ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ନିଜେ ବିଶ୍ଵକର୍ମା (ଅନନ୍ତ ମହାରଣା )ରୂପେ ଆସି ଚତୁର୍ଦ୍ଧା ମୂର୍ତ୍ତି ଗଠନ କାହାଣୀ ଆମେ ଅଳ୍ପେ ବହୁତେ ଜାଣିଛେ । କିନ୍ତୁ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରକୃତ ସ୍ୱରୂପ ଅବା ତତ୍ତ୍ୱ ସଠିକ ଭାବେ ଜାଣିବା ଦରକାର । ରତ୍ନସିଂହାସନ ଉପରେ ଆମେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କୁ ଚତୁର୍ଦ୍ଧା ମୂର୍ତ୍ତି ହିସାବରେ ଦର୍ଶନ କରୁ । ଏ ଚାରି ସ୍ୱରୂପ କିନ୍ତୁ ତତ୍ତ୍ୱତଃ ଏକ ବୋଲି ବିବେଚିତ ହୁଅନ୍ତି । ଆଦିକବି ସାରଳା ଦାସଙ୍କ ଭାଷାରେ :
ବନ୍ଦଇ ନାରାୟଣ ନୀଳଗିରି ନାଥ
ଚତୁର୍ଦ୍ଧା ରୂପ ଧରି ବିଜୟେ ପଦ୍ମନେତ୍ର
ଏକଇ ମୂର୍ତ୍ତି ଯେ ଚାରି ରୂପ ହୋଇ.
ଜଗନ୍ନାଥ, ବଲଭଦ୍ର, ସୋହେନ୍ଦ୍ରି, ସୁଦ୍ରିସେନ ନାମ ବହି ।
ଏହା ପ୍ରମାଣ କରେ ଆଜି ପର୍ଯ୍ୟନ୍ତ ଭାଇ ଭଉଣୀ ଧରି ରତ୍ନସିଂହାସନ ବିଜେ କାହାଣୀ କେବଳ ଲୋକଚାର କଥା, ତତ୍ତ୍ୱ ଆଧାରିତ ନୁହେଁ । ସେହିଥିପାଇଁ ଶ୍ରୀଜଗନ୍ନାଥଙ୍କ ଏହା ଚତୁର୍ବିଧ ରୂପ (ଚାରି ଅଲଗା ଅଲଗା ରୂପ )ନହୋଇ, ଚତୁର୍ଦ୍ଧା ରୂପ (ଏକ ସ୍ୱରୂପ ଶ୍ରୀଜଗନ୍ନାଥ ଙ୍କ ଚାରି ପ୍ରକାର ରୂପ )ରେ ବିରାଜମାନ । ଏଠି ମହାପ୍ରଭୁ ଜଗନ୍ନାଥ ପରମ ସ୍ୱରୂପ, ଶ୍ରୀବଲଭଦ୍ର ଜୀବ ସ୍ୱରୂପ, ଦେବୀ ସୁଭଦ୍ରା ମାୟା (ଯୋଗମାୟା )ସ୍ୱରୂପ ତଥା ଶ୍ରୀସୁଦର୍ଶନ କାଳ (ସମୟ )ସ୍ୱରୂପ ଅଟନ୍ତି । ତେଣୁ ପାଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଅଚ୍ୟୁତାନନ୍ଦଙ୍କ “ଶୂନ୍ୟ ସଂହିତା “କହେ “ଏହି ଜଗନ୍ନାଥ ମୂରତି ଚାରି ବେଡ ଗୁପତ, ମନୁ ତନୁ ବୁଝାଇ ଗୁରୁ କହନ୍ତି ତତ୍ୱ, ଉଦ ନୀଳାଚଳ ବାସୀ ଏକକ୍ଷର ପ୍ରମାଣ, ଯେ ଯେତେ ଭ୍ରମାଇଲେ କେବେ ନୋହିବ ଭ୍ରମ । ସେହିଥିପାଇଁ ତ କୋଟି ଓଡ଼ିଆ କଣ୍ଠରେ ଉଚ୍ଚାରିତ ହୁଏ “ସର୍ବମଙ୍ଗଳ ଜଗନ୍ନାଥ”
ଜୟ ଜଗନ୍ନାଥ
Comments are closed.