୍ୱରେ ରହିଛନ୍ତି ।
ଏଏସଆଇ ଡ଼ିଜିଙ୍କୁ ପତ୍ର ମାଧ୍ୟମରେ ଦେବୋତ୍ତର କମିଶନର ଅନୁରୋଧ କରି କହିଛନ୍ତି ଯେ, ଏଥିଲାଗି ତୁରନ୍ତ ବିହିତ ପଦକ୍ଷେପ ଏଏସଆଇ ପକ୍ଷରୁ ନେବା ଆବଶ୍ୟକ ।