Latest Odisha News

ଚାରା ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ : ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଚାରା ଦୁର୍ନୀତି ଅଭିଯୋଗ ଆଣି ବିଜେଡି ଉପରେ ବର୍ଷିଛନ୍ତି ଜିଲ୍ଲା ସଭାପତି ବାବୁ ସିଂ। ହକି ମହାକୁମ୍ଭ ବେଳେ ଗଛ ଲଗାଇ ସହରକୁ ସବୁଜମୟ କରିବା ନାଁରେ ରାଜ୍ୟ ସରକାର ବିରାଟ ଦୁର୍ନୀତି କରିଥିବା କହି ଟାର୍ଗେଟ କରିଛନ୍ତି । ଓଡ଼ିଶାର ମୁଖ କହିଲେ ଭୁବନେଶ୍ୱରକୁ ବୁଝାଏ, ଯଦି ଏଠାରେ ଏଭଳି ଚାରା ଦୁର୍ନୀତି ହୋଇଛି ତେବେ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ କେନ୍ଦୁଝରରେ ଅବସ୍ଥା କଣ ହୋଇଥିବ ତାହା ସ୍ପଷ୍ଟ ଭାବେ ବାରି ହୋଇପଡୁଛି ବୋଲି ସେ କହିଛନ୍ତି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବାବୁ ସିଂ। ଭୁବନେଶ୍ୱରରେ ଗଛ ଲଗାଇବାରେ ୭କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ମାତ୍ର ସବୁଠୁ ଆଶ୍ଚର୍ଯ୍ୟର କଥା ଗଛଗୁଡିକ ଓଡ଼ିଶାର କୌଣସି ନର୍ସରୀରୁ କିଣା ନଯାଇ ବାହାର ରାଜ୍ୟର ନର୍ସରୀରୁ କିଣା ଯାଇଛି। ଗଛ ପିଛା ରାଜ୍ୟ ସରକାର ୧୨ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ରାଜ୍ୟ ସରକାର କେଉଁ ଗଛ ଲଗାଇଲେ ଯେ ତାହାର ମୂଲ୍ୟ ୧୨ହଜାର ବୋଲି ସେ ପ୍ରଶ୍ନ କରିଛନ୍ତି।

ଓଡ଼ିଶାରେ ବନୀକରଣ ଦୁର୍ନୀତିର ପରିମାଣ ଅତି ବ୍ୟାପକ । କେବଳ କାମ୍ପା ଫଣ୍ଡରେ ୫ହଜାର ୯ଶହ କୋଟି, ଓମ୍ବାଡସିରେ ୬ହଜାର କୋଟି, ମହାନଦୀ ସବୁଜ ମିଶନରେ ୧୫୦କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହା ବାଦ୍ଗଛ ଲଗାଇବା ନାଁରେ ଡିଏମ୍‌ଏଫ୍ ଫଣ୍ଡରେ ମଧ୍ୟ ବ୍ୟାପକ ପରିମାଣର ଅର୍ଥ ହରିଲୁଟ୍ ହୋଇଛି ବୋଲି ବାବୁ ସିଂ କହିଛନ୍ତି ।ନବୀନ ସରକାର ଓଡ଼ିଶାବାସୀଙ୍କୁ କେବଳ ପ୍ରତାରଣା ନୁହେଁ ବରଂ ଦୁର୍ନୀତିର ପାହାଡ ଭେଟିରେ ଦେଇଛନ୍ତି ।ଚାରା ଦୁର୍ନୀତିର ତଦନ୍ତ ବ୍ୟାପକ ଏବଂ ଏହାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

Comments are closed.