Latest Odisha News

ଓଡ଼ିଶା ପ୍ରସଙ୍ଗରେ ବିଶ୍ୱଭୂଷଣଙ୍କ ବୟାନକୁ ବିଜେଡିର ସମାଲୋଚନା: କହିଲା, ତାଙ୍କଠାରୁ ଏପରି ଆଶା କରାଯାଏ ନାହିଁ

ଭୁବନେଶ୍ୱର: ଓଡିଶାର ବିଭିନ୍ନ ପ୍ରସଙ୍ଗରେ ମତ ରଖୁଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।  ପୁଅର ରାଜନୈତିକ ଭବିଷ୍ୟତ ପାଇଁ ବିଶ୍ୱଭୂଷଣ ବ୍ୟଗ୍ର । ହେଲେ ତାଙ୍କଠାରୁ ଏପରି ଆଶା କରାଯାଏ ନାହିଁ । କାରଣ ରାଜ୍ୟପାଳ  ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ରହିବା ଗ୍ରହଣୀୟ । ଏମିତି କହି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମାଲୋଚନା କରିଛି ବିଜେଡି ।

ବିଜେଡି ସାଂସଦ ସସ୍ମିତ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,  ବିଗତ ୭୬ ବର୍ଷ ଧରି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ରାଜ୍ୟପାଳମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିରପେକ୍ଷ ଭୂମିକା ଗ୍ରହଣ କରିଛନ୍ତି । ଯେତେବେଳେ ଜଣେ ଓଡ଼ିଆଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତି ମିଳିଥାଏ, ଆମେ ସମସ୍ତେ ସବୁବେଳେ ଖୁସି ହୋଇଥାଉ । ସେ   ଆସାମର ରାଜ୍ୟପାଳ ଭାବେ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ହୁଅନ୍ତୁ, ଝାଡଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିମ୍ବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ହୁଅନ୍ତୁ ।

ଭାରତୀୟ ସମ୍ବିଧାନର ଧାରା ୧୫୩ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦିଷ୍ଟ କ୍ଷମତା ଓ ସେବା ସର୍ତ୍ତାବଳୀ ରଖାଯାଇଛି । ସାମ୍ବିଧାନିକ ଦୃଷ୍ଟିରୁ ରାଜ୍ୟପାଳମାନେ ନିରପେକ୍ଷ ରହିବେ ବୋଲି ଆଶା କରାଯାଇଛି । ରାଜ୍ୟପାଳମାନେ ଅଣରାଜନୈତିକ ପଦବୀରେ ଅଧିଷ୍ଠିତ ହେଉଥିବାରୁ ରାଜ୍ୟପାଳ ପଦ ଗ୍ରହଣ କରିବା ପୂର୍ବରୁ ସେ ସମ୍ପୃକ୍ତ ଥିବା ରାଜନୈତିକ ପଦ କିମ୍ବା ରାଜନୈତିକ ଦଳରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ । ସେମାନେ ଏପରି କୌଣସି ବୟାନ କିମ୍ବା ମନ୍ତବ୍ୟ ନ ଦେଇ ରାଜ୍ୟପାଳ ପଦର ମର୍ଯ୍ୟାଦା ବଜାୟ ରଖିବେ ବୋଲି ଆଶା କରାଯାଉଛି ଯାହା ସେମାନଙ୍କ ପଦବୀର ମର୍ଯ୍ୟାଦା ଏବଂ ସମ୍ମାନକୁ ହ୍ରାସ କରିପାରେ ।

ହେଲେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ  ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିବା ଆରମ୍ଭ କରିଛନ୍ତି ଯାହା ତାଙ୍କଠାରୁ ଆଶା କରାଯାଉନାହିଁ ବୋଲି କହିଛନ୍ତି ଡକ୍ଟର ପାତ୍ର । ସେ କହିଛନ୍ତି,  ଆମେ ବୁଝିପାରୁଛୁ ଯେ ସେ ତାଙ୍କ ପୁଅ ପାଇଁ ଏକ ରାଜନୈତିକ ପଦବୀ ଖୋଜିବା ପାଇଁ ବ୍ୟଗ୍ର ଅଛନ୍ତି । ତାଙ୍କ ପୁଅ  ଜୀବନରେ କେବେ ବି ନିର୍ବାଚନ ଜିତି ନାହାନ୍ତି  । ପୌର ନିର୍ବାଚନରେ କାଉନସିଲରର ନିର୍ବାଚନ ମଧ୍ୟ ହାରିଛନ୍ତି ।

ଡ. ପାତ୍ର କହିଛନ୍ତି, ମାନ୍ୟବର ରାଜ୍ୟପାଳ ଓଡ଼ିଶା ଉପରେ ବିଭିନ୍ନ ପ୍ରସଙ୍ଗରେ ମତ ବ୍ୟକ୍ତ କରି ତାଙ୍କ ପଦର ମର୍ଯ୍ୟାଦା ଓ ସମ୍ମାନକୁ ହ୍ରାସ କରିବେ ନାହିଁ । ଏହା ତାଙ୍କଠାରୁ ଆଶା କରାଯାଉନାହିଁ ।  ଓଡ଼ିଶା ଭଳି ରାଜ୍ୟରେ ଏହା ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିଲା ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ ।

Comments are closed.