Latest Odisha News

ବିଲକିସ୍ ବାନୋ ମାମଲା: ପୁଣି ଜେଲ୍ ଯିବେ ୧୧ ଦୋଷୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଜେଲ୍ ଫେରିବେ ସମସ୍ତ ୧୧ ଦୋଷୀ । ବିଲ୍‌କିସ୍‌ ବାନୋଙ୍କ ସହିତ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ଜଣ ଲୋକଙ୍କୁ ହତ୍ୟା କରି ଜେଲ୍‌ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାର ଦେଇଥିବା ଆଦେଶକୁ ଆଜି ସୁପ୍ରିମ୍‌ କୋର୍ଟ ରଦ୍ଦ କରିଛନ୍ତି।

ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଯେଉଁଠାରେ ଅପରାଧୀଙ୍କୁ ବିଚାର କରାଯାଇ ଦଣ୍ଡିତ କରାଯାଇଛି, କେବଳ ଦୋଷୀଙ୍କୁ କ୍ଷମା କରିବାକୁ ସେହି ରାଜ୍ୟ ନିଷ୍ପତ୍ତି ନେଇପାରିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଗୁଜରାଟ ସରକାର ଦୋଷୀମାନଙ୍କ ଦଣ୍ଡାଦେଶ ଉପରେ ନିଷ୍ପତ୍ତି ନେଇପାରିବେ ନାହିଁ, ବରଂ ମହାରାଷ୍ଟ୍ର ସରକାର ଏହା ଉପରେ ନିଷ୍ପତ୍ତି ନେବେ। ଯଦିଓ ଗୁଜରାଟରେ ଏହି ଅପରାଧ ଘଟିଛି, ତଥାପି ଗୁଜରାଟ ସରକାରଙ୍କର ନିଷ୍ପତ୍ତି ନେବାକୁ ଅଧିକାର ନାହିଁ କାରଣ ମହାରାଷ୍ଟ୍ରରେ ଏହି ବିଚାର ଚାଲିଛି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାରଙ୍କ ନିଷ୍ପତ୍ତି କ୍ଷମତାର ଅପବ୍ୟବହାର ଥିଲା । ସୁପ୍ରିମକୋର୍ଟ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଦୋଷୀଙ୍କ କ୍ଷମା ମାଗିବାର ମୌଳିକ ଅଧିକାର ଅଛି କି? ଏହା ଉପରେ ଦୋଷୀମାନଙ୍କର ଓକିଲ ସ୍ୱୀକାର କରିଛନ୍ତି ଯେ ଦୋଷୀମାନଙ୍କର କ୍ଷମା ମାଗିବାର ମୌଳିକ ଅଧିକାର ନାହିଁ।

ସୂଚନାଯୋଗ୍ୟ ଯେ, । ୨୦୦୨, ମାର୍ଚ ୩ ତାରିଖରେ ଗୁଜରାଟର ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା ପରେ ପରେ ରାଜ୍ୟରେ ଦଙ୍ଗା ବ୍ୟାପିଥିଲା। ଦଙ୍ଗାକାରୀମାନଙ୍କ ହାବୁଡ଼କରୁ ଖସି ପଳାଉଥିବା ବିଲ୍‌କିସ୍‌ ବାନୋଙ୍କୁ ସେତେବେଳେ ୨୧ ବର୍ଷ ହୋଇଥିଲା ଏବଂ ସେ ୫ ମାସର ଗର୍ଭବତୀ ଥିଲେ । ଦଙ୍ଗାକାରୀମାନେ ତାଙ୍କ ସହିତ ଦୁଷ୍କର୍ମ କରିବା ସହିତ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ।

Comments are closed.