Latest Odisha News

BREAKING NEWS

୨ ଜଣଙ୍କୁ ଓସଜା ପୁରସ୍କାର: କିଶୋର ଶ୍ରେଷ୍ଠ କ୍ରୀଡାବିତ ଓ ବିଜୟଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ବର: ଚଳିତଥର ୨ଜଣ ଓସଜା ପୁରସ୍କାର ପାଇବେ। ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜେତା ଜାଭେଲିନ ଫିଙ୍ଗାଳି କିଶୋର ଜେନା ଏବଂ ଅର୍ଜୁନ ବିଜେତା ପୂର୍ବତନ ଭାରୋତ୍ତୋଳକ ତଥା ଭଟେରାନ ପ୍ରଶିକ୍ଷକ ବିଜୟ କୁମାର ଶତପଥୀଙ୍କୁ ଓଡ଼ଶା କ୍ରୀଡ଼ା ସାମ୍ବାଦିକ ସଂଘ ପୁରସ୍କାର ପ୍ରଦାନ କରାଯିବ। କିଶୋର ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ଓ ବିଜୟ ଜୀବନ ବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ ହେବେ। ଆସନ୍ତା ୧୭ ତାରିଖରେ ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହେବ।

ପ୍ରଥମ ଓଡ଼ିଆ ଜାଭେଲିନ ଫିଙ୍ଗାଳି ଭାବେ ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପରେ ଅଂଶ ଗ୍ରହଣ କରିବା ସହ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପଞ୍ଚମ ସ୍ଥାନରେ ରହିଥିଲେ । ସେହିପରି ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ସହ ଫାଇନାଲରେ କଡ଼ା ଟକ୍କର ଦେଇ ଶେଷରେ ରୌପ୍ୟ ପଦକ ଜିତିଥିଲେ।

ସେହିପରି ଭଟେରାନ କୋଚ୍ ବିଜୟ ଶତପଥୀ ଖେଳ ଜୀବନରେ ୫ରୁ ଅଧିକ ଅନ୍ତର୍ଜାତୀୟ ପଦକ ଜିତିଛନ୍ତି। ୧୯୮୧ ମିନି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ, ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଜିତିଥିଲେ। ୧୯୮୧ ଓ ୧୯୮୩ ଏସିଆନ୍ ଚାମ୍ପିଅନସିପରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ଏବଂ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିଲେ । ୧୯୮୧ ମସିହାରେ ବିଜୟଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ, ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ବିଗତ ବର୍ଷଗୁଡ଼ିକରେ ପୂର୍ଣ୍ଣିମା ହେମ୍ବ୍ରମ-ଦେବ ସିଂହ, ସ୍ବୟମ୍ସ ମିଶ୍ର-ପଞ୍ଚାନନ ଗନ୍ତାୟତ, ପ୍ରମୋଦ ଭଗତ-ଅରୁଣ ଦାସ, ବୀରେନ୍ଦ୍ର ଲାକ୍ରା-ଅରୂପାନନ୍ଦ ରାଉତରାୟ, ସ୍ବସ୍ତି ସିଂହ-ପିଟର୍ ତିର୍କି ପାଇଥିଲେ।

Comments are closed.