Latest Odisha News

ଏଠି ଅଣଓଡ଼ିଆ ଠିକାଦାର ପାଉଛନ୍ତି ବଡ ବଡ ପ୍ରକଳ୍ପ କାମ, ଓଡ଼ିଆ ଯାଉଛନ୍ତି ଦାଦନ-‘ମୋ ଦଳ’

ଭୁବନେଶ୍ଵର: ରାଜ୍ୟରେ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢୁଛି ।  ଅଣ ଓଡ଼ିଆ ଠିକାଦାରଙ୍କ ରାଜ ଚାଲିଛି । ଏହି ଅଣଓଡ଼ିଆ ଠିକାଦାରଙ୍କ ହାତରେ ବଡ ବଡ ବିକାଶମୂଳକ କାମ ଟେକି ଦିଆଯାଉଛି । ବିକାଶ ନାମରେ ରାଜ୍ୟରେ ଏକ ମହାଲୁଟ ଚାଲିଛି । ଏମିତି କହି ବିଜେଡି ସରକାର ଏବଂ ନବୀନ   ଓଡ଼ିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ ଉପରେ ବର୍ଷିଛି ‘ମୋ ଦଳ’ ।

ଆଜି ‘ମୋ ଦଳ’ ପକ୍ଷରୁ ଆୟୋଜିତ ଏକ ପ୍ରେସ ବିଜ୍ଞପ୍ତିରେ  ଦଳର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର କହିଛନ୍ତି, ଏହି ସରକାର  ରାଜ୍ୟର ସବୁ ବିକାଶ ମୂଳକ କାମକୁ  ଅଣଓଡ଼ିଆ ଠିକାଦାରମାନଙ୍କୁ ଟେକି ଦେଇଛନ୍ତି। ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଆଧାରରେ ଅକ୍ଷୟ କୁମାର କହିଥିଲେ, ଗତ ୭ ବର୍ଷ (୨୦୧୫ରୁ ୨୦୨୨) ମଧ୍ୟରେ ରାଜ୍ୟରେ ପ୍ରାୟ ସମସ୍ତ ବଡ଼ ବଡ଼ ବିକାଶ ମୂଳକ କାର୍ଯ୍ୟ ଯଥା- ରାସ୍ତା, କୋଠାବାଡ଼ି, ସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ, ଖେଳ ପଡ଼ିଆ, ଭିଭି ଭୂମି ନିର୍ମାଣ, ବିଦ୍ୟୁତୀକରଣ, ପାନୀୟ ଜଳ ଯୋଗାଣ, ବ୍ରିଜ୍‌ ନିର୍ମାଣ, ସରକାରୀ ଯୋଜନା ପରିଚାଳନା ଇତ୍ୟାଦି ଅଣଓଡ଼ିଆ ଠିକାଦାରୀ ସଂସ୍ଥାକୁ ଦିଆଯାଇଛି। ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ସେମାନଙ୍କୁ ଦିଆଯାଇଛି। ଅଣଓଡ଼ିଆ ଠିକାଦାରମାନଙ୍କୁ ଏସବୁ ମେଗା ପ୍ରକଳ୍ପ ଦେବା ପାଇଁ ଟେଣ୍ଡର ପକ୍ରିୟାକରଣ ସେହିଭଳି କରାଯାଉଛି।

ବିଶେଷକରି କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୋଆ, ଦିଲ୍ଲୀ, ହରିୟାଣା, ଛତିଶଗଡ଼, ରାଜସ୍ଥାନ, ପଶ୍ଚିମବଙ୍ଗରୁ ଶହ ଶହ ଠିକାଦାର ପ୍ରକଳ୍ପ କାର୍ଯ୍ୟ ନେଇଛନ୍ତି। ତାମିଲନାଡୁ, ଆନ୍ଧ୍ର ପ୍ରଦେଶର ଅଧିକ ଠିକାଦାରୀ ସଂସ୍ଥା ସବୁ ଠାରୁ ଅଧିକ ବେଶୀ କାମ ନେଇଛନ୍ତି।

ଅନ୍ୟପକ୍ଷେ ଓଡ଼ିଆ ଠିକାଦାରମାନଙ୍କୁ ଛୋଟ ଛୋଟ ପ୍ରକଳ୍ପ ଦିଆଯାଇ ସନ୍ତୁଷ୍ଟ କରାଯାଉଛି। ଅନେକ ପ୍ରକଳ୍ପ କାର୍ଯ୍ୟରେ ଓଡ଼ିଆ ଠିକାଦାରମାନେ ଅଣଓଡ଼ିଆ ଠିକାଦାରଙ୍କ ପେଟି କଣ୍ଟ୍ରାକ୍ଟର ହୋଇ କାମ କରୁଛନ୍ତି।  ବିଭିନ୍ନ ରାଜ୍ୟର ଅଣଓଡ଼ିଆ ଠିକାଦାରମାନେ ରାଜ୍ୟର ସମସ୍ତ ପ୍ରକଳ୍ପ ମାଡ଼ି ବସିଥିବା ବେଳେ, ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ ସେହି ସବୁ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ଚାଲିଥିବା ମୋ ସାଇକଲ, ମୋ ବସ୍, ମୋ ସରକାର ସବୁ  ଅଣଓଡ଼ିଆଙ୍କ ଦଖଲରେ। ଏହି ସବୁ ପ୍ରକଳ୍ପର ଡି. ପି. ଆର୍ ପ୍ରସ୍ତୁତି, ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତା ଓ ଯୋଜନା ପରିଚାଳନା ସବୁ ଅଣଓଡ଼ିଆ ସଂସ୍ଥାଙ୍କ ଅଧୀନରେ  । ଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ ଅଣଓଡ଼ିଆ ଠିକାଦାରମାନଙ୍କ ଦ୍ବାରା ହାରାହାରି ୩୦ ହଜାର କୋଟି ଲୁଟ୍ ହୋଇଛି ଏବଂ ପିସି କାରବାର ୨୫ ପ୍ରତିଶତରୁ କମ୍ ନୁହେଁ ବୋଲି ଅଭିଯୋଗ ଆଣିଛି ‘ମୋ ଦଳ’ ।

ତେଣୁ ଓଡ଼ିଶା ମା’ ମାଟି ଓ ସ୍ୱାଭିମାନର ସୁରକ୍ଷା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି । ଏହାକୁ ସୁରକ୍ଷିତ ରଖୁବା ପାଇଁ “ମୋ ଦଳ” ବଦ୍ଧ ପରିକର। ଓଡ଼ିଶାର ସ୍ବାଭିମାନ ରକ୍ଷା ପାଇଁ ମହାସଂଗ୍ରାମ ଆରମ୍ଭ କରିବାକୁ “ମୋ ଦଳ”  ଆହ୍ୱାନ ଦେଇ ୨୦୨୪ରେ ନବୀନ ସରକାରଙ୍କୁ ହଟାଇବାର ସମୟ ଆସିଛି ବୋଲି କହିଛନ୍ତି ଅକ୍ଷୟ କୁମାର  । ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ମହାସଚିବ ଶ୍ରୀ ପ୍ରଦୀପ ପ୍ରଧାନ, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ଶେଷଦେବ ନନ୍ଦ, ଦଳର ସାଧାରଣ ସଂପାଦକ ଉମାକାନ୍ତ ଭାରତ, ଯୁବଛାତ୍ର ସଂଗଠନର ସଭାପତି ମନର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.