Latest Odisha News

ରାଜ୍ୟ ସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର : ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୫୦ ଜଣ କବି ଭାଗନେଇ ନିଜ ନିଜ ଭାଷାରେ କବିତା ପାଠ କରିଥିଲେ ।

BjdElectrycity

ଉଦଯାପନୀ ସମାରୋହରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ସମ୍ମାନିତ ଅତିଥି ଏବଂ ବିଶିଷ୍ଟ କବି ତଥା ସାହିତ୍ୟିକ ପ୍ରମୋଦ କୁମାର
ପରିଡ଼ା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଜନଜାତିଙ୍କ ଭାଷା, ସଂସ୍କୃତି, ପୋଷାକ ଏବଂ ଅଳଙ୍କାରର ଏକ ବିଶେଷ ଆକର୍ଷଣ ରହିଥିବାରୁ ଏହାର ସଂରକ୍ଷିତ ଓ ବ୍ୟାପକ ପ୍ରସାର କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜନଜାତି କବି ସମ୍ମିଳନୀ ଭଳି ସର୍ଜନାତ୍ମକ କାର୍ଯ୍ୟକ୍ରମରେ ଭାଗନେବାକୁ ଯୁବପୀଢ଼ି ଆଗ୍ରହୀ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଥିଲେ ।

ଏହି ସମ୍ମିଳନୀରେ ବିନଝାଲ, ଦେଶିଆ, ଗଦବା, କୋୟା, କୁଇ, ଖଡ଼ିଆ, କୁଭି, ପରଜା, ସଉରା, ଲାଞ୍ଜିଆ ସଉରା, ଗଣ୍ଡ, ମୁଣ୍ଡା, ଭୂମିଜ, ଜୁଆଙ୍ଗ, ସାନ୍ତାଳୀ, ମୁଣ୍ଡାରୀ, ଓରାନ୍‌, କିସାନ୍ ଏବଂ ହୋ ଆଦି ସମ୍ପ୍ରଦାୟର କବି ଭାଗ ନେଇଥିଲେ । ଏହି ଅବସରରେ ଜନଜାତି କବିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସମରେନ୍ଦ୍ର ଭୁତିଆଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଅର୍ଥନୈତିକ ଉପଦେଷ୍ଟା ବିଜୟ ବସନ୍ତ ଖାଲକୋ ଏବଂ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଯୋଗ ଦେଇଥିଲେ ।

Leave A Reply

Your email address will not be published.