Latest Odisha News

BREAKING NEWS

ମକା କ୍ଷେତ୍ର ପ୍ରଦର୍ଶନରେ ଅହେତୁକ ଅଗ୍ରଗତି, ଫସଲ ଉତ୍ପାଦନରେ ୫୧ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷଙ୍କ ଭିକେ ପାଣ୍ଡିଆନ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମକା ମିଶନର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଛନ୍ତି ଏହା ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍‌ଗ୍ରାସ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ସମୀକ୍ଷାରୁ ଜଣାଯାଇଛି ଯେ, ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଥିବା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ଘଟିଛି । ଏଥି ସହିତ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ନଭେମ୍ବର ଶେଷ ସୁଦ୍ଧା ୪୪ ହଜାର ୭୩୦ କୁଇଣ୍ଟାଲ ମକା ଏଫପିଓ ଦ୍ୱାରା ସଂଗ୍ରହ କରାଯାଇଛି ।

ମକା ଚାଷୀ ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ସେଥିପାଇଁ ଅଧିକ ଏଫପିଓ ଗଠନ ସହିତ ସେମାନଙ୍କ ଜରିଆରେ ସଂଗ୍ରହ ଜାରି ରଖିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଆହୁରି ମଧ୍ୟ ଚାଷୀ ଯେପରି ଅଧିକ ମୂଲ୍ୟ ପାଇବେ ସେଥିପାଇଁ ଅଧିକରୁ ଅଧିକ ଘରୋଇ ବ୍ୟବସାୟୀଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଏଫପିଓ ର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଓର୍‌ମାସ୍‌ ମଧ୍ୟ ମକାର ପ୍ରାଥମିକ ପ୍ରକ୍ରିୟାକରଣ ଓ ମାର୍କେଟିଂରେ ସହଯୋଗ କରିବ ବୋଲି ବୈଠକରୁ ଜଣାଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଶେଷ ସୁଦ୍ଧା ୧୫ଟି ଏଫପିଓ ଗଠନ କରାଯିବ ଏବଂ ଏଥି ମଧ୍ୟରୁ ୧୩ ଟି ଗଠିତ ହୋଇସାରିଛି । କେବଳ ମହିଳାମାନଙ୍କୁ ନେଇ ୪ ଟି ଏଫପିଓ ଗଠନ କରାଯାଇଛି । ମିଶନର ପ୍ରଥମ ବର୍ଷରେ ୨୦ ହଜାର ମେଟ୍ରିକ ଟନ୍ ମକା ସଂଗ୍ରହ ଓ ମାର୍କେଟିଂ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ ମକା ମିଶନ ଜରିଆରେ ନବରଙ୍ଗପୁର, କୋରାପୁଟ, ଗଜପତି ଓ ନୂଆପଡା ଜିଲ୍ଲାରେ ମକା ମିଶନ କାର୍ଯ୍ୟକାରୀ କରାଯାଉଛି । ଏହି ମିଶନରେ ଚାଷୀମାନଙ୍କ ସହିତ ଆମର ମିଶନ ଶକ୍ତିର ମା’ ମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି ।

ସେହିପରି, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ପାନ ଚାଷୀ, କିଆଫୁଲ, ଓ ଲେମନ୍‌ ଗ୍ରାସ ଚାଷୀଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ପାନ ଚାଷୀଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ଆପିକଲ୍ ଜରିଆରେ କିଆଫୁଲ ପ୍ରୋସେସିଂ ୟୁନିଟ୍ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଥିଲା । ଯାହାଦ୍ୱାରା ଉଭୟ ପାନ ଚାଷୀ ଓ କିଆଫୁଲ ଚାଷୀ ଉପକୃତ ହୋଇପାରିବେ । କୋରାପୁଟରେ ଲେମନ୍‌ ଗ୍ରାସ୍‌ ଚାଷର ବିଶେଷ ଆଦର ରହିଥିବାରୁ ସେଠାରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ହର୍ଟିକଲଚର ମିସନ ପ୍ଲାନ୍ ଅଧିନରେ ୮୪ ହଜାର ଟଙ୍କା ଏବଂ NHM ରେ ୧୬ ହଜାର ଟଙ୍କା ଏହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସହାୟତା ଗୁଡିକୁ ୨୬ ଜାନୁୟାରୀ ୨୦୨୪ ପୂର୍ବରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୁରେଶ କୁମାର ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ଓ ସମବାୟ ସଚିବଙ୍କ ସମେତ ନବରଙ୍ଗପୁର, ଗଞ୍ଜାମ, ପୁରୀ ଓ କୋରାପୁଟର ଜିଲ୍ଲାପାଳ ଉପସ୍ଥିତ ଥିଲେ।

Comments are closed.