Latest Odisha News

ଜୁସ୍ ପିଇ ଆମରଣ ଅନଶନ ଭାଙ୍ଗିଲେ ପ୍ରଯୋଜିକା ସନ୍‌ଲିସା

ଭୁବନେଶ୍ୱର: ଆମରଣ ଅନଶନ ଭାଙ୍ଗିଲେ ଚଳଚ୍ଚିତ୍ର ପ୍ରଯୋଜିକା ସନ୍‌ଲିସା ପଟେଲ । ୩ ଦିନ ହେଲା ସେ ୫ ଦଫା ଦାବି ନେଇ ଅନଶନରେ ବସିଥିଲେ । ଆଜି ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରଯୋଜିକା ସନଲିସା ପଟେଲ୍ ବସିଥିବା ଆମରଣ ଅନଶନସ୍ଥଳରେ ପହଞ୍ଚିଥିଲେ । ସେ ଧାରଣାସ୍ଥଳରେ ସନଲିସାଙ୍କ ସହ ଆଲୋଚନା କରିବା ପରେ ତାଙ୍କୁ ଜୁସ୍ ପିଆଇଥିଲେ । ଜୁସ୍ ପିଇଲା ପରେ ସନ୍‌ଲିସା ଆମରଣ ଅନଶନ ଭାଙ୍ଗିଥିଲେ ।

ଅନ୍ୟପଟରେ ଶ୍ରୀ ତ୍ରିପାଠୀ ଲିଖିତ ପ୍ରତିଶ୍ରୁତି ଦେବା ସହ ଆସନ୍ତା ୨୮ ତାରିଖରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଇଡକୋରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଧାରଣା ସ୍ଥଳକୁ ଯାଇ ଧାରଣାରତ କଳାକାରଙ୍କ ସହିତ ଆଲୋଚନା କରିଥିଲେ ।

ସନଲିସା କହିଛନ୍ତି ଯେ, ବୈଠକରେ ସମସ୍ୟାର ସମାଧାନ ନ ହେଲେ ମଙ୍ଗଳବାର ସନ୍ଧ୍ୟା ପରଠାରୁ ଆନ୍ଦୋଳନ ଆହୁରି ଆହୁରି ତୀବ୍ର ହେବ । ଗତ ଗୁରୁବାରଠାରୁ ଚଳଚ୍ଚିତ୍ର ପ୍ରଯୋଜିକା ସନଲିସା ପଟେଲ୍ ୫ଦଫା ଦାବି ନେଇ ଆମରଣ ଅନଶନରେ ବସିଥିଲେ ।

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ଅଧିକରୁ ଅଧିକ ସମର୍ଥନ ମିଳୁଛି । ଅନେକ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ନୃତ୍ୟ ନିର୍ଦ୍ଦେଶକ, ଫାଇଟ୍ ମାଷ୍ଟର, କ୍ୟାମେରାମ୍ୟାନ୍‌, ସଂଳାପକାର, କାହାଣୀକାର ଯୋଗ ଦେଇ ସେମାନଙ୍କ ସମର୍ଥନ ଜଣାଇଛନ୍ତି ।

ଏହି ଅନଶନ ସ୍ଥଳରେ ଅଭିନେତା ପାର୍ଥ, ଅଖିଳ ପଟ୍ଟନାୟକ, ରୋଶନ ଅଗ୍ରୱଲ୍‌, ନିର୍ଦ୍ଦେଶକ ବବି ଇସଲାମ, ତାପସ ସରଘରିଆ, ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା ପ୍ରମୁଖ ସାମିଲ ହୋଇଥିଲେ ।

Comments are closed.