ସମ୍ବଲପୁର: ନୈତିକ ଶିକ୍ଷା ଆମ ଜୀବନକୁ ଗଢ଼ିବାରେ ସହାୟକ ହୋଇଥାଏ ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ । ନୈତିକ ଶିକ୍ଷା ଆମକୁ କରୁଣା, ଦୟା, ବନ୍ଧୁତା ଏବଂ ଭାଇଚାରାର ଜୀବନ ମୂଲ୍ୟବୋଧ ବିଷୟରେ ସଚେତନ କରେ । ଏହି ଗୁଣଥିବା ବ୍ୟକ୍ତି ମାନଙ୍କ ଠାରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ । ବ୍ୟକ୍ତି ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଫଳରେ ଉନ୍ନତ ସମାଜ ଗଠନ ହୋଇପାରିବ । ସମ୍ବଲପୁରଠାରେ ପ୍ରଜାପିତା ବ୍ରହ୍ମକୁମାରୀଙ୍କର ‘ନୂତନ ଭାରତ ପାଇଁ ନୂତନ ଶିକ୍ଷା’ ଅଭିଯାନର ଶୁଭାରମ୍ଭ କରି ଏମିତି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସମ୍ବଲପୁରସ୍ଥିତ ବ୍ରହ୍ମକୁମାରୀ ମାନଙ୍କର ଶିକ୍ଷା ଅଭିଯାନ ‘ନୂତନ ଭାରତ ପାଇଁ ନୂତନ ଶିକ୍ଷା’ ର ଶୁଭାରମ୍ଭ କରିଛନ୍ତି । ଉନ୍ନତ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀ ମାନଙ୍କ ଚେତନାକୁ ଉନ୍ନତ କରିବା ନିମନ୍ତେ ଏହି ଅଭିଯାନର ପରିକଳ୍ପନା କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ସମାଜ ଗଠନରେ ଶିକ୍ଷା ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଆସିଛି । ସେବା, ସମାନତା ଓ ସହାନୁଭୂତି ଭଳି ନୈତିକ ଏବଂ ମାନବିକ ମୂଲ୍ୟବୋଧ ଆମ ସଂସ୍କୃତିର ମୂଳଦୁଆ ଏବଂ ଯୁବପିଢ଼ି ଏହି ମହାନ ଆଦର୍ଶ ସହିତ ପରିଚିତ ହେବା ଉଚିତ ।
ସେ କହିଥିଲେ, ଏକ ଉନ୍ନତ ସମାଜ ଗଠନ ପାଇଁ ଯୁବପୀଢି ନିଜ ବୃଦ୍ଧ ପିତାମାତା ଏବଂ ସମାଜର ବଞ୍ଚିତ ବର୍ଗର ଲୋକଙ୍କ ଯତ୍ନ ନେବା ଉଚିତ୍ । ଶିକ୍ଷା ମାଧ୍ୟମରେ ପିଲାମାନଙ୍କ ମନରେ ଏହି ମୂଲ୍ୟବୋଧ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ହେବା ଦରକାର ବୋଲି ସେ କହିଛନ୍ତି । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚରିତ୍ର ନିର୍ମାଣ, ଆତ୍ମ ଅନୁଭବ ଓ ଦିବ୍ୟ ଅନୁଭୂତି ମାଧ୍ୟମରେ ସୁଖ, ଶାନ୍ତି ଓ ଆନନ୍ଦର ମାର୍ଗକୁ ସୁଗମ କରୁଛି ବୋଲି ସେ କହିବା ସହିତ ଆନନ୍ଦ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ମଧ୍ୟ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ ।
Comments are closed.