କ୍ରୁଶବିଦ୍ଧର ସମୟ

କ୍ରୁଶବିଦ୍ଧର ସମୟ

ନିହାର ରଂଜନ ପରିଡା

ଯେଉଁମାନେ ବୁଝନ୍ତିନି
କାହିଁକି ଉଠେ ଦୀର୍ଘଶ୍ୱାସ
ଦିନେ ସେମାନଙ୍କୁ ହିଁ ତ ଭାବିଥିଲି
ବନ୍ଧୁ, ସଖା ଏବଂ ସହୋଦର

ଏବେ କିନ୍ତୁ ମୁଖାର ଖୋଳପା ତଳୁ
ସ୍ପଷ୍ଟ ଦିଶୁଛି ଆତ୍ମୀୟଙ୍କ ମୁହଁ
ମୋ କ୍ରୁଶବିଦ୍ଧ ହେବାର ଅପେକ୍ଷାରେ
ପ୍ରାର୍ଥନା ମୁଦ୍ରାରେ ଏବେ ଅନେକ ହାତ
ଈଶ୍ୱରଙ୍କୁ ଅର୍ପଣ ହେଉଛି ଘୃତ ଏବଂ ନୈବେଦ୍ୟ

ଅପବାଦମାନଙ୍କ ପ୍ରେମରେ ପଡୁଥିଲି ଯେତେବାର
ମୋ ଦେହ ମୋତେ ହିଁ ବାସୁଥିଲା ପ୍ରେମିକ ପ୍ରେମିକ
ଗଜୁରୁଥିବା ହଳେ ଡେଣାର ଆତ୍ମୀୟତାରେ
ପଦଚିହ୍ନରେ ତିଆରି ରାସ୍ତାସବୁ ମନେ ହେଲେ ଅସାର

କ୍ରମଶଃ ତଳେ ଚାଲୁଥିବା ପାଦମାନେ
ଶତ୍ରୁ ହୋଇଗଲେ ଉଡୁଥିବା ଡେଣାର
ପ୍ରେମିକମାନେ ବା କେବେ କରି ପାରିଛନ୍ତି ଯୁଦ୍ଧ ?
ପ୍ରେମିକର ପାପୁଲିରେ
ଚିରକାଳ ଲେଖାଥାଏ ସମ୍ଭାବନା କ୍ରୁଶବିଦ୍ଧର

ଅପେକ୍ଷା ଏବେ
କ୍ରୁଶବିଦ୍ଧ ପରର ସମୟ
ଯେଉଁଠି ବଳକା ନିଶ୍ୱାସମାନଙ୍କ ସରୁଥିବା ଆୟୁଷରେ
କେତେଜଣ ଛଦ୍ମବେଶୀଙ୍କ କହୁଛନ୍ତି ଆହା ପଦ
ତେବେ କ’ଣ ସେଥିପାଇଁ ବି ସୂର୍ଯ୍ୟ ସହ ବୁଝାମଣା କରି
ମଧ୍ୟାହ୍ନକୁ ଅଟକେଇ ହେବ କିଛି କ୍ଷଣ ?
ଆଉ ପୁରୁଣା ଘା’ର କ୍ଷତରେ ପଟି ବାନ୍ଧିବାକୁ
କେଉଁ ପ୍ରବାସ ଫେରନ୍ତା ନାଗରର ପ୍ରେମିକା ପରି
କେହିଜଣେ ଲମ୍ବେଇ ଦେବ ତା’ର ହାତ ଓ ପଣତ ?

ନା ସେ ସବୁର ଆଶା ନାହିଁ
ଏବେତ ପ୍ରେମିକା ଭଳି ଲାଗୁଥିବା କିଛିଙ୍କ ଆଖିରେ
ନାହିଁ ଦିଟୋପା ଲୁହ
ବରଂ ଓଠରେ ଅଭିଶାପ
ମତେ ବଞ୍ଚେଇବାର ଆଶ୍ୱାସନା ଦେଇ
ଆତ୍ମୀୟମାନେ ଷଡ଼ଯନ୍ତ୍ରରେ ମଗ୍ନ
ବିପକ୍ଷ ଶିବିରରୁ ଶୁଭିଲାଣି ମୋ ପାଇଁ ମୃତ୍ୟୁର ସଙ୍ଗୀତ
ସୁତରାଂ ନିଜ ସମାଧି ଏବେ ଏଠି ନିଜକୁ ଗଢ଼ିବାକୁ ହେବ

ଏଥର ଆସ
ଈର୍ଷା ଓ ଅବସୋସର କଣ୍ଟାରେ ପିଟିପିଟି
ମୋତେ ଅବଶ କର
କ୍ରୁଶରେ ଅପେକ୍ଷା କରିଛି ମୋର ଦେହ
କିନ୍ତୁ ମନେରଖ
ସେ ପ୍ରେମରେ ବହୁକାଳୁ ସମାଧିସ୍ଥ…

LEAVE A REPLY

Please enter your comment!
Please enter your name here