ଆଦ୍ୟକାଳର ଲେଖନ-କର୍ମ ଓ ଜଣେ ଜଣାଣ-ଲେଖିକା ରାଜଜେମା
ଜ୍ୟୋତି ନନ୍ଦ
ପୃଥିବୀର ସର୍ବପ୍ରଥମ ଚିହ୍ନିତ କବିଟି ସହ ଆଗ ଆପଣମାନଙ୍କ ପରିଚୟ କରାଇଦେବାକୁ ଉଚିତ ମନେ କରୁଛି । ସେ ଜଣେ ରାଜଜେମା । ଟାଇଗ୍ରିସ୍ ଇଉଫ୍ରେଟିସ୍ ନଦୀକୂଳରୁ ସମଗ୍ର ତୁର୍କୀ ଯାଏଁ ପରିବ୍ୟାପ୍ତ ତଥା ଏମିତି କହିବାକୁ ଗଲେ ଆଧୁନିକ ଭାଷାରେ ସାମ୍ରାଜ୍ୟ କହିଲେ ଯାହା ବୁଝାଯିବ ସେମିତି ବିଶ୍ୱର ସର୍ବପ୍ରଥମ ସଂଜ୍ଞାକୃତ ସାମ୍ରାଜ୍ୟ, ଆକାଦ୍ଧିଆନ୍ ସାମ୍ରାଜ୍ୟର ଅଧୀଶ୍ୱର ରାଜା ସାରଗନଙ୍କର ସେ ଅଲିଅଳ କନ୍ୟା, ଏନହେଦୁଆନା । ବିଶ୍ୱର ଲେଖନ ଇତିହାସରେ ଏହି ନାରୀ ଜଣକ ହେଉଛନ୍ତି ସର୍ବପ୍ରଥମ ଚିହ୍ନିତ ଲେଖାକାର, ଜଣେ ପଦ୍ୟକାର ସେ । ବିଶ୍ୱର ପ୍ରଥମ କବି ଜଣେ ନାରୀ,ଏହି ଭଳି ଏକ କୃତିତ୍ୱକୁ ଲିଙ୍ଗଗତ ବିବେଚନା କରିବା ପୂର୍ବରୁ ଏହି ତଥ୍ୟଗୁଡିକ ସମସ୍ତ ବାମାବାଦୀମାନଙ୍କୁ ଉତ୍ସାହିତ କରିପାରେ ଯେ, ବିଶ୍ୱର ସର୍ବପ୍ରଥମ ଉପନ୍ୟାସକାର ଓ ସର୍ବପ୍ରଥମ ସାହିତ୍ୟ ସମୀକ୍ଷକ ମଧ୍ୟ ଜଣେ ଜଣେ ନାରୀ ।
ଏନହେଦୁଆନାଙ୍କ ସମୟକାଳ ହେଉଛି ଖ୍ରୀପୂ ୨୨୮୫ ରୁ ଖ୍ରୀପୂ ୨୨୫୦ । ଏତିକି ବେଳେ ଆଉ ଜଣେ ନାରୀକବିଙ୍କ କଥା ମନକୁ ଆସେ । ସେ ଆମର ବେଶ୍ ପରିଚିତା । ଗ୍ରିସର ଲେସବୋସ୍ (ସେହି ସ୍ଥାନର ନାମାନୁସାରେ ନାରୀ-ନାରୀ ସମଲୈଙ୍ଗିକତାର ଏକ ପରିଭାଷା ତଥା ଲେସବିଆନିଜମ୍ ଶବ୍ଦର ସୃଷ୍ଟି ହୋଇଛି ବୋଲି କୁହାଯାଏ) ବୋଲି ଏକ ଦ୍ୱୀପରେ ଜନ୍ମିତ ସାଫୋ । ସାଫୋ ସମଲୈଙ୍ଗିକ ସଂପର୍କ ଉପରେ ଆନେକ ପଦ୍ୟ ରଚନା କରିଛନ୍ତି । ସାଫୋଙ୍କ ମୁକ୍ତ ବିଚାର ଆଜିବି ଅନେକ ତଥାକଥିତ ବାମାବାଦୀଙ୍କର ବିସ୍ମୟର କାରଣ ହୋଇପାରେ ।
ଆମ ଭିତରେ ଅନେକଙ୍କ ଧାରଣା ଯେ ସାଫୋ ହେଉଛନ୍ତି ସର୍ବପ୍ରଥମ କବି । ମାତ୍ର ଏହା ସତ ନୁହଁ । ସାଫୋଙ୍କ ସମୟକାଳ ହେଉଛି ଖ୍ରୀପୂ ୬୨୦ରୁ ଖ୍ରୀପୂ୫୭୦ । ତେଣୁ ତାଙ୍କଠାରୁ ଯଥେଷ୍ଟ ପ୍ରାଚୀନ ତଥା ଦେଢହଜାର ବର୍ଷ ତଳର କବି ଆମର ରାଜଜେମା ଏନହେଦୁଆନା । ଏନହେଦୁଆନାଙ୍କୁ ସର୍ବପ୍ରଥମ ଲେଖକ କହିବାର ଅର୍ଥ ହେଉଛି ସେ ନିଜର ପଦ୍ୟର ଶେଷରେ ନିଜ ନାମର ଉଲ୍ଲେଖ କରିଯାଇଛନ୍ତି । ନାମର ଉଲ୍ଲେଖ ଥିବା କାରଣରୁ ତାଙ୍କୁ ସେହି ଲେଖାମାନଙ୍କର ଲେଖକ ବୋଲି କୁହାଯାଇ ପାରେ । କାଦୁଆପଟାରେ ଷ୍ଟାଇଲସ୍ ବୋଲି ଏକ କୀଳକ ସାହାଯ୍ୟରେ ଲେଖାହୋଇଥିବା ତାଙ୍କର ଏ ଯାବତ ବୟାଳିଶ ଗୋଟି ଲେଖା ଉପଲବ୍ଧ ରହିଛି ।ଏହି ସମସ୍ତ ଲେଖାରେ ସେ ଶେଷରେ ନିଜର ନାଆଁକୁ ଭଣିତା କରିଲେଖିଛନ୍ତି ।
ଆଜିର ପ୍ରସଂଗ ଲେଖନକର୍ମ । ତାହା ଭିତରକୁ ଯିବା ପୂର୍ବରୁ ରାଜଜେମା ଏନହେଦୁଆନାଙ୍କର ଆଜକୁ ପ୍ରାୟ ଚାରି ହଜାର ବର୍ଷ ତଳର ଗୋଟିଏ କବିତାର କିଛି ଧାଡି ପଢାଯାଉ:
“ମୋର ଯୋନିଦ୍ୱାର ଉନ୍ମୁକ୍ତ
ଏହି ପରିଚାରିକାର ପ୍ରଶ୍ନ କିଏ ସେ
କର୍ଷଣ କରିବ ସେହି ଭୂମିଖଣ୍ଡ
ବର୍ଷାରେ ପିଚ୍ଛିଳ ଜଳଦେଶ ଏ ଯୋନି
ରାଣୀର ପ୍ରଶ୍ନ, କାହା ସହ ଏବେ ରହିଛି ବୃଷଭ”
ହୁଏତ ଏନହେଦୁଆନାଙ୍କର ବିରଚିତ ଏହି ଧାଡିଗୁଡିକ ପ୍ରାପ୍ତବୟସ୍କ ଅଶ୍ଳୀଳତାରେ ଭରପୂର ବୋଲି ଲାଗିପାରେ ମାତ୍ର ରାଜା ସାରଗନ୍ ନିଜର ଅଲିଅଳ ଜେମାକୁ ଦେବୀ ଇନାନାଙ୍କ ମୁଖ୍ୟ ପୁରୋହିତ ଭାବରେ ନିଯୁକ୍ତ କରିଥିଲେ । ମେସୋପୋଟାମିଆ ସଭ୍ୟତାରେ ଦେବୀ ଇନାନା ହେଉଛନ୍ତି ପ୍ରେମ, ଯୁଦ୍ଧ, ସୌନ୍ଦର୍ଯ୍ୟ, ଉର୍ବରକ, ଆଉ କ୍ଷମତାରେ ଦେବୀ । ଏମିତି କହିଲେ ସେହି ସଭ୍ୟତାର ସେ ହେଉଛନ୍ତି ପ୍ରମୁଖ ଦେବୀ । ଦେବୀ ଇନାନାଙ୍କ ମୁଖ୍ୟ ପୁରୋଧା ଭାବରେ ଏନହେଦୁଆନାଙ୍କର ଦେଶବ୍ୟାପୀ ପ୍ରବଳ ଖ୍ୟାତି ରହିଥିଲା । ଆପଣମାନେ ସଦ୍ୟ ପଢିଥିବା ଏହି ଉପରଲିଖିତ ଧାଡିଗୁଡିକ ତାଙ୍କର ସମ୍ମାନରେ କୌଣସି ଆଂଚ ଆଣିଥିବ ବୋଲି ଯଦି ଆପଣାମାନଙ୍କର ଧାରଣା ହେଉଥାଏ ତେବେ ତାହା ଆଦୌ ଠିକ୍ ନୁହଁ । ଏନହେଦୁଆନାଙ୍କର ସମସ୍ତ ଲେଖା ହେଉଛି ଦେବୀ ଇନାନାଙ୍କ ଉଦ୍ଦେଶ୍ୟରେ ଲିଖିତ ଜଣାଣ ଏବଂ ଏହି ଜଣାଣ ମାନଙ୍କରେ ସେ ସିଧାସଳଖ ଦେବୀ ଇନାନାଙ୍କୁ ସଂବୋଧନ କରି ପଦ୍ୟ ଲେଖିଛନ୍ତି ।
ଏନହେଦୁଆନାଙ୍କର ଲେଖା ସଂପର୍କରେ ଆଲୋଚନା କଲାବେଳେ ଯେଉଁ ମୌଳିକ ପ୍ରଶ୍ନଟି ଆମକୁ ଆମକୁ ଆଚ୍ଛନ୍ନ କରିବ ତାହା ହେଉଛି, ଆମର ଆଦ୍ୟକାଳର ଲେଖକ ମାନେ ଏତେ ଅଜ୍ଞାତ କାହିଁକି? ଦୁଇତିନିହଜାର ବର୍ଷର ଇତିହାସରେ ସାହିତ୍ୟର ତଥା ଲେଖନ କ୍ରୀୟାରେ ଆମେ ହାତ ଗଣତି ଲେଖକର ନାଆଁ ଜାଣିବାକୁ ପାଇବା ନିଶ୍ଚୟ ଆଶ୍ଚର୍ଯ୍ୟଜନକ ଓ ବିସ୍ମୟକାରୀ କଥା । ଲେଖନକ୍ରୀୟା କ’ଣ ସାମୁହିକ ଥିଲା ଆଉ ତାହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷର ଉପସ୍ଥିତିକୁ ଅସ୍ୱୀକାର କରୁଥିଲା? ଆମେ ଏନହେଦୁଆନା ଭଳି ଏକ ଚିହ୍ନିତ ଅଭିବ୍ୟକ୍ତିର ମାର୍ଫତରେ ଏହି ପ୍ରଶ୍ନ ଗୁଡିକର ଉତର ଖୋଜିବାକୁ ଯିବା ।
ଏମିତିରେ ସଭ୍ୟତାର ଆଦ୍ୟ କାଳରେ ବିଷାଦ ବହୁ ପରର କଥା, ଆଗ ହେଉଛି ଆନନ୍ଦ । ସେହି ଆନନ୍ଦ ହିଁ ମଣିଷର ସାମୁହିକ ଜୀବନ ଚର୍ଯ୍ୟାରେ ଯେତେ ପ୍ରକାରେ ଭବ୍ୟ ହୋଇପାରିବ ତାହାର ଏକ ବିଧିବଦ୍ଧ ପ୍ରକାଶରୂପ ହୋଇ ରହିଥିଲା । ଏହି ପ୍ରକାଶନାମାର ଅନ୍ତରଂଗତା ପରେ ନିଶ୍ଚୟ ଆସଥିିବ ନିଜର ଜୀବନକୁ ସୁସ୍ଥ ଆାଉ ନିରାମୟ କରିରଖିଥିବା କାରଣରୁ ସମସ୍ତ ଅଦୃଶ୍ୟ ଦୈବକୃପାକୁ କୃତଜ୍ଞତା ଓ ସମର୍ପଣ । ଏବଂ ତାହାପରେ ଯାଇ ଆସିବ ଆମର ବିଷାଦ । ଆମେ ଯେତେବେଳେ ବିଷାଦର ଗଢଣତତ୍ୱକୁ ଦେଖିବା ସେତେବେଳେ ଜଣାଯିବ ଯେ, ବିଷାଦ ପ୍ରମୁଖତଃ ବ୍ୟକ୍ତିକୈନ୍ଦ୍ରିକ । ତେଣୁ ପ୍ରାଥମିକ ସର୍ଜନାରେ ଆନନ୍ଦ ର ସାମୂହିକତା ଏବଂ ଦୈବ ସମର୍ପଣର ନୈର୍ବ୍ୟକ୍ତିକତା କାରଣରୁ ଲେଖକ ମାନେ ସାଧାରଣତଃ ଅଜ୍ଞାତ ରହିବାକୁ ଶ୍ରେୟ ମନେ କରୁଥିଲେ । ବା ଅନ୍ୟଭାବରେ କହିଲେ ଏହିଭଳି ଏକ ବିଚାରଧାରା କୌଣସି ଲେଖକକୁ ନିଜର ସୃଷ୍ଟିଠାରୁ ବିଚ୍ୟୁତ କରି ରଖିବାର ଯୁକ୍ତିଟି ପ୍ରସ୍ତୁତ କରିଦେଇଥିଲା । ତଥାପି ନିଜକୁ ପ୍ରକାଶ କରିବାରେ ସତତ ଆଗ୍ରହୀ ଲେଖକଟି ନିଜର ଲେଖାଠାରୁ ଅଜ୍ଞାତ ରହିବାରେ ସଂତୋଷକୁ ଗ୍ରହଣ କରିବା ନିହାତି କଷ୍ଟକର ଥିଲା ।
ଖ୍ରୀପୂ ୫୮୬ ରେ ବେବିଲୋନର ସମ୍ରାଟ୍ ବେଲସାଜାର୍ ଗୋଟିଏ ଗୁଂଫାରେ କିଛି ମାନବକୃତ ଚିହ୍ନକୁ ଦେଖି ଘୋଷଣା କରିଥିଲେ ଯେ ସେ ଅତ୍ୟନ୍ତ ଭାଗ୍ୟବାନ କାରଣ ସେ ଚର୍ମଚକ୍ଷୁରେ ଈଶ୍ୱରଙ୍କ ହସ୍ତଲିପି ଦେଖିବାର ସୁଯୋଗ ପାଇଛନ୍ତି । କହିବା କଥା ହେଉଛି ଯେତେବେଳେ ଜଣେ ସମ୍ରାଟ ଈଶ୍ୱରଙ୍କ ଲେଖା ଦେଖି ଗଦଗଦ ହୋଇଯାଉଛି ସେତେବେଳେ ଯେଉଁ ଲେଖକଜଣକ ନିଜେ କିଛି ମୌଳିକ ଲେଖା ଲେଖିଛି ସେତେବେଳେ ସେ ନିଜର ହସ୍ତଲିପିକୁ ଦେଖି ଈଶ୍ୱରସୁଖ ଭୋଗିବାର କାମନା ମନରେ ନିଶ୍ଚୟ ରଖିଥିବ ।
ସେସମୟରେ ଅର୍ଥାତ୍ ଆଜକୁ ପ୍ରାୟ ଚାରିହଜାର ବର୍ଷ ତଳେ ଲେଖନକର୍ମର ଇତିହାସରେ ଅସଲ ସମସ୍ୟାଟି ଥିଲା ଲେଖନକର୍ମର କୌଶଳ ଆଉ ଲେଖକ ଭିତରେ ଥିବା ଯୋଜନ ଯୋଜନର ଦୂରତ୍ୱ । ଅନ୍ୟଭାବରେ କହିଲେ ସେତେବେଳେ ଅର୍ଥାତ୍ ଲେଖନକର୍ମର ଆଦ୍ୟକାଳରେ ଲେଖକର ଆୟତରେ ରହୁନଥିଲା ଲେଖନକର୍ମର ସମସ୍ତ କୌଶଳ ।ସେତେବେଳେ ଗୋଟିଏ ଲେଖନ ଉପଯୋଗୀ କାଦୁଅ-ପଟା ପ୍ରସ୍ତୁତ କରି ସେଥିରେ ଷ୍ଟାଇଲସ୍ ବୋଲି ଗୋଟିଏ କଂଟାରେ ପ୍ରଚଳିତ ଭାଷା ଉପଯୋଗି ଭିନ୍ନ ଭିନ୍ନ ଚିତ୍ର ଆଙ୍କି ଳେଖାଟିକୁ ପ୍ରସ୍ତୁତ କରାଯାଉଥିଲା । ଏହି ପ୍ରକ୍ରିୟାଟି ଜଟିଳ ଓ କଷ୍ଟସାଧ୍ୟ ଥିବାରୁ ଲେଖନକର୍ମ ପାଇଁ ଏକ ସ୍ୱତନ୍ତ୍ର ଶ୍ରେଣୀକୁ ବିଶେଷ ଭାବରେ ପ୍ରଶିକ୍ଷିତ କରାଯିବାର ଆବଶ୍ୟକତା ରହୁଥିଲା । ତେଣୁ ଲେଖକର ଅବସ୍ଥାନ ଲେଖନକର୍ମଠାରୁ ଢେର୍ ଦୂରରେ ଥିଲା । ଫଳରେ ଲେଖକ କେବଳ ମନରୁ କିଛି ଫାନ୍ଦୁଥିଲା ଆଉ ତାହା କଥିତ ରୂପରେ ଅନ୍ୟକୁ ଶୁଣାଇବାର ପ୍ରକ୍ରିୟାରେ ଅନ୍ୟତ୍ର ଗତି କରୁଥିଲା । ଏହିଭଳି ଶୁଣାଇବାରେ କୌଣସି ପ୍ରାମାଣିକ ନଥିବଦ୍ଧ କାର୍ଯ୍ୟ ସଂଭବପର ହେଉନଥିବାରୁ ଲେଖକମାନେ ଅଜ୍ଞାତ ହୋଇ ରହିଯାଉଥିଲେ ଆଦ୍ୟକାଳରେ ।
ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ବେଳକୁ ଚାଇନାରେ କାଗଜ ଓ କାଳି ଉଦ୍ଭାବନ ହେଲାପରେ ଲେଖନକ୍ରିୟା ସହଜ ଓ ଗଣତାନ୍ତ୍ରିକ ହେବାକୁ ଆରମ୍ଭ କଲା । ଫଳରେ ଯିଏଯାହା ଭାବୁଥିଲା ତାହାକୁ ସେ ପ୍ରାମାଣିକ ଭାବରେ ଓ ନିଜର ଲେଖକତ୍ୱ ହିସାବରେ ଉପସ୍ଥାପନ କରିବାର ସୁଯୋଗ ପାଇଲା । ତେଣୁ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ବେଳକୁ ଲେଖକ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଲା ।
ଲେଖନକର୍ମର ସେହି ଆଦ୍ୟକାଳରେ ଅର୍ଥାତ୍ ରାଜଜେମା ଏନହେଦୁଆନାଙ୍କର ସମୟରେ ଏକ ସ୍ମୃତି ନିର୍ଭର ସମାଜଟି ହଠାତ୍ ବଦଳିଯାଇଥିଲା ଏକ ଲେଖନକର୍ମ-ନିର୍ଭର ସମାଜରେ । ଲେଖନ-କର୍ମ ବିକଶିତ ହେବାର ପୁର୍ବରୁ ଗୋମେଷାଦି ସଂପଦର ମାଲିକାନା,ରାଜାଜ୍ଞା ଆଦି ସବୁକିଛି ରାଷ୍ଟ୍ରବ୍ୟବସ୍ଥା ପରିଚାଳିତ ହେଉଥିଲା କିଛି ବିଶେଷ ଲୋକଙ୍କ ସ୍ମୃତି ଉପରେ । ସେହି ବିଶେଷ ସ୍ମୃତିଧରମାନେ ସେମାନଙ୍କର ଶିଷ୍ୟପ୍ରଶିଷ୍ୟମାନଙ୍କ ମାଧ୍ୟମରେ ଏହି ସ୍ମୃୃତିକୁ ବହନ କରିଚାଲୁଥିଲେ । ତେଣୁ ଏହି ସବୁକଥାକୁ ବିଷେଷତଃ କାହାର ମାଲିକାନାକୁ ସାବ୍ୟସ୍ତ କରିବାପାଇଁ ସର୍ବତ୍ର ଏହି ବିଶେଷ ସ୍ମୃତିଧରମାନଙ୍କର ସଶରୀର ଉପସ୍ଥିତି ଆବଶ୍ୟକ ପଡୁଥିଲା । ଲେଖନ-କର୍ମ ବିକଶିତ ହେଲା ପରେ ସେହି ପୂର୍ବୋକ୍ତ ବ୍ୟବସ୍ଥାର ଆମୂଳଚୁଳ ପରିବର୍ତ୍ତନ ଘଟିଗଲା । ଏହା କହିବାକୁ ଗଲେ ସମସ୍ତ ଭୂଗୋଳ ଓ ମୃତ୍ୟୁକୁ ଅତିକ୍ରମ କରିଗଲା । ସ୍ମୃତିଧର ଜଣକ କେଉଁଠିକୁ ଯିବାର ଦରକାର ପଡିଲା ନାହିଁ ବା ତାହାର ଅକସ୍ମାତ ବିୟୋଗ ଘଟିଗଲେ ଆଉ କୌଣସି ଅସୁବିଧା ହେଲା ନାହିଁ । କାରଣ ମାଲିକାନା ବା ରାଜାଦେଶ ସବୁ ଖଣ୍ଡିଏ କାଦୁଅ-ପଟାରେ ଲିପିବଦ୍ଧ ତଥା ନଥିଭୁକ୍ତ ହୋଇ ରହିପାରିଲା ।
ଏହି ଲେଖନ-କର୍ମ ସହିତ ଏହି ସଦ୍ୟଜାତ ଲେଖାର ସଠିକ ପାଠୋଦ୍ଧାର କରିବା ପାଇଁ ବିଶେଷଜ୍ଞମାନଙ୍କର ଆବଶ୍ୟକତା ପଡିଲା । ତେଣୁ ଲେଖନ-କର୍ମ ସହିତ ତାହାର ପଠନ ଅତ୍ୟାବଶ୍ୟକ ହୋଇଥିବା କାରଣରୁ ଯେଉଁ ବିଶେଷଜ୍ଞ ଦଳ ବାହାରିଲେ ସେମାନେ ହେଲେ ପାଠକ ।ଏହି ଲେଖକ ଆଉ ପାଠକ ସଂପର୍କଟି ଲେଖନ-କର୍ମର ଆଦ୍ୟକାଳରୁ ବିରୋଧାଭାସରେ ଭରା । ଲେଖାକୁ ପଢିବା ପାଇଁ ପାଠକ ବର୍ଗ ପ୍ରସ୍ତୁତ ହେଲେ ଆଉ ପାଠକବର୍ଗ ଉପସ୍ଥିତ ହୋଇଯିବା କାରଣରୁ ଲେଖକବର୍ଗର ସାମାଜିକ ସ୍ଥିତିରେ ଅବକ୍ଷୟ ଘଟିବାକୁ ଲାଗିଲା ।
ସେତେବେଳେ ଲେଖନ-କର୍ମ ମାଧ୍ୟମରେ ମାଲିକାନା ନିର୍ଦ୍ଧାରଣ କରାଯିବା ସହିତ ଅନ୍ୟତ୍ର ସଂବାଦ ପ୍ରେରଣ,ରାଜାଦେଶ ଓ ଆଇନ୍ ର ଲିପିବଦ୍ଧକରଣ,ପଂଜିକା ପାଇଁ ଜ୍ୟୋତିର୍ବିଜ୍ଞାନର ତଥ୍ୟାବଳୀ,ସୈନ୍ୟବାହିନୀର ସଦସ୍ୟ ସଂଖ୍ୟା ତଥା ନିୟୋଜିତ ଶ୍ରମିକ ମାନଙ୍କର ସମସ୍ତ ବିବରଣୀ ରହୁଥିଲା । ଏହା ବ୍ୟତୀତ ବିଭିନ୍ନ ଧର୍ମାଚାରଣ ର ଗ୍ରନ୍ଥ ମାନଙ୍କୁ ସମସ୍ତଙ୍କ ନିକଟରେ ଉପଲବ୍ଧ କରାଇବାର ଏକମାତ୍ର ମାଧ୍ୟମ ଥଲା ଏହି ଦ୍ରୁତବିକଶିତ ଲେଖନ-କର୍ମ । ଯେହେତୁ ଏ ସମସ୍ତ ଗୋଟିଏ ରାଷ୍ଟ୍ରବ୍ୟବସ୍ଥାରେ ଅତ୍ୟନ୍ତ ମୂଲ୍ୟବାନ ସେଦୃଷ୍ଟିରୁ ଏହି ଲେଖନ-କର୍ମ କଥାଟି ସେତେବେଳେ ଅଭିଜାତ ବର୍ଗର ହାତରେ ରହୁଥିଲା ।ଏହା ସାଧାରଣ ବର୍ଗଙ୍କ ନିମନ୍ତେ ଉନ୍ମୁକ୍ତ ରହିବାରେ ଶାସକ ବର୍ଗ ଅସୁରକ୍ଷିତ ମନେକରୁଥିଲେ ।ସେଇଥିପାଇଁ ଆଜକୁ ସେଇ ପ୍ରାୟ ଚାରିହଜାର ବର୍ଷତଳେ, ଲେଖନ-କର୍ମର ସେହି ଆଦ୍ୟକାଳରେ ଅଭିଜାତ ବର୍ଗରୁ ଶିଶୁମାନଙ୍କୁ ବାଛି ଲେଖନ-କର୍ମରେ ବିଧିବଦ୍ଧ ତାଲିମ ଦିଆଯାଉଥିଲା । ସେମାନଙ୍କୁ ଯେଉଁ ସ୍କୁଲରେ ଏହି ତାଲିମ ଦିଆଯାଉଥିଲା ତାଲାକୁ ଇ-ଦବା ବା ପଟା-ସ୍କୁଲ୍ ବୋଲି କୁହାଯାଉଥିଲା ।
ବେବିଲନ୍ ର ରାଜା ସାରଗନ୍ଙ୍କର କନ୍ୟା ତଥା ପୃଥିବୀ ର ସର୍ବପ୍ରଥମ ଚିହ୍ନିତ କବି ଏନହେଦୁଆନା ନିଜେ ଅଭିଜାତବର୍ଗସଂଭବା ହୋଇଥିବା କାରଣରୁ ଏହି ଲେଖନ-କର୍ମର ସୁଯୋଗ ପାଇଥିବା ସଂପର୍କରେ ଆପଣମାନଙ୍କର ସଂଭବତଃ ଆଉ କୌଣସି ସଂଦେହ ନଥିବ ।ଏବଂ ସେତେବେଳେ ଲେଖନ-କର୍ମ ପୁରୁଷତନ୍ତ୍ର ର ଅଧୀନ ଥିଲାବେଳେ ଜଣେ ନାରୀ ହୋଇ ଏନହେଦୁଆନା ଏହି ସୁଯୋଗ ପାଇବା ପଛର କାରଣ ହେଉଛି ସେ ଥିଲେ ମେସୋପୋଟାମିଆ ସଭ୍ୟତାର ସବୁଠୁ ଶକ୍ତିଶାଳୀ ଦେବୀ ଇନାନାଙ୍କ ମୁଖ୍ୟ ପୁରୋହିତ । ତେଣୁ ତାଙ୍କୁ ପ୍ରତିରୋଧ କରିପାରିବାର ସାମର୍ଥ୍ୟ କାହାର ରହିବା ସଂଭବପର ନୁହଁ ।
ଏନହେଦୁଆନାଙ୍କର ଯେଉଁ ବୟାଳିଶ ଗୋଟି ପଦ୍ୟର ସଂଧାନ ମିଳିଛି ସେସବୁ ଦେବୀ ଇନାନାଙ୍କ ଉଦେ୍ଧଶ୍ୟରେ ଲିଖିତ ଜଣାଣ । ଊପରଲିଖିତ ପ୍ରାପ୍ତବୟସ୍କ ମାର୍କା ଲେଖାକୁ ପଢି ଆପଣମାନଙ୍କର ଏକ କିଂଭୁତକିମାକାର ଧାରଣା ହୋଇଥାଇ ପାରେ । ମାତ୍ର ଏନହେଦୁଆନାଙ୍କର ଜଣାଣରେ ସେ ଦେବୀଙ୍କ ସହ ନିହାତି ଶାରିରୀକ ସଂପର୍କ ପ୍ରତିଷ୍ଠାର କଥା ସ୍ଫଷ୍ଟ ବାବରେ ବର୍ଣ୍ଣନା କରିଛନ୍ତି । ଏବେ ଏନହେଦୁଆନାଙ୍କର ଆଉ ଦୁଇଟି ଭିନ୍ନ ପ୍ରକାରର ଜଣାଣ ସହ ଆଜି ଲେଖାର ଉପସଂହାର ।
ପ୍ରଜ୍ୱଳିତ ମହାମାୟା
ସଂତ୍ରାସବସନା
ଅଗ୍ନିସମ ଲାଲ ଶକ୍ତି ଆରୋହଣ ଯାର
ଇନାନା
ହାତରେ ତୀକ୍ଷ୍ଣ ବର୍ଚ୍ଛା
ପୋଷାକରେ ଭୟର ଦାଗ
ବାତ୍ୟା ବନ୍ୟା ଝଡ ବିଭୂଷଣ
ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେଲାବେଳେ
ଭୂମିରେ ପ୍ରୋଥିତ କରି ରଖିଥିବ ସଦା
ଢାଲ ଏକ ।
ଏବଂ
ଘରଟିଏ ତୋଳିବାକୁ ହେଲେ
ଯଦି କେଉଁ ନାରୀର ଗଂଭିରୀ ଘର
ତମକୁ ଆଗ ଚୁମା ଦେବାକୁ ହେବ
ତମର ସନ୍ତାନକୁ
ଇନାନା
ରାଜ୍ୟ,ରାଜପଣ ଆଉ ରାଜଦଣ୍ଡ ସମସ୍ତ
ତାହାପରେ ତମର ଇନାନା ।
ଉପସଂହାର ପୂର୍ବରୁ ଆଉ ପଦଟିଏ ।ଏହି କଥିତ ଦେବୀ ଇନାନା ସବୁବେଳେ ବିବସନା ଏବଂ ତାଙ୍କର ବାହନ ହେଉଛି ବ୍ୟାଘ୍ର । ଏବେ ଆମର ପାର୍ବଣ ବେଳାରେ ଜଣେ ବ୍ୟାଘ୍ରବାସିନୀ ମାଆର ଆଗମନ ହେବ । ସେହି ମାଆ ଆପଣମାନଙ୍କ ପାଇଁ ନିରନ୍ତର ଅମୃତବିଧାନ କରୁଥାନ୍ତୁ ।
Comments are closed.