ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ୨୩ ବର୍ଷରୁ କମ ବିମଷ୍ଟେକ ଆଥଲେଟିକ୍ସ ମିଟରେ ୨୦୨୬ ସଫଳତାର ସହ ଶେଷ ହୋଇଛି । ଶୁକ୍ରବାର ଅନ୍ତିମ ଦିବସରେ ଶ୍ରୀଲଙ୍କା ସ୍ପ୍ରିଣ୍ଟ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ମୋଟ ୨୨ଟି ସ୍ୱର୍ଣ୍ଣ ସହ ୪୭ଟି ପଦକ ହାସଲ କରି ଭାରତ ପଦକ ତାଲିକାର ଶୀର୍ଷରେ ରହି ଚାମ୍ପିଅନ୍ ହୋଇଛି । ଶ୍ରୀଲଙ୍କା ୧୦ଟି ସ୍ୱର୍ଣ୍ଣ ସମେତ ମୋଟ ୩୮ଟି ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ୧୦ଟି ପଦକ (୨ ରୌପ୍ୟ, ୮ କାଂସ୍ୟ) ସହ ତୃତୀୟ ସ୍ଥାନରେ ରହିଛି । ନେପାଳକୁ ମାତ୍ର ଗୋଟିଏ କାଂସ୍ୟ ପଦକ ମିଳିଥିବା ବେଳେ ଭୁଟାନ ଓ ମିଆଁମାର ଖାତା ଖୋଲିପାରି ନାହାନ୍ତି । ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ମୋଟ ୩୨ଟି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ ହୋଇଥିଲା । ଏଥିରେ ୬ଟି ଦେଶର ୨୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିଥିଲେ ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତାର ସମାପନ ଘୋଷଣା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଏହିଭଳି ପ୍ରତିଯୋଗିତା ଅଂଶଗ୍ରହଣକାରୀ ଦେଶଗୁଡ଼ିକ ମଧ୍ୟରେ କ୍ରୀଡ଼ା ସମ୍ପର୍କକୁ ମଜବୁତ କରିବା ସହ ଉଦୀୟମାନ ଆଥଲେଟମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଅଭିଜ୍ଞତା ହାସଲ କରିବାର ସୁଯୋଗ ଦେଇଥାଏ । ଭାରତର ଏହି ଚମତ୍କାର ପ୍ରଦର୍ଶନ ଆମ ଯୁବ ଖେଳାଳିଙ୍କ ନିଷ୍ଠା ଓ ସାମର୍ଥ୍ୟକୁ ଦର୍ଶାଉଛି ।” ସମାପନ ଉତ୍ସବରେ ଓଡ଼ିଶା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭାରତ ସରକାରଙ୍କ କ୍ରୀଡ଼ା ସଚିବ ହରିରଞ୍ଜନ ରାଓ, ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଞ୍ଜୁ ରଞ୍ଜନ ଏବଂ ପୂର୍ବତନ ଅନ୍ତର୍ଜାତୀୟ ଆଥଲେଟ୍ ତଥା ଅର୍ଜୁନ ପୁରସ୍କାର ବିଜେତା ଏମ୍.ଡି. ଭାଲସମ୍ମା ଓ ସୁଧା ସିଂହ ଉପସ୍ଥିତ ଥିଲେ ।
କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, କଳିଙ୍ଗ ଷ୍ଟାଡିୟମରେ ବିମଷ୍ଟେକ ଆଥଲେଟିକ୍ସ ଆୟୋଜନ ଓଡ଼ିଶାକୁ ଏକ ଅନ୍ତର୍ଜାତୀୟ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ଆହୁରି ସୁଦୃଢ଼ କରିଛି । ଓଡ଼ିଶାର ୪ ଜଣ ଖେଳାଳିଙ୍କ ସମେତ ଅନ୍ୟ ଯୁବ ଆଥଲେଟମାନେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ପାଇଛନ୍ତି । ଶେଷ ଦିନ ମହିଳା ସଟ୍ ପୁଟରେ ଭାରତର ଅଂଶୁ (୧୫.୧୭ ମିଟର) ସ୍ୱର୍ଣ୍ଣ ଏବଂ ରିଆ ବର୍ମା (୧୪.୫୯ ମିଟର) ରୌପ୍ୟ ସଫଳତା ପାଇଥିଲେ । ପୁରୁଷ ୮୦୦ ମିଟରରେ ଶ୍ୟାମ ମିଲନ ବିନ୍ଦ (୧:୫୦.୬୬) ସ୍ୱର୍ଣ୍ଣ ଜିତିଥିଲେ । ପ୍ରତିଯୋଗିତାର ଶେଷ ଭାଗରେ ଭାରତ ଉଭୟ ପୁରୁଷ ଓ ମହିଳା ୪x୧୦୦ ମିଟର ଏବଂ ୪x୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ୪x୧୦୦ ମିଟର ରିଲେରେ ମ୍ରିତିକା ଟି ଏବଂ ୪x୪୦୦ ମିଟର ରିଲେରେ ତନୁ ଚୌଧୁରୀ ବ୍ୟକ୍ତିଗତ ଇଭେଣ୍ଟ ପରେ ରିଲେରେ ମଧ୍ୟ ସ୍ୱର୍ଣ୍ଣ ଜିତି ଡବଲ୍ ସ୍ୱର୍ଣ୍ଣ ବିଜେତା ମହିଳା ଆଥଲେଟ୍ ହୋଇଥିଲେ । ଅନ୍ୟପଟେ, ପୁରୁଷ ଜାଭଲିନ୍ ଥ୍ରୋରେ ଭାରତର ଶଶାଙ୍କ ପାଟିଲ ୭୧.୮୯ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ ।
