Latest Odisha News

କଳା ଟଙ୍କା ଜବତ ଘଟଣାରେ ବିଜେପି ଉପରେ ଦୋଷ ଲଦିଲା ବିଜେଡି: କହିଲା, ରାଜ୍ୟ କଂଗ୍ରେସକୁ ବଞ୍ଚାଇବା ପାଇଁ ଡିଲ୍‍ କରିଛନ୍ତି ବିଜେପି ନେତା

ଭୁବନେଶ୍ୱର: ଦୁଇ ଦିନ ତଳେ ଆମେ କହିଥିଲୁ, ଆୟକର ବିଭାଗର ଚଢାଉରୁ ବିପୁଳ ଟଙ୍କା ମିଳିବା ମାମଲାରେ ଓଡିଶା ବିଜେପି, କଂଗ୍ରେସକୁ ଢାଲ ସାଜି ସୁରକ୍ଷା ଦେଉଛି । ପ୍ରାଣପଣେ ବଞ୍ଚାଇବାକୁ ଉଦ୍ୟମ କରୁଛି । ଯାହା ଆଜି ପ୍ରମାଣିତ ହୋଇଛି । ଲାଗୁଛି, ଓଡିଶା କଂଗ୍ରେସର ପ୍ରବକ୍ତା ହୋଇ, ଏଠି ଓଡିଶା ବିଜେପି କାମ କରୁଛି ।  କଂଗ୍ରେସକୁ ବଞ୍ଚାଇବାକୁ କାହିଁକି ଏତେ ବ୍ୟଗ୍ରତା ଦେଖାଉଛନ୍ତି ରାଜ୍ୟ ବିଜେପିର ନେତା ? ଏମିତି ପ୍ରଶ୍ନ କରି ରାଜ୍ୟ ବିଜେପି ନେତାଙ୍କ ଉପରେ ବର୍ଷିଛି ବିଜେଡି ।

ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କଂଗ୍ରେସ ସୁରକ୍ଷାର ମଙ୍ଗ ଧରିଛନ୍ତି ଓଡିଶାର ଜଣେ କେନ୍ଦ୍ରମନ୍ତ୍ରୀ ।  ଡାହା ମିଛ କହି ଓଡିଶାକୁ ବଦନାମ କରୁଛି ବିଜେପି  ।ସେ କହିଛନ୍ତି,  ଜାତୀୟ ସ୍ତରରେ ବିଜେପିର ତୁଙ୍ଗ ନେତାମାନେ କଂଗ୍ରେସକୁ ଏହି ପ୍ରସଙ୍ଗରେ ସମାଲୋଚନା କରୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର, ଗିରିରାଜ ସିଂହ ପ୍ରମୁଖ ଜବତ ଟଙ୍କାକୁ ନେଇ କଂଗ୍ରେସକୁ ସମାଲୋଚନା କରୁଛନ୍ତି ।

ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତି ତଳେ ବିଜେପି ସାଂସଦ ଧାରଣାରେ ବସି କଂଗ୍ରେସ ଠାରୁ ଜବାବ ମାଗୁଛନ୍ତି । ଝାଡଖଣ୍ଡ ବିଜେପି ନେତା ଏହି ପ୍ରସଙ୍ଗରେ କଂଗ୍ରେସ ବିପକ୍ଷରେ ଆନ୍ଦୋଳନ କରୁଛନ୍ତି, ପ୍ରତିବାଦ ଚଳାଇଛନ୍ତି । ହେଲେ ଲାଗୁଛି କେନ୍ଦ୍ରମନ୍ତ୍ରୀ ହୋଇଥିବା ଓଡିଶାର ଜଣେ ବିଜେପି ନେତା ଯେମିତି ପ୍ରତିଜ୍ଞା କରିଛନ୍ତି, କଂଗ୍ରେସକୁ ପ୍ରାଣପଣେ ସୁରକ୍ଷା ଯୋଗାଇ ଦେବେ । ଶୁଣିବାକୁ ମିଳୁଛୁ ନିର୍ବାଚନରେ ସାହାଯ୍ୟ କରିବାକୁ କୁଆଡେ ଏନେଇ ଏକ ଡିଲ୍ ହୋଇଛି ।

ଶ୍ରୀ ମହାପାତ୍ର କହିଛନ୍ତି,  ବିଜେପିର ଜାତୀୟ ନେତାମାନେ କହୁଛନ୍ତି, ଜବତ ହୋଇଥିବା ଟଙ୍କା ଛତିଶଗଡ ନିର୍ବାଚନରେ ଖର୍ଚ୍ଚ ହେବା ପାଇଁ ରଖାଯାଇଥିଲା, ଯାହା ହୋଇପାରିନଥିଲା । ବିଜେପିର ରାଜ୍ୟ ନେତା ସାହାସ ଦେଖାଇ କୁହନ୍ତୁ, ତାଙ୍କର ଜାତୀୟ ସ୍ତରର ନେତା ଦେଉଥିବା ବୟାନ ଭୁଲ । ସେହିପରି ଝାଡଖଣ୍ଡର ବିଜେପି ନେତା, କଂଗ୍ରେସକୁ ସମାଲୋଚନା କରି ଯେଉଁ ତଥ୍ୟ ଉପସ୍ଥାପନ କରୁଛନ୍ତି, ତାହା ମିଛ ଉପରେ ଆଧାରିତ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ।

ରାଜ୍ୟ ବିଜେପି ନେତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି,  ରାଜ୍ୟ ବିଜେପି ନିଜର ଫେକ ନ୍ୟୁଜ ଫ୍ୟାକଟ୍ରୀରେ ସର୍ବଦା ମିଛ ଖବର ପ୍ରସ୍ତୁତ କରିବାରେ ବ୍ୟସ୍ତ ରୁହନ୍ତି । ଜାତୀୟ ସ୍ତରରେ ଓ ପଡୋଶୀ ରାଜ୍ୟରେ ନିଜ ଦଳର ନେତା କଣ କହୁଛନ୍ତି ସେମାନେ ଜାଣି ମଧ୍ୟ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତି ।  ଲୋକଙ୍କୁ ବୋକା ବନାଇବାର ଏହି ପ୍ରୟାସ ଏବଂ କଂଗ୍ରେସର ବି- ଟିମ୍ ହୋଇ କାର୍ଯ୍ୟ କରିବାର ଜବାବ ଜନତା ଆଗାମୀ ଦିନରେ ଦେବେ । ଯେଉଁଭଳି ଗତ ପଂଚାୟତ ନିର୍ବାଚନରେ ଓଡିଶାରେ ବିଜେପିକୁ ଭୋଟ ହାରରେ ତୃତୀୟ ସ୍ଥାନକୁ ଠେଲି ଦୃଢ ଜବାବ ଦେଇଥିଲେ  ଠିକ୍ ସେହିଭଳି ଜବାବ ଆଗାମୀ ଦିନରେ ମଧ୍ୟ ମିଳିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Comments are closed.